ETV Bharat / state

‘ଭାତହାଣ୍ଡି’ରେ ଗଣ୍ଠିପୋକ ଚଡକ, ଚିନ୍ତାରେ ଚାଷୀ - GANDHI INSECT DAMAGES CROP

author img

By ETV Bharat Odisha Team

Published : Apr 25, 2024, 10:21 PM IST

Ganthi insects damages paddy crop
Ganthi insects damages paddy crop

Insects damages paddy crop: ଚାଷୀଙ୍କୁ ଟେନସନ ଦେଉଛି କେଣ୍ଡା ପୋକ ବା ଗଣ୍ଠି ପୋକ । ନଷ୍ଟ ହେବାରେ ଲାଗିଛି ଶହ ଶହ ଏକର ଧାନ ଫସଲ । ଅଧିକ ପଢ଼ନ୍ତୁ

ଗଣ୍ଠିପୋକ ଚଡକ

ବରଗଡ: ଚିନ୍ତାରେ ବରଗଡ଼ ଧାନଚାଷୀ । ସୁନାର ଫସଲକୁ ନଷ୍ଟ କରିବାରେ ଲାଗିଛନ୍ତି କେଣ୍ଡା ପୋକ ବା ଗଣ୍ଠି ପୋକ । ଧାନ ଫସଲରେ ପୋକ ଲାଗି ନଷ୍ଟ ହେବାକୁ ବସିଛି ହଜାର ହଜାର ହେକ୍ଟର ଜମିର ଧାନ ଫସଲ । ଯେତେ ଔଷଧ ଦେଲେ ମଧ୍ୟ କାମ ଦେଉ ନଥିବା ବେଳେ ଓଲଟା ଧାନ ଗଛର କେଣ୍ଡାକୁ ପୋକ ଖାଇଯାଉଥିବା ଅଭିଯୋଗ କରିଛନ୍ତି ଚାଷୀ । ଯାହାକୁ ନେଇ ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି ।

ଏଥର ରବି ଋତୁ ଚାଷରେ ଭଲ ଧାନ ଫସଲ ହୋଇଥିବା ବେଳେ ଶସ୍ୟଶ୍ୟାମଳା ଭରି ଉଠିଥିଲା ଚାଷ ଜମି । ଧାନକେଣ୍ଡାରେ ଧାନ ଭରପୁର ମାତ୍ରାରେ ଆସିଥିବା ବେଳେ ଚାଷୀ ମାନେ ବେଶ ଖୁସି ଅନୁଭବ କରୁଥିଲେ । ହେଲେ ହଠାତ ପାଣିପାଗରେ ପରିବର୍ତ୍ତନ ହୋଇ ଅଦିନିଆ ଏବଂ ଅସମୟରେ ବର୍ଷା ହେବାପରେ ଧାନ ଫସଲରେ ଗଣ୍ଠି ପୋକ ବଢିବାରେ ଲାଗିଲା। ଚାଷୀ ମାନେ ଚିନ୍ତାରେ ପଡିଗଲେ ଓ କୀଟନାଶକ ପ୍ରୟୋଗ କରିବାରେ ଲାଗିଲେ । ଥରେ କିମ୍ବା ଦୁଇଥର ନୁହେ ବହୁବାର କୀଟନାଶକ ପ୍ରୟୋଗ କରିବା ପରେ ମଧ୍ୟ କୌଣସି ପ୍ରଭାବ ପଡିନଥିଲା। ପରେ ଧୀରେ ଧୀରେ ଚାରିଆଡେ ବ୍ୟାପି ଯାଇଥିଲେ ଗଣ୍ଠି ପୋକ । ହୃଷ୍ଟପୃଷ୍ଟ ଧାନ ଗଛରେ ଭଲ ଧାନ କେଣ୍ଡା ଫଳିଛି ହେଲେ ଗଛ ଶୁଖିଯାଇ କେଉଁଠି ଲାଲ ଦେଖାଯାଉଛି ତ ଆଉ କେଉଁଠି ଧାନ ଗଛ ସଂପୂର୍ଣ୍ଣ ମରିଯାଇଛି ।

ବରଗଡ଼ ଜିଲ୍ଲାର ଅତାବିରା, ଭେଡେନ, ବରପାଲି, ବରଗଡ଼, ଭଟଲି ଅଞ୍ଚଳରେ ବ୍ୟାପକ ଟଣ୍ଟି କଟା ବା ଗଣ୍ଠି ପୋକ କାରଣରୁ ହଜାର ହଜାର ଏକ ଜମିରେ 33%ରୁ ଅଧିକ ଧାନ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଖରିଫ ଫସଲରେ ଅଳ୍ପ ଧାନ ଆମଦାନୀ ହୋଇଥାଏ । ହେଲେ ରବି ଫସଲରେ ଅଧିକ ମାତ୍ରାରେ ହେଉଥିବା ଆମଦାନୀ ଖରିଫ ଫସଲର କ୍ଷତିକୁ ଭରଣା କରିଦେଇଥାଏ । ମାତ୍ର ଚଳିତ ରବି ଫସଲରେ ଅଧିକାଂଶ ଚାଷୀଙ୍କ 33% ଧାନ ଫସଲ ଗଣ୍ଠି ପୋକ କାରଣରୁ ନଷ୍ଟ ହୋଇଯାଇଥିବା ବେଳେ ବଜାରରୁ କୀଟନାଶକ କ୍ରୟକରି ଖର୍ଚ୍ଚାନ୍ତ ହୋଇଥିବାରୁ ଏବେ ଚିନ୍ତାରେ ପଡିଯାଇଛନ୍ତି ଶତାଧିକ ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ... ଗୋଲମରିଚ ଚାଷ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ, କମୁଛି ଅମଳ ଚିନ୍ତାରେ କୋରାପୁଟ ଚାଷୀ - Climate Change Effect

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ବଜାରରେ ବିକ୍ରି ହେଉଥିବା କୀଟନାଶକ ଯାହା ଚାଷୀ ମାନେ କ୍ରୟ କରି ନିଜ ବିଲରେ ପ୍ରୟୋଗ କରିଥିଲେ ତାହା କାମ ଦେଲା ନାହିଁ କାହିଁକି ? ଚାଷୀଙ୍କ ଅଭିଯୋଗ ମୁତାବକ କଣ ଚାଷୀ ମାନଙ୍କୁ ନକଲି କୀଟନାଶକ ବିକ୍ରି କରିଦିଆଯାଇଛି ? ତେବେ କୃଷି ବିଭାଗ ତରଫରୁ ଠିକ ଭାବେ କ୍ଷେତ ପରିଦର୍ଶନ ନକରିବା, ବଜାରରେ ନକଲି ଔଷଧର ବିକ୍ରି ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଚଳିତ ବର୍ଷ ଏହି ରୋଗ ପୋକ ନିୟନ୍ତ୍ରଣରେ ଆଲି ନଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ 33% ଫସଲ ନଷ୍ଟ ହେଲେ ଇନପୁଟ ସବସିଟି ଏବଂ ଫସଲ ବୀମା ଚାଷୀ ମାନଙ୍କର ପାଇବାର ଅଧିକାର ରହିଛି । ଏହାର ସର୍ଭେ କରାଯାଇ ଜିଲ୍ଲା ପ୍ରଶାସନଙ୍କୁ ବିଭାଗୀୟ ଅଧିକାରୀ ମାନେ ଜଣାଇବା ଦରକାର ଓ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ଉପରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ଦାବି କରିଛନ୍ତି ଚାଷୀ ନେତା ରମେଶ ମହାପାତ୍ର ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.