ETV Bharat / state

ମାହାଙ୍ଗା ଡବଲ ମର୍ଡର: ବଦଳିଲେ ଖଣ୍ଡପୀଠ, ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

author img

By ETV Bharat Odisha Team

Published : Feb 16, 2024, 3:31 PM IST

Updated : Feb 16, 2024, 3:37 PM IST

ମାହାଙ୍ଗା ଡବଲ ମର୍ଡର
ମାହାଙ୍ଗା ଡବଲ ମର୍ଡର

Mahanga Double Murder Case: ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମତିକ୍ରମେ ମାହାଙ୍ଗା ଡବଲ ମର୍ଡର ଘଟଣାର ଖଣ୍ଡପୀଠ ବଦଳିଛନ୍ତି । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ସେପର୍ଯ୍ୟନ୍ତ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ । ଅଧିକ ପଢ଼ନ୍ତୁ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣା । ହାଇକୋର୍ଟରେ ବିଧାୟକ ପ୍ରତାପ ଜେନାଙ୍କ ମାମଲାର ଶୁଣାଣି ଆଉ କରିବେ ନାହିଁ ଜଷ୍ଟିସ ବିପି ରାଉତରାୟ । ମୁଖ୍ୟ ବିଚାରପତିଙ୍କ ଅନୁମତିକ୍ରମେ ଅଲଗା ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ଆସନ୍ତା ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି ଉଚ୍ଚ ନ୍ୟାୟାଳୟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବିଧାୟକ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ।

ପ୍ରକାଶ ଥାଉ, ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଧାୟକ ପ୍ରତାପ ଜେନା । କ୍ରିମିନାଲ ରିଭ୍ୟୁ ପିଟିସନ ଦାଖଲ କରିଥିଲେ ମାହାଙ୍ଗା ବିଧାୟକ । ୨୦୨୧ ମସିହାରେ ମାହାଙ୍ଗା ଥାନା ଅନ୍ତର୍ଗତ ନୁର୍ତ୍ତାଙ୍ଗ ପଞ୍ଚାୟତରେ ହୋଇଥିବା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ନାଁରେ ଲାଗିଛି ଦଫା ୩୦୨ । ବର୍ତ୍ତମାନ ତାଙ୍କ ବିରୋଧରେ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏହି ମାମଲା ଚାଲିଛି । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏହି ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି ପ୍ରତାପ । ହେଲେ ଏହି ଘଟଣାରେ ପୂର୍ବରୁ କୋର୍ଟରେ ହାଜର ହୋଇନାହାନ୍ତି ବିଧାୟକ ପ୍ରତାପ ଜେନା । ସ୍ବାସ୍ଥ୍ୟଗତ କାରଣରୁ କୋର୍ଟଙ୍କୁ ୩ ସପ୍ତାହ ସମୟ ମାଗିଥିଲେ ପ୍ରତାପ । ସେହିପରି ସିଆର୍‌ପିସି ଧାରା ୨୦୫ରେ ଏକ ପିଟିସନ ବି ଦାଖଲ କରିଥିଲେ ପ୍ରତାପ । ଏହି ଧାରା ଅନୁଯାୟୀ ବ୍ୟକ୍ତିଗତ ହଜିରାରୁ ବିରତ ଦେବାକୁ ସେ କୋର୍ଟରେ ପ୍ରାର୍ଥନା କରିଥିଲେ । ତେବେ ପ୍ରତିପକ୍ଷ ଏହାକୁ ଅବଜେକ୍ସନ୍‌ ମଧ୍ୟ କରିଥିଲେ । ସେହିପରି ସିଆରପିସିର ଧାରା ୨୧୦ରେ ପ୍ରତିପକ୍ଷ ଆଉ ଗୋଟିଏ ପିଟିସନ ଦାୟର କରିଛନ୍ତି । ମୂଳ ମାମଲାରେ ପ୍ରତାପଙ୍କୁ ସାମିଲ କରିବାକୁ କୋର୍ଟରେ ଆବେଦନ କରାଯାଇଛି । ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟରେ ହାଜର ହେବାକୁ ସମନ କରିଥିଲେ ସାଲେପୁର JMFC କୋର୍ଟ । ବିଧାୟକଙ୍କ ଆବେଦନ ଅନୁଯାୟୀ ଏକ ସ୍ପେଶାଲ ମେସେଞ୍ଜର ମାଧ୍ୟମରେ କୋର୍ଟ ସମନ ଜାରି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ମାହାଙ୍ଗା ଡବଲ ମର୍ଡର ଘଟଣା; ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ପ୍ରତାପଙ୍କୁ ଅନ୍ତରୀଣ ସୁରକ୍ଷା

ଜାଣନ୍ତୁ ପୂରା ଘଟଣା: ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ 13 ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । 13 ଜଣ ଅଭିଯୁକ୍ତଙ୍କ ମଧ୍ୟରୁ 9 ଜଣ ଗିରଫ ହୋଇଥିଲେ । ଏତଲା ଅନୁଯାୟୀ 13ନଂ ଅଭିଯୁକ୍ତ ଥିଲେ ପ୍ରତାପ ଜେନା । ହେଲେ ପରବର୍ତ୍ତୀ ସମୟରେ ବିଧାୟକଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅଭିଯୋଗକାରୀ ରମାକାନ୍ତ । ଏହି ମାମଲାର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି । ସେହିବର୍ଷ ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ୩ ମାସ ସମୟ ଗଡ଼ାଇ ଚାଲିଥିଲା ପୋଲିସ୍‌ । ଏହାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଥିଲେ । ସେହିବର୍ଷ ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଡିସେମ୍ବର ୯ରେ ଡବଲ ମର୍ଡର ଘଟଣାର ଏତଲାକାରୀ ରମାକାନ୍ତ ବରାଳଙ୍କର ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କଟକ

Last Updated :Feb 16, 2024, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.