ETV Bharat / state

ରକ୍ତ ପାଇବାକୁ ଆଉ ରହିବନି ଚିନ୍ତା, ଲଞ୍ଚ ହେଲା ଆପ୍‌

author img

By ETV Bharat Odisha Team

Published : Feb 1, 2024, 9:20 AM IST

ରକ୍ତ ଯୋଗାଇବ ଆପ
ରକ୍ତ ଯୋଗାଇବ ଆପ

Jago Odisha Jago Sahayata App: ଲଞ୍ଚ କରାଗଲା ‘ଜାଗୋ ଓଡିଶା ଜାଗୋ ସହାୟତା ଆପ’ । ଏହି ଆପ ମାଧ୍ୟମରେ ଗୁରୁତର ରୋଗୀ ମାନେ 24 ଘଣ୍ଟା ରକ୍ତ ପାଇପାରିବେ । ଅଧିକ ପଢ଼ନ୍ତୁ

ରକ୍ତ ଯୋଗାଇବ ଆପ

ଖୋର୍ଦ୍ଧା: ଓଡ଼ିଶାରେ ରକ୍ତ ଯୋଗାଇବ ଆପ । ଲଞ୍ଚ କରାଗଲା ‘ଜାଗୋ ଓଡିଶା ଜାଗୋ ସହାୟତା ଆପ’ । ଏହି ଆପ ମାଧ୍ୟମରେ ଗୁରୁତର ରୋଗୀ ମାନେ 24 ଘଣ୍ଟା ରକ୍ତ ପାଇପାରିବେ । ରୋଗୀ ଚିକିତ୍ସିତ ହେଉଥିବା ହସ୍ପିଟାଲରେ ଦୁଇରୁ ତିନି ଘଣ୍ଟା ମଧ୍ୟରେ ରକ୍ତ ଯୋଗାଇ ଦିଆଯିବ । ଜରୁରୀ ପରିସ୍ଥିତିରେ କିପରି ରକ୍ତ ପାଇପାରିବେ ତଥା ରକ୍ତ ଅଭାବରୁ କେମିତି କେହି ଅସୁବିଧାର ସମ୍ମୁଖୀନ ନହେବେ ଏହା ଆପର ମୂଳ ଲକ୍ଷ୍ୟ ।

ରକ୍ତର କୌଣସି ବିକଳ୍ପ ନାହିଁ ତେଣୁ ରକ୍ତଦାନ ମହତ ଦାନ । ଏଥିପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସଂଗଠନ ଲୋକଙ୍କୁ ସଚେତନ କରି ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି । କିନ୍ତୁ ବିଭିନ୍ନ ସମୟରେ ରକ୍ତର ଘୋର ଅଭାବ ପାଇଁ ଅକାଳରେ ଜୀବନ ଯାଉଛି । ବିଶେଷକରି ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କ ଚିକିତ୍ସା ସମୟରେ ଆବଶ୍ୟକ ରକ୍ତ ସଠିକ ସମୟରେ ମିଳୁ ନଥିବାରୁ ଜୀବନ ଯାଉଛି । ସେହିପରି ବିଭିନ୍ନ ସମୟରେ ରକ୍ତଦାନ ଶିବିରରୁ ସଂଗୃହିତ ଅତ୍ୟଧିକ ରକ୍ତ ମଧ୍ୟ ଲୋକଙ୍କ କାମରେ ନଆସି ନଷ୍ଟ ହେଉଛି । ଏସବୁକୁ ଦୃଷ୍ଟିରେ ରଖି ଆଜି ଖୋର୍ଦ୍ଧାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଜାଗୋ ଓଡିଶା ଜାଗୋ’ ପକ୍ଷରୁ ଏକ ନୂତନ ଆପର ପ୍ରସ୍ତୁତ କରାଯାଇଛି । ଯାହାକୁ ଗତକାଲି ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଲଞ୍ଚ କରିଛନ୍ତି । ଏହି ଆପର ନାମ ରଖାଯାଇଛି ‘ଜାଗୋ ଓଡିଶା ଜାଗୋ ସହାୟତା ଆପ’ । ଏହି ଆପ ମାଧ୍ୟମରେ ସାରା ଓଡ଼ିଶାର ଗୁରୁତର ରୋଗୀ ମାନେ 24 ଘଣ୍ଟା ରକ୍ତ ପାଇପାରିବେ ।

ଏହା ମଧ୍ୟ ପଢ଼ନ୍ତୁ.... ଫେବୃଆରୀରେ ସବୁ ଜିଲ୍ଲାରେ ଗଡ଼ିବ ଲକ୍ଷ୍ମୀ ବସ୍; ଆଜିଠୁ ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳରେ ବସ୍ ସେବା ଆରମ୍ଭ

ରକ୍ତ ପାଇଁ ନୂଆ ଆପ ଲଞ୍ଚ ଅବସରରେ ସମାଜସେବୀ ସଞ୍ଜୟ ପଟ୍ଟନାୟକ କହିଛନ୍ତି, ‘‘ଆମ ରାଜ୍ୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ନୂଆ ଅଭିଯାନ ଆରମ୍ଭ କରାଯାଇଛି । ଏହି ସହାୟତା ଆପ ରାଜ୍ୟର ବିଭିନ୍ନ ଅଞ୍ଚଳର ରକ୍ତଦାତା ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ତଥ୍ୟ ରହିଛି । ଗୁରୁତର ରୋଗୀଙ୍କ ଆବଶ୍ୟକତା ଅନୁଯାଇ ସେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିବେ ତାଙ୍କୁ ଦୁଇରୁ ତିନି ଘଣ୍ଟା ମଧ୍ୟରେ ରକ୍ତ ଯୋଗାଇ ଦିଆଯିବ ।’’ ସେହିପରି ଏହି ନୂଆ ଆପ ସମ୍ପର୍କରେ ଜାଗୋ ଓଡିଶା ଜାଗୋ ସଭାପତି ନାରାୟଣ ମହାନ୍ତି କହିଛନ୍ତି ‘‘ରକ୍ତ ପାଇଁ ବିଭିନ୍ନ ସମୟରେ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନେ ବହୁ ସମସ୍ୟାର ସମୁଖୀନ ହୋଇଥାନ୍ତି । ସେହିପରି ରକ୍ତ ପାଇଁ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ବୁଲି ଖର୍ଚ୍ଚାନ୍ତ ହୋଇଥାନ୍ତି । ଜରୁରୀ ପରିସ୍ଥିତିରେ କିପରି ରକ୍ତ ପାଇଁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ସମସ୍ୟା ନଭୋଗିବେ ଏହି ସହାୟତା ଆପର ମୂଳ ଲକ୍ଷ୍ୟ ।’ ଏହି ଆପ ଲଞ୍ଚ କାର୍ଯ୍ୟକ୍ରମରେ ବହୁ ସମାଜସେବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ସେହିପରି ଅନୁଷ୍ଠାନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.