ETV Bharat / state

ଯାଜପୁର ବସ୍ ଦୁର୍ଘଟଣା; ଆହତଙ୍କୁ ଏସସିବିରେ ଭେଟିଲେ ପାଣ୍ଡିଆନ - Jajpur Bus Accident

author img

By ETV Bharat Odisha Team

Published : Apr 16, 2024, 8:18 AM IST

Updated : Apr 16, 2024, 10:49 AM IST

Jajpur Bus Accident: ସକାଳୁ ସକାଳୁ କଟକ ବଡ ମେଡିକାଲରେ ପହଞ୍ଚି ଯାଜପୁର ବସ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ଭିକେ ପାଣ୍ଡିଆନ । ଚିକିତ୍ସାରେ କୌଣସି ତ୍ରୁଟି ନ ରଖିବାକୁ ଡାକ୍ତରଙ୍କୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Jajpur Bus Accident
Jajpur Bus Accident

JAJPUR BUS ACCIDENT

କଟକ: ଯାଜପୁର ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଜି (ମଙ୍ଗଳବାର) ଭୋର୍ ସମୟରେ ସେ କଟକ ବଡ ମେଡିକାଲରେ ପହଞ୍ଚି ଆହତଙ୍କୁ ଭେଟିବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆହତମାନଙ୍କ ଚିକିତ୍ସାରେ ଯେପରି କୌଣସି ତ୍ରୁଟି ନରୁହେ, ସେଥିପାଇଁ ସଜାଗ ରହିବାକୁ ଡାକ୍ତରମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି 5T ଅଧ୍ୟକ୍ଷ । ଏସସିବିରେ ମୋଟ 46 ଜଣ ଆହତ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଗୁରୁତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ 41 ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । 18 ଜଣଙ୍କୁ ଅର୍ଥପେଡ଼ିକ ବିଭାଗକୁ ସ୍ଥାନାନ୍ତର କରାଯିବ । ଆହତଙ୍କ ମଧ୍ୟରୁ 14 ଜଣ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ସେମାନଙ୍କୁ ରୁଟିନ ଚେକ ଅପ୍ କରିବା ପରେ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କୂଳସଚିବ ଅବିନାଶ ରାଉତ ସୂଚନା ଦେଇଛନ୍ତି ।

ଅର୍ଥପେଡିକ, ନ୍ୟୁରୋଲଜି, ସର୍ଜରୀ, ମେଡିସିନ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ସହ ମୋଟ ୪୦ ଜଣିଆ ଡାକ୍ତରୀ ଟିମ୍ ଆହତ ଓ ଗୁରୁତର ଯାତ୍ରୀଙ୍କ ଚିକିତ୍ସା କରୁଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ହେଲେ ସେମାନଙ୍କ ପରିଚୟ ଯାଞ୍ଚ ପରେ ପରିବାର ଲୋକଙ୍କୁ ଯୋଗାଯୋଗ କରାଯିବ । ଆବଶ୍ୟକ ପଡିଲେ ଟୋଲ ଫ୍ରି ନମ୍ବରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଏସସିବି ମେଡ଼ିକାଲ ପ୍ରଶାସନିକ ଅଧିକାରୀ ଡାକ୍ତର ଅଭିନାଶ ରାଉତ । ଅନ୍ୟପଟେ ଏହି ଘଟଣା ଘଟିବା ଦିଗରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । କେଉଁ କାରଣରୁ ବସ୍‌ ଦୁର୍ଘଟଣା ଘଟିଲା ତାହା ଏଯାବତ୍ ଜଣାପଡି ନାହିଁ । କିନ୍ତୁ ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜ୍ୟ ପରିବହନ କମିଶନର ।

ଏହା ମଧ୍ୟ ପଢନ୍ତୁ-ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: 5 ମୃତ ଓ ୪୦ରୁ ଊର୍ଦ୍ଧ୍ୱ ଆହତ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - Bus Accident

ସୋମବାର ସନ୍ଧ୍ୟା ସମୟରେ ଯାଜପୁର ବାରବାଟୀ ନିକଟରେ କାଳିଆ ନନା ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଓଭରବ୍ରିଜ୍ ତଳକୁ ଖସି ପଡିଥିଲା । ପ୍ରାୟ 25 ଫୁଟ ଉଚ୍ଚରୁ ବସଟି ଖସି ପଡିଥିଲା । ସ୍ଥାନୀୟ ଲୋକମାନେ ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଏନେଇ ଖବର ପାଇ ରସୁଲପୁର ଓ ଧର୍ମଶାଳା ଅଗ୍ନିଶମ ବାହିନୀ, କୁଆଖିଆ ଏବଂ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଚିକିତ୍ସା ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ।

ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି । ମୃତାହତଙ୍କର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ 3 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

Last Updated :Apr 16, 2024, 10:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.