ETV Bharat / state

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ: ଭାଗନେବେ ୧୨ ପ୍ରଜ୍ଞାପନ ମେଢ଼

author img

By ETV Bharat Odisha Team

Published : Jan 24, 2024, 4:47 PM IST

State Level Republic Day: ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଆଜି ସରିଛି ଫୁଲ୍‌ ଡ୍ରେସ୍‌ ପରେଡ୍‌ ରିହଲସଲ । ଏଥର ପରେଡରେ ଗାନ୍ଧୀମାର୍ଗରେ ୧୨ ପ୍ରଜ୍ଞାପନ ମେଢ଼ ସହିତ ୫୦ ଦଳ ଭାଗନେବେ । କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଲେ ପୋଲିସ ଡିଜି । ଅଧିକ ପଢ଼ନ୍ତୁ

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ
State Level Republic Day

State Level Republic Day

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସକୁ ଆଉ ଗୋଟିଏ ଦିନ । ଏହା ପୂର୍ବରୁ ବୁଧବାର ସରିଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ଫୁଲ୍‌-ଡ୍ରେସ୍‌ ପରେଡ୍‌ ରିହଲସଲ । ପୋଲିସ ଡିଜିଙ୍କ ନେତୃତ୍ବରେ ଚାଲିଥିଲା ଫୁଲ୍‌ ଡ୍ରେସ୍‌ ପରେଡ୍‌ ରିହଲସଲ । ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଗାନ୍ଧୀମାର୍ଗରେ ୧୨ ପ୍ରଜ୍ଞାପନ ମେଢ଼ ସହିତ ୫୦ ଦଳ ଭାଗନେବେ । ଏଥିପାଇଁ ସୁରକ୍ଷା କଡାକଡି଼ି ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ।

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ ସହ ମୋଟ ୨୦୦ ଜଣ ପୋଲିସ ଅଧିକାରୀ । ଏହାସହ ଡିସିପିଙ୍କ ନେତୃତ୍ବରେ ୬ ଜଣ ଅତିରିକ୍ତ ଡିସିପି, ୧୪ ଏସିପି ଓ ୨୮ ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିବେ । ସେପଟେ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ । ସେ କହିଛନ୍ତି, "ମାଓ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ କଟକଣା କରାଯାଇଛି । ପରେଡ ସମୟରେ ଏହି ସ୍ଥଳକୁ ଛୁଇଁଥିବା ସବୁ ରାସ୍ତା ବନ୍ଦ ରହିବ ।"

ଏହା ମଧ୍ୟ ପଢ଼ନ୍ତୁ...ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡିବ ଓଡିଶାର ପ୍ରଜ୍ଞାପନ ମେଢ

ସାଧାରଣତନ୍ତ୍ର ଦିବସର ଦିନକ ପୂର୍ବରୁ ଦୁଇଦିନ ଧରି ଚାଲିଥିବା ଫୁଲ ଡ୍ରେସ ପରେଡ୍‌ ରିହଲସଲ ଆଜି ଶେଷ ହୋଇଛି । ଏଥର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଗାନ୍ଧୀମାର୍ଗରେ ୧୨ ପ୍ରଜ୍ଞାପନ ମେଢ଼ ସହ ୫୦ ଦଳ ଭାଗନେବେ । ମହର୍ଷିର ଡେୟାର ଡେଭିଲ ବାଇକ୍‌ ଚାଲାଣ ସହ ସ୍କେଟିଂ ସୋ ବିଶେଷ ଆକର୍ଷଣ ସାଜିବ । ସେହିପରି ୨ ୟୁନିଟ ସ୍ପେଶାଲ ଅପରେସନ ଗ୍ରୁପ କୁଇକ୍‌ ରିଆକ୍ସନ ଟିମ, ବମ୍‌ ସ୍କ୍ବାଡ୍‌, ସନ୍ଧାନୀ କୁକୁର ଓ ସାଦା ପୋଷାକଧାରୀ ପୋଲିସ ନିୟୋଜିତ ହେବେ । ସେପଟେ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ ପାଇଁ ସ୍ବତନ୍ତ୍ର କଟକଣା ରହିଥିବା ବେଳେ ୨୬ ତାରିଖ ଦିନ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଗାନ୍ଧୀମାର୍ଗର ସମସ୍ତ ପ୍ରବେଶ ପଥକୁ ବନ୍ଦ କରାଯିବ ।

ଅନ୍ୟପଟେ ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ଆକର୍ଷଣ ସାଜିବ ପୁରୀର ଲୋକକଳା ସାହିଯାତ ଓ ମୟୂରଭଞ୍ଜର ବାହାନୃତ୍ୟ । ଗାନ୍ଧୀମାର୍ଗରେ ହେବାକୁ ଥିବା ପରେଡରେ ୧୨ ପ୍ରଜ୍ଞାପନ ମେଢ଼ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଥିବାବେଳେ ପ୍ରଥମ ଥର ପାଇଁ ପରେଡରେ ଏହି ଦୁଇ ନୃତ୍ୟ ସାମିଲ ହେବେ । ସେହିପରି କୋରାପୁଟ ବୈପାରାଗୁଡା ଜନଜାତି ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗଞ୍ଜାମର ଯୋଡି ଶଙ୍ଖ ମହୁରୀ ଓ ରଣପା ନୃତ୍ୟ ପରେଡରେ ନିଜ ଅଞ୍ଚଳର ପ୍ରତିଭା ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶନ କରିବେ । ସେହିପରି ରାଜ୍ୟ କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଗଣଶିକ୍ଷା ବିଭାଗ ଭଳି ୧୨ଟି ଚିତ୍ତାକର୍ଷକ ପ୍ରଜ୍ଞାପନ ମେଢ଼ ମଧ୍ୟ ପରେଡରେ ସାମିଲ ହେବେ । ରାଜ୍ୟପାଳ ରଘୁବର ଦାସ ସାଧାରଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିଥି ଭାବେ ଉପସ୍ଥିତ ରହିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.