ETV Bharat / state

ସକାଳ ୭ରୁ ସନ୍ଧ୍ୟା ୯ ପର୍ଯ୍ୟନ୍ତ ସହର ଭିତରେ ପଶିପାରିବନି ବାଲି ବୋଝେଇ ଗାଡି: ହାଇକୋର୍ଟ

author img

By ETV Bharat Odisha Team

Published : Feb 6, 2024, 6:24 PM IST

Orissa High Court
Orissa High Court

Illegal Sand Mining Case: ବାଲି ଉଠାଣ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ମେସିନ ଦ୍ବାରା ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି କୋର୍ଟ। ସନ୍ଧ୍ୟା ୭ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ସହରରେ କୌଣସି ବାଲି ଗାଡି ବୁଲି ପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କଟକ: ବାଲି ଉଠାଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ଓଡିଶା ହାଇକୋର୍ଟ । ମେସିନ ଦ୍ୱାରା ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଅତ୍ୟାବଶ୍ୟକ ସ୍ଥଳରେ ମେସିନରେ ବାଲି ଉଠାଇବା ପାଇଁ ହେଲେ ପରିବେଶ ବିଭାଗର ମଞ୍ଜୁରୀର ଆବଶ୍ୟକତା ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ସନ୍ଧ୍ୟା ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ ସହରରେ କୌଣସି ବାଲି ଗାଡି ବୁଲି ପାରିବ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ମେସିନ ସାହାଯ୍ୟରେ ବାଲି ଉଠାଣ ପାଇଁ ପରିବେଶ ବିଭାଗ ଅତ୍ୟାବଶ୍ୟକ ସ୍ଥଳରେ ଯେଉଁ ମଞ୍ଜୁରୀ ଦେବ ସେଥିରେ ବି ଅନେକ ଦିଗ କୁ ଦୃଷ୍ଟିରେ ରଖି ଅନୁମତି ଦେବ। ଯେପରିକି ବାଲିର ପରିମାଣ କେତେ ଅଛି, ଭୌଗଳିକ ସ୍ଥିତି କଣ ଅଛି ଆଦି ଦିଗକୁ ଦୃଷ୍ଟିରେ ରଖି ଅନୁମତି ଦେବ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ସହ ମାମଲାର ଶୁଣାଣିରେ ପୂର୍ଣଛେଦ ପକାଇଛନ୍ତି। ବିନା ଅନୁମତିରେ ମେସିନରେ ବାଲି ଉଠାଇପାରିବେ ନାହିଁ।

ଅଧିକ ପଢନ୍ତୁ- ବେଆଇନ ବାଲି ଉଠାଣରେ ରୋକ୍, ଖଣି ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ

ଏହା ସହ ବେଆଇନ ଭାବେ ବାଲି ଉଠାଣ ଓ ପରିବହନକୁ ନେଇ ଦାୟର ହୋଇଥିବା ମାମଲା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ରାଜ୍ୟର ସମସ୍ତ ବାଲିଘାଟରୁ ଏଣିକି ମାନୁଆଲ ପ୍ରକ୍ରିୟାରେ ବାଲି ଉଠା ଯାଇପାରିବ । କେନ୍ଦ୍ର ସରକାର ଜାରି କରିଥିବା ଗାଇଡ ଲାଇନ ମୁତାବକ ବାଲି ଉଠାଇ ହେବ । କିନ୍ତୁ ଯଦି କୌଣସି ସ୍ଥାନରେ ମାନୁଆଲ ପ୍ରକ୍ରିୟାରେ ବାଲି ଉତ୍ତୋଳନ କରିବା ସମ୍ଭବ ହେବ ନାହିଁ, ସେହି ସ୍ଥାନରେ ମେସିନ ଜରିଆରେ ବାଲି ଖୋଳାଯାଇ ପାରିବ । ହେଲେ ଏଥିପାଇଁ ପରିବେଶ ମଞ୍ଜୁରୀ ବାଧ୍ୟତାମୂଳକ ବୋଲି କୋର୍ଟ କହିଛନ୍ତି । ବେଆଇନ ବାଲି ଉଠାଣ ଯୋଗୁଁ ରାଜ୍ୟ ସରକାର ୨୪୦ କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ଏହାଦ୍ବାରା ପରିବେଶ ପ୍ରଦୂଷଣ ହେଉଥିବା ନେଇ ଅଭିଯୋଗ କରି ପ୍ରଶାନ୍ତ ଦାସ ନାମକ ବ୍ୟକ୍ତି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।

ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରି ବାଲି ଉଠାଣ ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ଗତ 21 ଡିସେମ୍ବରରେ ଖଣି ବିଭାଗ ପକ୍ଷରୁ ଜାରୀ ହୋଇଥିବା ବିଜ୍ଞପ୍ତି ଉପରେ କୋର୍ଟ ଅଙ୍କୁଶ ଲଗାଇଥିଲେ । ଆବଶ୍ୟକତା ଅନୁଯାୟୀ ବାଲି ଉଠାଣ ପାଇଁ ଏହି ବିଜ୍ଞପ୍ତିରେ ଅନୁମତି ଦେଇଥିଲା ବିଭାଗ। ବେଆଇନ ବାଲି ଉଠାଣ ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ସ୍ଥଗିତାଦେଶ କରିବା ପରେ ସରକାର ଏହି ବିଜ୍ଞପ୍ତି ଜାରି କରିଥିଲେ ।

କଟକ ଜିଲ୍ଲାରେ ବେଆଇନ ବାଲି ଉଠାଣ ଏବଂ ଚାଲାଣ ମାମଲାର ହାଇକୋର୍ଟରେ ଗତ ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଜିଲ୍ଲାରେ ମୋଟ 14 ଟି ବାଲି ଖାଦାନର ଅନୁମତିକୁ ସାମୟିକ ଭାବେ ପ୍ରତ୍ୟାହାର ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଯାଇଥିଲା । ଆଗକୁ ସମସ୍ତ ବେଆଇନ ଖାଦାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ । ଲିଜ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟ ପାଠରେ ଉଲ୍ଲେଖ କରାଯାଇଥିଲା । କେବଳ ସେତିକି ନୁହେଁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା ।

କଟକର ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ମାମଲାରେ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ପୂର୍ବରୁ କଡା ଭର୍ତ୍ସନା କରିଛନ୍ତି ଓଡିଶା ହାଇକୋର୍ଟ । ବେଆଇନ ବାଲି ଉଠାଣକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ପୂର୍ବତନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ ଙ୍କ ଉପରେ ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଥିଲେ । ବେଆଇନ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କେତେ ଜରିମାନା ଆଦାୟ କରାଯାଇଛି ସେନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.