ETV Bharat / state

ବାଲି ଅଚଳାବସ୍ଥା ଦୂର କରିବା ପାଇଁ କ'ଣ ପ୍ରସ୍ତାବ ଅଛି ? ଜଣାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Feb 5, 2024, 7:12 PM IST

Orissa High Court
Orissa High Court

High Court Of Orissa: ହାଇକୋର୍ଟରେ ବାଲି ଉଠାଣ ସମ୍ପର୍କିତ ମାମଲା । ଅଚଳାବସ୍ଥା ଦୂର କରିବା ପାଇଁ କ'ଣ ପ୍ରସ୍ତାବ ଅଛି ସେନେଇ ଜଣାଇବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କଟକ: ହାଇକୋର୍ଟରେ ବାଲି ଉଠାଣ ସମ୍ପର୍କିତ ମାମଲା । ଅଚଳାବସ୍ଥା ଦୂର କରିବା ଲାଗି କ'ଣ ପ୍ରସ୍ତାବ ଅଛି ସେନେଇ ଜଣାଇବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି ଅସମ୍ପୂର୍ଣ୍ଣ ରହିଥିବା ବେଳେ ଆସନ୍ତାକାଲି ଏହି ମାମଲାର ପୁନଃର୍ବାର ଶୁଣାଣି ହେବ । ତେବେ ଆସନ୍ତାକାଲି ଏନେଇ ଆବେଦନକାରୀ କୋର୍ଟଙ୍କୁ ଅବଗତ କରିବେ । ସେପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଗତ ଜାନୁୟାରୀ 10 ଠାରୁ ବାଲି ଉଠାଣ ଉପରେ ରୋକ ଲାଗିଛି ।

ବାଲି ଉଠାଣ ପ୍ରସଙ୍ଗକୁ ଅତି ଗୁରୁତ୍ୱ ସହ ନେଇଛନ୍ତି ହାଇକୋର୍ଟ । ସହରରେ ଏବେ ବାଲିର ଅଚଳାବସ୍ଥା ବି ସୃଷ୍ଟି ହୋଇଛି । କାରଣ ବାଲି ଉଠାଣରେ ଅଙ୍କୁଶ ଲାଗିବା କାରଣରୁ ବାଲି ଦର ଏବେ ଆକାଶ ଛୁଆଁ । ଚଢା ଦରରେ ଏବେ ବାଲି ବିକ୍ରୟ ହେଉଛି । ଯେଉଁ ବାଲି ଟ୍ରାକ୍ଟର ଟ୍ରିପ ପିଛା ୭୦୦ ଟଙ୍କାରୁ ୮୦୦ ଟଙ୍କା ରହିଥିଲା ତାହା ଏବେ ଟ୍ରିପ ପିଛା ୨୦୦୦ରୁ ୨୨୦୦ ଟଙ୍କାରେ ବିକ୍ରୟ ହେଉଛି । ଫଳରେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଣେ ସଧାରଣ ଲୋକଟିଏ ଘର ନିର୍ମାଣ କରିବା ବର୍ତ୍ତମାନ ସମୟରେ ସମ୍ଭବପର ହୋଇପାରୁ ନାହିଁ ।


ବାଲି ଉଠାଣ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଗତ 21 ଡିସେମ୍ବରରେ ଖଣି ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଉପରେ କୋର୍ଟ ଆଜି ଅଙ୍କୁଶ ଲଗାଇଛନ୍ତି । ଗତ ଡିସେମ୍ବର ୨୧ ତାରିଖରେ ଖଣି ବିଭାଗ ଏକ ବିଜ୍ଞପ୍ତି ଜାରି କରିଥିଲା । ଆବଶ୍ୟକତା ଅନୁଯାୟୀ ବାଲି ଉଠାଣ ପାଇଁ ଏହି ବିଜ୍ଞପ୍ତିରେ ଅନୁମତି ଦେଇଥିଲା ବିଭାଗ । ବେଆଇନ ବାଲି ଉଠାଣ ପ୍ରସଙ୍ଗରେ ଶୁଣାଣି କରି ହାଇକୋର୍ଟ ସ୍ଥଗିତାଦେଶ କରିବା ପରେ ସରକାର ଏହି ବିଜ୍ଞପ୍ତି ଜାରି କରିଥିଲେ ।

କଟକ ଜିଲ୍ଲାରେ ବେଆଇନ ବାଲି ଉଠାଣ ଏବଂ ଚାଲାଣ ମାମଲାର ହାଇକୋର୍ଟରେ ଗତ ଶୁଣାଣି ସମୟରେ ସତ୍ୟପାଠ ଦାଖଲ କରାଯାଇଥିଲା । କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଜିଲ୍ଲାରେ ମୋଟ 14ଟି ବାଲି ଖାଦାନର ଅନୁମତିକୁ ସାମୟିକ ଭାବେ ପ୍ରତ୍ୟାହାର ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଯାଇଥିଲା । ଆଗକୁ ସମସ୍ତ ବେଆଇନ ଖାଦାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ । ଲିଜ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା । କେବଳ ସେତିକି ନୁହେଁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା।

କଟକର ବିଭିନ୍ନ ବାଲି ଘାଟରୁ ବାଲି ଉତ୍ତୋଳନ ମାମଲାରେ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ପୂର୍ବରୁ କଡା ଭର୍ତ୍ସନା କରିଥିଲେ ଓଡିଶା ହାଇକୋର୍ଟ ।ବେଆଇନ ବାଲି ଉଠାଣକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ପୂର୍ବତନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଉପରେ ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଥିଲେ । ବେଆଇନ୍ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କେତେ ଜରିମାନା ଆଦାୟ କରାଯାଇଛି ସେନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଏହି ଜନସ୍ୱାର୍ଥ ମାମଲା ଦାୟର କରିଥିଲେ । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ଯେ, କାଠଯୋଡ଼ିରୁ ବେଆଇନ ବାଲି ଉଠାଯାଉଛି । ଏପରିକି ବେଆଇନ ବାଲି ଉଠାଯିବା ଦ୍ୱାରା ରାସ୍ତାରେ ପଡି ରାସ୍ତା ଖରାପ ହେଉଛି । ଯେଉଁ କାରଣରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଆସନ୍ତା ସୋମବାର ପର୍ଯ୍ୟନ୍ତ ବାଲି ଉଠାଣ ଉପରେ ରୋକ ଲଗାଇଲେ ହାଇକୋର୍ଟ

ତେବେ ଏନେଇ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ଏନେଇ ଗତ ଜୁଲାଇ ୧୯ ତାରିଖରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଦାଖଲ ପିଆଇଏଲ ଉପରେ କଟକ ଜିଲ୍ଲା ପ୍ରଶାସନ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ କହିଥିଲେ । ଜଣେ ଜିଲ୍ଲାର ମୁଖ୍ୟ ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିବାକୁ କୋର୍ଟ କଡା ସମାଲୋଚନା ମଧ୍ୟ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.