ETV Bharat / state

ଜଗା ଦର୍ଶନରୁ ବଞ୍ଚିତ ଦିବ୍ୟାଙ୍ଗ ଭକ୍ତ, ମହାପ୍ରଭୁଙ୍କୁ ନଦେଖି ମନ ଦୁଃଖରେ ଫେରୁଛନ୍ତି ଶ୍ରଦ୍ଧାଳୁ

author img

By ETV Bharat Odisha Team

Published : Feb 24, 2024, 7:55 AM IST

Updated : Feb 24, 2024, 1:12 PM IST

Special darshan facility for Divyang devotees: ମହାପ୍ରଭୁଙ୍କୁ ଦର୍ଶନ ନିମନ୍ତେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନାହିଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା । ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହେଉଛନ୍ତି ଦିବ୍ୟାଙ୍ଗ ଭକ୍ତ । ଅଧିକ ପଢନ୍ତୁ

ଜଗା ଦର୍ଶନରୁ ବଞ୍ଚିତ ଦିବ୍ୟାଙ୍ଗ ଭକ୍ତ
ଜଗା ଦର୍ଶନରୁ ବଞ୍ଚିତ ଦିବ୍ୟାଙ୍ଗ ଭକ୍ତ

Special darshan facility for Divyang devotees

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ନେଇ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନାହିଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା । ଫଳରେ ଶ୍ରୀମନ୍ଦିର ଆସିଥିବା ଦିବ୍ୟାଙ୍ଗ ଭକ୍ତଟିଏ ମହାପ୍ରଭୁଙ୍କ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇ ମନ ଦୁଃଖରେ ଫେରୁଛନ୍ତି । ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ସାଧାରଣ ଭକ୍ତଙ୍କ ଭଳି ଦିବ୍ୟାଙ୍ଗ ମାନେ ମଧ୍ୟ ମହାପ୍ରଭୁଙ୍କ ଭକ୍ତ । ଏଣୁ ସାଧାରଣ ଲୋକଙ୍କ ଦର୍ଶନ ବ୍ୟବସ୍ଥା ଭଳି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଦର୍ଶନ ନେଇ ବିଶେଷ ବ୍ୟବସ୍ଥା ପାଇଁ ଦାବି ହୋଇଛି ।

ତେବେ ଭାରତର ପ୍ରସିଦ୍ଧ ମନ୍ଦିର ଗୁଡିକରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରଵେଶ, ଦର୍ଶନ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ହେଲେ ପୁରୀ ଶ୍ରୀମନ୍ଦିର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ହୋଇଥିବା ବେଳେ ଏଠାରେ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରଵେଶ, ଦର୍ଶନ ନେଇ କୌଣସି ବିଶେଷ ବ୍ୟବସ୍ଥା ହୋଇପାରିନି । ଯାହାକି ଅତି ଦୁଃଖ ଦାୟକ ବୋଲି ଆନ୍ଧ୍ରରୁ ଆସିଥିବା ଜଣେ ଦିବ୍ୟାଙ୍ଗ ଭକ୍ତ କହିଛନ୍ତି । ସେହିପରି ଶ୍ରୀମନ୍ଦିର ଭିତରେ ଦିବ୍ୟାଙ୍ଗ ଭକ୍ତ ପାଇଁ କୌଣସି ଲାଇନ ବ୍ୟବସ୍ଥା ନାହିଁ। ଫଳରେ ପ୍ରବଳ ଗହଳି ଯୋଗୁଁ ଦିବ୍ୟାଙ୍ଗ ଭକ୍ତଟିଏ ମହାପ୍ରଭୁଙ୍କୁ ଦର୍ଶନ କରିପାରୁନାହିଁ । ମନ୍ଦିରରେ ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ଅନେକ କିଛି ପଦକ୍ଷେପ ନେଉଥିବା ପ୍ରଚାର କରୁଥିବା ବେଳେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସୁବିଧା ନ ହେବା ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ- ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ, ଫାଟ ହୋଇଥିବା ବିମ୍‌ ତଳେ ଲାଗିବ ଷ୍ଟେନଲେସ୍‌ ଷ୍ଟିଲ୍‌ ବିମ୍‌

ସେପଟେ ଏନେଇ ଶ୍ରୀମନ୍ଦିର ଉପ ପ୍ରଶାସକ ପ୍ରଦୀପ କୁମାର ସାହୁ କହିଛନ୍ତି, ଶ୍ରୀମନ୍ଦିର ଆସିଥିବା ଦିବ୍ୟାଙ୍ଗ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ଯାଉଛି । ଅନଲାଇନରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ହେବ। ମାସକୁ ଗୋଟିଏ ଦିନ ରେଜିଷ୍ଟ୍ରେସନ କରିଥିବା ଦିବ୍ୟାଙ୍ଗ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନ କରାଇବା । ଉତ୍ତର ଦ୍ୱାର ଦେଇ ରାମ୍ପରେ ଭକ୍ତ ଯିବେ । କିଛି ସ୍ବେଚ୍ଛାସେବୀଙ୍କ ଦ୍ୱାରା ଝୁଲାରେ ବୁହାହୋଇ ଦିବ୍ୟାଙ୍ଗ ଭକ୍ତଙ୍କୁ ନିଆଯିବ । ତେବେ ଏହା କିଭଳି କାର୍ଯ୍ୟକାରୀ ହୋଇ ପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କୁ ନେଇ ଏକ କମିଟି ଗଠନ ହେଇଛି । ଏହି କମିଟିର ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଉପ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ଦିବ୍ୟାଙ୍ଗଙ୍କ ବିଶେଷ ବ୍ୟବସ୍ଥା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ କେବଳ କମିଟି କରି ଦିନ ଗଡ଼ାଇ ଚାଲିଥିବା ବେଳେ ଏହି ବେପରୁଆ ମନୋଭାବକୁ ଭକ୍ତମାନେ ସମାଲୋଚନା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated :Feb 24, 2024, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.