ETV Bharat / state

ଶୁକତେଲ ପ୍ରକଳ୍ପ ପାଇଁ ବଳି ପଡିଲା ବିରାଟ ଜଙ୍ଗଲ, ହୋଇପାରିବ କି ଭରଣା ? - Lower Suktel Irrigation Project

author img

By ETV Bharat Odisha Team

Published : Apr 18, 2024, 7:39 AM IST

Lower Suktel Irrigation Project
Lower Suktel Irrigation Project

Lower Suktel Irrigation Project: ବଲାଙ୍ଗୀରର ଜୀବନ ରେଖା ତଥା ସ୍ବପ୍ନର ପ୍ରକଳ୍ପ ଲୋୟର ଶୁକତେଲ ପ୍ରକଳ୍ପ ପାଇଁ ନଷ୍ଟ ହୋଇଛି ବିଶାଳ ଜଙ୍ଗଲ । କେବେ ଭରଣା ହେବ, ଏବଂ ଭରଣା ହୋଇପାରିବ କି ନାହିଁ, ସେନେଇ ଉଠିଛି ପ୍ରଶ୍ନ । ଅଧିକ ପଢ଼ନ୍ତୁ

Lower Suktel Irrigation Project

ବଲାଙ୍ଗୀର: ବଲାଙ୍ଗୀରବାସୀଙ୍କ ସ୍ବପ୍ନର ପ୍ରକଳ୍ପ ଏବେ ସଫଳ ହୋଇଛି । ବଲାଙ୍ଗୀରର ଜୀବନ ରେଖା ତଥା ସ୍ବପ୍ନର ପ୍ରକଳ୍ପ ଥିଲା ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ । ଏହା 28 ବର୍ଷ ପରେ ସଫଳ ହୋଇଛି । ଏହାଦ୍ୱାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାବାସୀ ଉପକୃତ ହେବେ । ଭଲ ଚାଷ ହେବ, ଅର୍ଥନୀତିରେ ସୁଧାର ଆସିବ । ହେଲେ ଏହି ବହୁପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ବହୁମୂଲ୍ୟ ଦେବାକୁ ପଡିଛି । ଯାହାର ଭରଣା କେମିତି ଓ କେବେ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ଏହି ପ୍ରକଳ୍ପ ପାଇଁ ଏକ ବିରାଟ ଜଙ୍ଗଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏକ ଜୀବନ ଚକ୍ର ସମ୍ପୂର୍ଣ୍ଣ ଭାବରେ ଉଜୁଡି ଯାଇଛି । ଜଙ୍ଗଲରେ ଥିବା ଲକ୍ଷାଧିକ ବହୁମୂଲ୍ୟ ଗଛ କଟିଛି । ପଶୁପକ୍ଷୀ ସହ ମଣିଷ ମଧ୍ୟ ଏଥିରେ କ୍ଷତି ସହିଛନ୍ତି । ଶେଷରେ ଏକ ସନ୍ତୁଳିତ ପରିବେଶ ଉଜୁଡି ଯାଇଛି । ତେବେ ବିକାଶ ନାଁରେ ଧ୍ୱଂସ ହୋଇଥିବା ଏହି ଜଙ୍ଗଲ ଏହି ଜୀବନ ଚକ୍ର କେମିତି ହେବ ଭରଣା ?

