ETV Bharat / state

ବଜାର ଦର ହ୍ରାସ ଛଡାଇ ନେଲା ଚାଷୀ ମୁହଁର ହସ, ଦୁଇ ସପ୍ତାହ ତଳେ ୩୦ ଏବେ ୫ ଟଙ୍କା

author img

By ETV Bharat Odisha Team

Published : Jan 25, 2024, 1:18 PM IST

Updated : Jan 25, 2024, 5:22 PM IST

Distress sale of cauliflowers
Distress sale of cauliflowers

Distress sale of cauliflowers: କଟକ ଜିଲ୍ଲା ନିଆଳିର ବିଭିନ୍ନ ଅଞ୍ଚଳରେ ଅଭାବୀ ବିକ୍ରି । ଫୁଲକୋବି ଗୋଟାକୁ ବିକ୍ରି ହେଉଛି ୫ ରୁ ୧୦ ଟଙ୍କାରେ । ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

Distress sale of cauliflowers

ନିଆଳି: ଚାଲିଛି ଶୀତ ଋତୁ । ଫୁଲକୋବି ଅମଳର ସମୟ । ଏକର ଏକର ଜମିର ଜମି କୋବିରେ ଭର୍ତ୍ତି । ହେଲେ ଏପରି ସମୟରେ କଟକ ଜିଲ୍ଲା ନିଆଳିର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବୀ ବିକ୍ରି । ଫୁଲକୋବି ଗୋଟାକୁ ୫ ରୁ ୧୦ ଟଙ୍କାରେ ବିକ୍ରି ହେଉଛି । ବେପାରୀମାନେ ଚାଷୀଙ୍କ ଠାରୁ କମ୍ ଟଙ୍କାରେ ଫୁଲକୋବି କିଣି ନେଇ ଚଢ଼ା ଦରରେ ବିକ୍ରି କରୁଛନ୍ତି । ଫଳରେ ବେପାରୀ ମାଲାମାଲ୍‌ ହେଉଥିବା ବେଳେ ସେପଟେ କେମିତି ଋଣ ଟଙ୍କା ପରିଶୋଧ କରିବ ସେହି ଚିନ୍ତାରେ ଚାଷୀ । ଆଶା କରିଥିଲା ଚଳିତ ବର୍ଷ ଭଲ ଦି ପଇସା ଉପାର୍ଜନ କରିଥାନ୍ତା । କିନ୍ତୁ ବଜାର ଦର ହଠାତ୍ ହ୍ରାସ ଏବଂ ଅଦିନିଆ ବର୍ଷା ପାଗ ଯୋଗୁଁ ଏବେ ଫୁଲକୋବି ଚାଷୀ ଚିନ୍ତାରେ ପଡି ଯାଇଛନ୍ତି ।

କଟକ ଜିଲ୍ଲା ନିଆଳିର କଣ୍ଟାପଡ଼ା,କଟକ ସଦର, ବାରଙ୍ଗ,୪୨ ମୌଜା ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଚାଷୀ ଫୁଲକୋବି ଚାଷ କରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଫୁଲକୋବି ଚାଷରୁ ଭଲ ଟଙ୍କା ରୋଜଗାର କରି ପିଲା ଛୁଆଙ୍କ ପାଠପଢା ମଧ୍ୟ କରିଥାଆନ୍ତି । ତେଣୁ ଭଲ ଫସଲ ପାଇଁ ହଜାର ହଜାର ଟଙ୍କାର ଖତ, ସାର ଦେଇଥିଲା । ପାଗ ଠିକ୍‌ଠାକ୍‌ ଥିବାରୁ ଚାଷ ମଧ୍ୟ ଭଲ ହୋଇଛି । ଆଶା କରିଥିଲେ ଫୁଲକୋବି ବିକି ଋଣ ଟଙ୍କା ସୁଝିଦେବ । କିନ୍ତୁ ଚାଷୀଙ୍କ ଏହି ଆଶା ଫସର ଫାଟି ଯାଇଛି । ଏବେ ମୁଲିଆ ଲଗାଇ ତୋଳୁଛି । ହେଲେ ବିକ୍ରି ବେଳକୁ ମଜୁରୀ ଟଙ୍କା ବି ବାହାରୁନି । ଫୁଲକୋବି ଅମଳ ହେଲା ବେଳକୁ ଗତ ମାସେ ହେଲା ଦର କମି କମି ଆସୁଛି ।

