ETV Bharat / state

ଧର୍ମେନ୍ଦ୍ରଙ୍କ ଚିଠି ପରେ ପ୍ରତିଶୃତି, ମଧ୍ୟପ୍ରଦେଶ ଆସିରଗଡରେ ସ୍ଥାପନା ହେବ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି

author img

By ETV Bharat Odisha Team

Published : Jan 29, 2024, 8:38 PM IST

Surendra Sai statue
Surendra Sai statue

Surendra Sai statue to be built in Madhya Pradesh: ମଧ୍ୟପ୍ରଦେଶ ଆସିରଗଡରେ ସ୍ଥାପନା ହେବ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି । ଏଇଠି ନିଜ ଶେଷ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ଅଧିକ ପଢନ୍ତୁ

ସମ୍ବଲପୁର: ମଧ୍ୟପ୍ରଦେଶ ବୁରହାନପୁର ଜିଲ୍ଲା ଆସିରଗଡ ଗଡ଼ରେ ସ୍ଥାପନା ହେବ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ପଦକ୍ଷେପ ନେବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡଃ ମୋହନ ଯାଦବ ଦେଲେ ପ୍ରତିଶ୍ରୁତି । ଆସିରଗଡ ଦୁର୍ଗରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ସ୍ମାରକୀ ସ୍ଥାପନା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଆଯିବ । ଏହା ପରେ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନିଆଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ଚିଠି ପରେ ପ୍ରତିଶୃତି
ଧର୍ମେନ୍ଦ୍ରଙ୍କ ଚିଠି ପରେ ପ୍ରତିଶୃତି

ଏନେଇ ଆଜି ସମ୍ବଲପୁର ଜିଲ୍ଲା ବିଜେପିର କ୍ଷେତ୍ରୀୟ ଗଣ ମାଧ୍ୟମ ସଂଯୋଜକ ମାନସ ବକ୍ସି ସୂଚନା ଦେଇଛନ୍ତି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ସ୍ବାଧୀନତାର ଅମୃତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଏବଂ ଓଡ଼ିଶାର ମହାନ ସ୍ବାଧୀନତା ସଂଗ୍ରାମୀ, ଜନନାୟକ ବୀର ସୁରେନ୍ଦ୍ର ସାଏଙ୍କ ସ୍ମାରକୀ ଓ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ପ୍ରାପ୍ତ ହେବା ପରେ ସୁଚିନ୍ତିତ ଯୋଜନା କରାଯିବ । ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ମହାନ କ୍ରାନ୍ତିକାରୀ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତି ମଧ୍ୟପ୍ରଦେଶର ଜନସାଧାରଣଙ୍କ ଉଚିତ ଶ୍ରଦ୍ଧାଞ୍ଜଳି ହେବ ।

ଧର୍ମେନ୍ଦ୍ରଙ୍କ ଚିଠି ପରେ ପ୍ରତିଶୃତି
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଏହା ବି ପଢନ୍ତୁ- ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନର ହେବ ବିକାଶ, ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଚଳିତ ଜାନୁଆରୀ ୧୮ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ପତ୍ର ଲେଖିବା ସହ ଏହି କାର୍ଯ୍ୟରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରିବାକୁ କହିଥିଲେ । ସେ ପତ୍ରରେ ଉଲ୍ଲେଖ କରିଥିଲେ ଯେ ବ୍ରିଟିଶ ଶାସନ ବିରୋଧରେ ସମ୍ବଲପୁର ବିଦ୍ରୋହର ନେତୃତ୍ବ ନେଇଥିବା ବୀର ସୁରେନ୍ଦ୍ର ସାଏ ଏବଂ ଅନେକ ସଂଗ୍ରାମୀମାନଙ୍କର ଆସିରଗଡ ଦୁର୍ଗ ସହ ଗଭୀର ସମ୍ପର୍କ ରହିଛି । ୧୮୫୭ ମସିହା ବିଦ୍ରୋହରେ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନେ ଦେଶକୁ ସ୍ବାଧୀନତା ଦେବା ପାଇଁ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଇଂରେଜ ମାନଙ୍କ ସହ ବୀରତ୍ବର ସହ ଲଢ଼ି ବଳିଦାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଇତିହାସ ପୃଷ୍ଠାରେ ଅନାଲୋଚିତ ଏହିଭଳି ଜନଜାତି ସଂଗ୍ରାମୀଙ୍କ ବୀରଗାଥା ଓ ସାହସକୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଦେବା ଦିଗରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି । ବୀର ସୁରେନ୍ଦ୍ର ସାଏ ଆସିରଗଡ ଦୁର୍ଗରେ ଶେଷ ଜୀବନ କାଟିଥିଲେ । ଏହାକୁ ବିଶେଷ ଧ୍ୟାନରେ ରଖି ଆସିରଗଡ ଦୁର୍ଗରେ ସୁରେନ୍ଦ୍ର ସାଏଙ୍କ ବୀରତ୍ବକୁ ପ୍ରତିଫଳିତ କରୁଥିବା ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସହ ତାଙ୍କର ସହଯୋଗୀମାନଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବା ପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ । ତେବେ ପ୍ରାରମ୍ଭିକ ପଦକ୍ଷେପ ନେବା ପାଇଁ ଆଗ୍ରହ ପ୍ରକାଶ କରିଥିବାରୁ କେନ୍ଦ୍ରମନ୍ତ୍ରୀ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.