ପ୍ରକଳ୍ପ ନଷ୍ଟ କରିଛି ବହୁମୂଲ୍ୟ ସମ୍ପତ୍ତି: ବଲାଙ୍ଗୀର ସହରରୁ 20 କିମି ଦୂରରେ ଥିବା ଲୋୟର ଶୁକତେଲ ନଦୀରେ ବାନ୍ଧ ବାନ୍ଧିବାର ପ୍ରସ୍ତାବ 1996ରେ ନିଆଯାଇଥିଲା । ଅନେକ ବାଦବିବାଦ ପରେ ଏହି ପ୍ରକଳ୍ପ ଦୀର୍ଘ 28 ବର୍ଷ ପରେ ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହେବାରେ ଲାଗିଛି । ଏହାଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର 188ଟି ଗ୍ରାମର 31 ହଜାର 830 ହେକ୍ଟର ଜମିକୁ ପାଣି ମାଡିବ । ଭଲ ଚାଷ ହେବ ଓ ଅର୍ଥନୀତି ବଢିବ । ସେହିପରି ବଲାଙ୍ଗୀର ପାଇଁ ଆଗକୁ ପିଇବା ପାଣିର ମଧ୍ୟ ଅଭାବ ରହିବ ନାହିଁ । ହେଲେ ଏହି ପ୍ରକଳ୍ପ ପାଇଁ ସମସ୍ତଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି । ତାହା ଆଗକୁ ଭରଣା ନହେଲେ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ହୋଇରହିବ ଓ ଏହାର ପ୍ରଭାବ ପିଢ଼ି ପରେ ପିଢ଼ି ଭୋଗିବେ । ଏହି ପ୍ରକଳ୍ପ ପାଇଁ 29 ଖଣ୍ଡ ଗାଁ ବିସ୍ଥାପିତ ହୋଇଛନ୍ତି । ଲୋକେ ନିଜ ଭିଟାମାଟି ଛାଡିଛନ୍ତି । ଏବେ ପ୍ରକଳ୍ପ ଯୋଗୁଁ ଏହି 29 ଖଣ୍ଡ ଗାଁ ପାଣିରେ ବୁଡି ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହେବ । ତେବେ ଆଉ ଏକ ବଡ଼ କ୍ଷତି ହେଉଛି, ଏଠାରେ ଏକ ବିରାଟ ଜଙ୍ଗଲ ମଧ୍ୟ ଧ୍ବଂସ ପାଇଯାଇଛି । ପ୍ରକଳ୍ପ ଯୋଗୁଁ ଲକ୍ଷାଧିକ ଗଛ କଟାଯାଇଛି । ଆବାହମାନ କାଳରୁ ଏଠି ରହିଥିବା ଜଙ୍ଗଲ ଓ ସେଠାରେ ଥିବା ଏକ ଜୀବନଚକ୍ର ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହୋଇଯାଇଛି । ସରକାରୀ ତଥ୍ୟରେ କେବଳ ଜଙ୍ଗଲ ଓ ସେଠାରେ ଥିବା ଗଛ କଟାଯାଇଥିବାର ରିପୋର୍ଟ ଅଛି । ହେଲେ ବୁଡିଥିବା ସବୁ ଗାଁରେ ଥିବା ଗଛ ଓ ଗ୍ରାମ୍ୟ ପତରା ଜଙ୍ଗଲରେ ଥିବା ଗଛର ହିସାବ ନାହିଁ ।

ପଶୁପକ୍ଷୀ-ମଣିଷ ସମସ୍ତେ ପ୍ରଭାବିତ: ଏହି ବିରାଟ ଜଙ୍ଗଲରେ ବନ୍ୟଜନ୍ତୁ ଚିତାବାଘ, ଭାଲୁ ଠାରୁ ନେଇ ଅନେକ ପ୍ରକାର ପଶୁପକ୍ଷୀ ରହୁଥିଲେ । ସେହିପରି ବିଭିନ୍ନ ପ୍ରକାରର ସରୀସୃପଙ୍କର ମଧ୍ୟ ଏହା ଘର ଥିଲା । ତେବେ କେବଳ ବନ୍ୟଜନ୍ତୁ କିମ୍ବା ପଶୁପକ୍ଷୀ ଏହି ଜଙ୍ଗଲ ଉପରେ ନିର୍ଭର କରୁଥିଲେ ତାହା ନୁହେଁ, ଏଠାରେ ସବୁ ଗାଁର ଲୋକେ ମଧ୍ୟ ନିର୍ଭର କରୁଥିଲେ । ବିଶେଷକରି ଜଙ୍ଗଲରୁ ଏଠାକାର ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସହିତ ଜଙ୍ଗଲଜାତ ଦ୍ରବ୍ୟ ଆଣି କିଛି ରୋଜଗାର ମଧ୍ୟ କରୁଥିଲେ । ଯେଉଁଥିରେ ମହୁଲ, ଚେର, ପତ୍ର, କାଠି, ଝାଡୁ ଓ ଔଷଧୀୟ ବନଲତା ଭଳି ଅନେକ ଜିନିଷ ଏହି ଜଙ୍ଗଲ ଯୋଗାଇ ଦେଉଥିଲା । ଏକ ଜୀବନ ଚକ୍ର ଏହି ଜଙ୍ଗଲକୁ ନେଇ ଏଠି ସ୍ଥାପିତ ହୋଇଥିଲା । ହେଲେ ଏହି ଜଙ୍ଗଲ ଏବେ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ତା' ସହ ବିଶୁଦ୍ଧ ପବନ ଓ ପରିବେଶ ଏବଂ ସେହି ଜୀବନ ଚକ୍ର ସମ୍ପୂର୍ଣ୍ଣ ଧ୍ବଂସ ହୋଇଛି । ଏହା ଆଉ କେବେ ଭରଣା ହେବ ନା ନାହିଁ, ତାହା ଏବେ ସନ୍ଦେହରେ । ସେପଟେ ଏହି ଧ୍ବଂସ ହୋଇଥିବା ଜଙ୍ଗଲ ନୂଆ ଓ ଅନ୍ୟତ୍ର ସୃଷ୍ଟି ପାଇଁ କୋଟି କୋଟି ଟଙ୍କା ଦିଆସରିଛି । ହେଲେ ଏହା କେବେ ସଫଳ ହେବ ତାହା ସମୟ ହିଁ କହିବ ।

