ETV Bharat / state

ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ଜୋର ଧରିଲା ଚାଷୀଙ୍କ ଜଳସେଚନ ସମସ୍ୟା ପ୍ରସଙ୍ଗ - irrigation problem in subarnapur

author img

By ETV Bharat Odisha Team

Published : Apr 13, 2024, 9:26 AM IST

ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ଜୋର ଧରିଲା ଚାଷୀଙ୍କ ଜଳସେଚନ ସମସ୍ୟା ପ୍ରସଙ୍ଗ
ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ଜୋର ଧରିଲା ଚାଷୀଙ୍କ ଜଳସେଚନ ସମସ୍ୟା ପ୍ରସଙ୍ଗ

Irrigation Issue: ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି । କେବେ ସରିବ ସୁବର୍ଣ୍ଣପୁର ଚାଷୀଙ୍କ ଦୁଃଖ ? ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ସୁବର୍ଣ୍ଣପୁରରେ ଜୋର ଧରିଲା ଚାଷୀଙ୍କ ଜଳସେଚନ ସମସ୍ୟା ପ୍ରସଙ୍ଗ

ସୁବର୍ଣ୍ଣପୁର: ଜିଲ୍ଲାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋର ଧରିଲାଣି । ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭରପୁର ପ୍ରୟାସ ଚାଲିଛି । ଏହାରି ଭିତରେ ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି । ବିଶେଷ କରି ଭୋଟରମାନେ ଜଳସେଚନ ସମସ୍ୟାର ସମାଧାନ ପାଇଁ ନେତାଏ କ'ଣ କରି ପାରିବେ ତାକୁ ନେଇ ପ୍ରଶ୍ନ କରୁଛନ୍ତି ।

ଚିର ମରୁଡି ପ୍ରପୀଡିତ ବୀରମହାରାଜପୁର ଉପଖଣ୍ଡର ଦୁଇଟି ବ୍ଳକ ଉଲୁଣ୍ଡା ଓ ବୀରମହାରାଜପୁରରେ ଚାଷୀମାନେ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଦାବି କରୁଛନ୍ତି । ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିନିକା ବ୍ଳକର ଅଧିକାଂଶ ଚାଷ ଜମି ହୀରାକୁଦ ଜଳସେଚିତ ଅଞ୍ଚଳରେ ରହିଛି । ଉଲୁଣ୍ଡା ଓ ବୀରମହାରାଜପୁର ଦୁଇଟି ବ୍ଳକର ଆଂଶିକ ଚାଷଜମି ହରିହର ଯୋର ମଧ୍ୟମ ଜଳସେଚନ ପ୍ରକଳ୍ପରୁ ପାଣି ମାଡୁଛି । ତେବେ କେନାଲ ନବୀକରଣ ଓ ଉନ୍ନତି କରଣ ହୋଇ ପାରୁ ନଥିବାରୁ ଆୟକଟ ଏରିଆର ଚାଷୀମାନେ ଆବଶ୍ୟକ ସମୟରେ ଜଳସେଚନ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ଜଳସେଚନ ପ୍ରକଳ୍ପର ବାମ ପାର୍ଶ୍ବ କେନାଲ ତିଆରି ହୋଇ ପାରୁ ନଥିବାରୁ ଆଜକୁ ପ୍ରାୟ 40 ବର୍ଷ ହେଲା ଅପେକ୍ଷା କରି ରହିଥିବା ଚାଷୀମାନେ ବାମ ପାର୍ଶ୍ବ କେନାଲ ତିଆରି କରିବା ପାଇଁ ଦାବି କରିଛନ୍ତି । 80 ଦଶକରେ ନିର୍ମାଣ ହୋଇଥିବା ଏହି ଜଳସେଚନ ପ୍ରକଳ୍ପର ଉଭୟ ପାର୍ଶ୍ବରେ କେନାଲ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିଲେ । ହେଲେ ଗୋଟିଏ ପାର୍ଶ୍ବ କେନାଲ ତିଆରି ହୋଇଥିବା ବେଳେ ବାମ ପାର୍ଶ୍ବ କେନାଲ ନିର୍ମାଣ ଆଉ ହୋଇ ପାରିଲାନାହିଁ । ଜଳସେଚନ ପ୍ରକଳ୍ପରେ ଆବଶ୍ୟକ ପାଣି ରହୁ ନ ଥିବାରୁ ବାମ ପାର୍ଶ୍ବ କେନାଲ ନିର୍ମାଣ କରାଯାଉ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଖରା କଷ୍ଟଠୁ ବଳିଯାଉଛି ପାନୀୟ ଜଳସଙ୍କଟ, ଜିଲ୍ଲାପାଳଙ୍କୁ ଭେଟିଲେ ଅର୍ପଣ ଗାଁଲୋକେ - Drinking Water Problem

ତେବେ ଜଳସେଚନ ପ୍ରକଳ୍ପ ଥାଇ ବି ଚାଷୀମାନଙ୍କ ଚାଷ ଜମି ଅନେକ ସମୟରେ ମରୁଡିର ସମ୍ମୁଖୀନ ହେଉଛି । ଚାଷୀ ପାଣି ନ ପାଇ ବି ଜଳକର ଦେବାକୁ ବାଧ୍ୟ ହେଉଛି । ସେହିପରି ଉଠା ଜଳସେଚନ ପ୍ରକଳ୍ପ ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚାଷଜମି ଜଳସେଚନ କରିବା ପାଇଁ ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର । ତେବେ ରାଜ୍ୟ ସରକାର ପ୍ରତିଟି ବ୍ଳକରେ 35 ପ୍ରତିଶତ ଚାଷଜମିକୁ ଜଳସେଚନ କରିବା ପାଇଁ ଦୁଇ ଦଶନ୍ଧି ତଳେ ଲକ୍ଷ୍ୟ ରଖିଥିବା ବେଳେ ତାହା ପୂରଣ ହେବାରେ ଅନିଶ୍ଚିତତା ଦେଖା ଦେଇଛି ।

ଗତ 15 ବର୍ଷ ଧରି ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିବା ବିଜେଡି ପ୍ରାର୍ଥୀ ପଦ୍ନନାଭ ବେହେରା ଚାଷୀଙ୍କ ଜଳସେଚନ ସମସ୍ୟା ସମାଧାନ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି । ଚାଷୀଙ୍କ ସମସ୍ୟା ହୃଦବୋଧ କରୁଥିବା ପ୍ରାର୍ଥୀଙ୍କୁ ଚାଷୀ ଭୋଟ ଦେବେ ବୋଲି କହୁଛନ୍ତି ।ସେହିପରି ହରିହରଯୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଉନ୍ନତି କରଣ ଚାଲିଥିବା ବେଳେ ଜଳସେଚନ ପ୍ରକଳ୍ପ ଆନିକଟ ଏରିଆରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପଦ୍ନନାଭ କହିଛନ୍ତି । ସେହିପରି ବିଭିନ୍ନ ଜଳ ଉତ୍ସରୁ ଉଠା ଜଳସେଚନ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଗ ପକ୍ଷରୁ ନୂତନ ପ୍ରକଳ୍ପ ନିର୍ମାଣ କରି ବୀରମହାରାଜପୁରକୁ ଶସ୍ୟଶ୍ୟାମଳା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.