ଯେଉଁ ଫୁଲକୋବି ପୂର୍ବରୁ ଗୋଟାକ ୩୦ରୁ ୫୦ ଟଙ୍କା ଥିଲା ଏବେ ସେ କୋବି ବଜାରରେ ୫ ଟଙ୍କା ଠାରୁ ଆରମ୍ଭ କରି ୧୦ ଟଙ୍କାରେ ବ୍ରିକି ହେଉଛି । ବେପାରୀ ଚାଷୀଙ୍କ ଠାରୁ ଶାଗ ମାଛ ଦରରେ କୋବି କିଣି ବଜାରରେ ୧୦ ଗୁଣା ଅଧିକ ଦରରେ ବିକ୍ରି କରୁଛନ୍ତି । ତେବେ ବଜାରରେ ଚାହିଦା ଓ ଦରଦାମ କମିଯିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଶୀତଳ ଭଣ୍ଡାରଟିଏ ନ ଥିବାରୁ କଷ୍ଟ ଉପାର୍ଜିତ ପରିବା ସାଇତି ନପାରି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ ।

କଟକ ଜିଲ୍ଲା ନିଆଳି ବ୍ଳକ ଅଲଣା ପଞ୍ଚାୟତର ବାଆଁ ସାହି ଗ୍ରାମର ଶ୍ରୀଧର ସାହୁ ହେଉଛନ୍ତି ୧୫ ବର୍ଷର ଫୁଲ କୋବି ଚାଷୀ । ପ୍ରତି ବର୍ଷ କୋବି ଚାଷ କରି ଭଲ ରୋଜଗାର କରିଥାନ୍ତି । ଚଳିତ ବର୍ଷ ୨୨ ହଜାରରୁ ଊର୍ଦ୍ଧ୍ଵ କୋବି ଗଛ ଲଗାଇଛନ୍ତି ମାତ୍ର ୫୦୦ ଶହ କୋବି ବିକ୍ରି କରିଛନ୍ତି । ବଜାର ଦର ହ୍ରାସ ଯୋଗୁଁ ଏବେ ସେ ପ୍ରଭାବିତ ହୋଇଛନ୍ତି। ବଜାର ଦର ଯଦି ଏମିତି ହ୍ରାସ ପାଏ ତେବେ ମୂଲ ମଜୁରୀ ମଧ୍ୟ ଉଠିବ ନାହିଁ ବୋଲି କହିଛନ୍ତି ଶ୍ରୀଧର ।

ଏହା ମଧ୍ୟ ପଢନ୍ତୁ-ଅଦିନିଆ ବର୍ଷା ଡାକି ଆଣିଲା ଦୁଃଖ, ଚିନ୍ତାରେ ବୌଦ୍ଧ ଚାଷୀ

ଆଉ ଜଣେ ଫୁଲକୋବି ଚାଷୀ ଦିପକ ସାହୁ କହିଛନ୍ତି ଯେ,"କୋବି ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହୋଇଛି ସେତକ ତ ଉଠିବ ନାହିଁ ଧାର କରଜ ସୁଝିବା ନେଇ ଆଶା ଓ ଆଶଙ୍କାରେ । ନିଆଳି, କଣ୍ଟାପଡ଼ା, ବାରଙ୍ଗ,କଟକ ସଦର ଏବଂ ୪୨ ମୌଜା ଚାଷୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଏଠାରେ ଶୀତଳ ଭଣ୍ଡାର ନ ଥିବା ଯୋଗୁଁ ଚାଷୀମାନେ ବିଭିନ୍ନ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ।"

ଇଟିଭି ଭାରତ, ନିଆଳି

Last Updated :Jan 25, 2024, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.