ETV Bharat / state

ଦୁଇଟି ଜିଲ୍ଲାରେ ଗୋଟିଏ ଗାଁ କୁଲାବେଡ଼ା, ସମସ୍ୟା ଘେରରେ ଲୋକେ

author img

By ETV Bharat Odisha Team

Published : Jan 28, 2024, 2:30 PM IST

Kulabeda Village Dispute
ଦୁଇଟି ଜିଲ୍ଲାରେ ଗୋଟିଏ ଗାଁ କୁଲାବେଡ଼ା

Kulabeda Village Dispute: ଗୋଟିଏ ଗାଁ କିନ୍ତୁ ଜିଲ୍ଲା 2ଟି । ମାଲାକାନଗିରି ଓ କୋରାପୁଟ ଜିଲ୍ଲାରେ ରହିଛି କୁଲାବେଡା ଗାଁ । ଗୋଟିଏ ଗାଁରେ 2ଟି ଜିଲ୍ଲାର ଅଙ୍ଗନବାଡି କେନ୍ଦ୍ର । ଗ୍ରାମବାସୀଙ୍କ ଆଧାର କାର୍ଡରେ ଗୋଟିଏ ଜିଲ୍ଲାର ନାଁ ଜମି ପଟ୍ଟାରେ ଆଉ ଏକ ଜିଲ୍ଲାର ନାଁ । ଦେଖନ୍ତୁ ଏହି ରିପୋର୍ଟ

ଦୁଇଟି ଜିଲ୍ଲାରେ ଗୋଟିଏ ଗାଁ କୁଲାବେଡ଼ା

ମାଲକାନଗିରି: ଗାଁ ଗୋଟିଏ କିନ୍ତୁ ଜିଲ୍ଲା ଦୁଇଟି । କଥାଟି ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ଏଭଳି ଏକ ଗାଁ ହେଉଛି କୁଲାବେଡ଼ା ଗାଁ । ଏହି ଗାଁ ଉଭୟ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ରହିଛି । ଗ୍ରାମରେ ପାଖାପାଖି ଶହେ ପରିବାର ବସବାସ କରନ୍ତି । ତେବେ ୬୦ ପରିବାର ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କୁଟନିପାଲି ଗ୍ରାମପଞ୍ଚାୟତ ଅଧିନରେ ରହିଥିବା ବେଳେ ଅନ୍ୟ ୪୦ ପରିବାର କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକର ଦଣ୍ଡାବାଡ଼ି ଗ୍ରାମପଞ୍ଚାୟତରେ ସାମିଲ ରହିଛନ୍ତି । ଏପରିକି ଗାଁ ମଝିରେ ଦୁଇଟି ଜିଲ୍ଲାର ବୋର୍ଡ ଲାଗିଛି । ଗାଁ ମଝିରେ ଲାଗି ଲାଗି ରହିଛି ଦୁଇଟି ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର । ଆବାସ ଯୋଜନା ଘର ମଧ୍ୟ ଠିକ୍ ସେହିପରି । କିଛି କୋରାପୁଟ ଜିଲ୍ଲାରେ ଏବଂ କିଛି ମାଲକାନଗିରି ଜିଲ୍ଲାରେ ରହିଛି । ଗ୍ରାମପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ, ଏବଂ ଜିଲ୍ଲା ମୁଖ୍ୟାଳୟ ସବୁ ଦୁଇଟି ।

କୋରାପୁଟ ଜିଲ୍ଲା ଅପେକ୍ଷା ମାଲକାନଗିରି ଜିଲ୍ଲା ଅଧିନରେ ରହିଥିବା ଲୋକଙ୍କୁ ଅଧିକ ସୁବିଧା ମିଳୁଥିବା କହିଛନ୍ତିି ଗ୍ରାମବାସୀ । କାରଣ ମାଲକାନଗିରିବାସୀଙ୍କ ପାଇଁ ଗ୍ରାମପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟାଳୟ ପାଖରେ ଥିବାବେଳେ କୋରାପୁଟବାସୀଙ୍କ ପାଇଁ ଗ୍ରାମ ପଞ୍ଚାୟତ, ବ୍ଲକ କାର୍ଯ୍ୟାଳୟ ଏବଂ ଜିଲ୍ଲାର ଦୂରତା ଅଧିକ ରହିଛି । କୋରାପୁଟ ଜିଲ୍ଲା ମୁଖ୍ୟାଳୟକୁ ଜରୁରୀ କାର୍ଯ୍ୟ ପାଇଁ ଯିବାକୁ ହେଲେ ଅଧିକ ସମୟ ଲାଗୁଥିବା ବେଳେ ମାଲକାନଗିରିବାସୀଙ୍କ ପାଇଁ ତାହା ସହଜ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ..ପୁଣି କୋଟିଆରେ ଆନ୍ଧ୍ରର ଜବରଦଖଲ, ଲାଗିଲା ଜଗନଙ୍କ ଦଳୀୟ ପତାକା

ଗ୍ରାମବାସୀଙ୍କ କହିବାନୁଯାୟୀ,"ସାର୍ଟିଫିକେଟ କିମ୍ବା ଅନ୍ୟ କୌଣସି ପ୍ରମାଣ ପତ୍ର ବାହାର କରିବା ପାଇଁ ହେଲେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଆଉ ମଧ୍ୟ ଧାନ ବିକ୍ରି ପାଇଁ ମଣ୍ଡି କାର୍ଡ କରିବାକୁ ଗଲେ ମଧ୍ୟ ହଇରାଣ ହେବାକୁ ପଡେ । କାରଣ ଜମି ପଟ୍ଟା ସବୁ ମାଲକାନଗିରି ଜିଲ୍ଲାରେ ଥିବା ବେଳେ ଭୋଟର ଆଇଡି କାର୍ଡ ତଥା ଆଧାର କାର୍ଡ ସବୁ କୋରାପୁଟ ଜିଲ୍ଲାରେ ରହିଛି ।" ତେବେ ଏହି ଜିଲ୍ଲା ବିବାଦର ସମାଧାନ ପାଇଁ ଉଭୟ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ମାଲାକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି, "ଜିଲ୍ଲା ସୀମାରେ ରହିଥିବାରୁ ଏଭଳି ସମସ୍ୟା ଦେଖାଯାଇପାରେ । ଏନେଇ ତଦନ୍ତ କରାଯାଇ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ।

ସୂଚନା ଯୋଗ୍ୟ ୧୯୯୨ ମସିହା କୋରାପୁଟ ଜିଲ୍ଲା ବିଭକ୍ତ ହୋଇ ମାଲକାନଗିରି ଜିଲ୍ଲା ହେବା ପର ଠାରୁ ଏହି ସମସ୍ୟା ଦେଖାଯାଇଛି । ୧୯୯୨ ମସିହା କୋରାପୁଟ ଜିଲ୍ଲା ବିଭକ୍ତ ହୋଇ କୋରାପୁଟ ଓ ମାଲକାନଗିରି ଜିଲ୍ଲା ସୃଷ୍ଟି ହୋଇଥିଲା । ହେଲେ କୁଲାବେଡ଼ା ଗାଁ କେଉଁ ଜିଲ୍ଲାରେ ରହିବ ତାହା ବିଭାଜନ ହୋଇପାରିନଥିଲା । ଯେଉଁଥିପାଇଁ 2 ଜିଲ୍ଲାରେ ରହିଛି ଏହି କୁଲାବେଡ଼ା ଗାଁ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.