ସବୁ ହିସାବ ଗୋଳମାଳ: ସରକାରୀ ତଥ୍ୟ ଅନୁସାରେ 1230 ହେକ୍ଟର ଜମିରେ ଏହାର ପାଣି ମାଡିବ । ଯାହା ପାଇଁ ମୋଟ ଜଙ୍ଗଲ ଜମି 583 ହେକ୍ଟର ପାଣିରେ ବୁଡିବ । ସେହିପରି ଏଥିରେ 9 ହଜାର 212ଟି ପରିବାର ବିସ୍ଥାପିତ ହୋଇଛନ୍ତି । ତେବେ କ୍ଷତିଗ୍ରସ୍ତ ଲୋକଙ୍କ ହିସାବ ଥିବାବେଳେ ଏଥିରେ ନଷ୍ଟ ହୋଇଥିବା ଜଙ୍ଗଲ ଦ୍ବାରା ପ୍ରଭାବିତ ବା କ୍ଷତିଗ୍ରସ୍ତ ବନ୍ୟଜନ୍ତୁଙ୍କ ହିସାବ କାହା ପାଖରେ ନାହିଁ । ସେପଟେ ଏଠାରେ ଥିବା ଲକ୍ଷାଧିକ ଗଛ କାଟିବା ପାଇଁ 44.4 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କେତେ ଗଛ କଟିଛି, ତାର ହିସାବ ସଠିକ ନଥିବାବେଳେ ଲକ୍ଷାଧିକ ବହୁମୂଲ୍ୟ ଓ ପୁରୁଣା ଗଛ ସବୁ କଟିଥିବା ଅଭିଯୋଗ ହୋଇଛି । ତେବେ ଏହାର ଭରଣା ପାଇଁ ସରକାର ଜଙ୍ଗଲ ବିଭାଗକୁ ପାଣିରେ ବୁଡିଥିବା 637.68 ହେକ୍ଟର ଜମି ପାଇଁ 823.10 ହେକ୍ଟର ଜମି ଦେଇଛନ୍ତି ।

କ୍ଷତିପୂରଣ ଆକାରରେ ଜଙ୍ଗଲ ବିଭାଗକୁ 159.26 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ନୂଆ ଜଙ୍ଗଲ ତିଆରି କରିବା ପାଇଁ ଗଛ ଲଗାଇବାକୁ ମୋଟ 3991.88 ଲକ୍ଷ ଟଙ୍କା ବଲାଙ୍ଗୀର ଜଙ୍ଗଲ ବିଭାଗକୁ ଜମା ଦିଆଯାଇଛି । ତେବେ ଦିଆଯାଇଥିବା ଟଙ୍କାରେ ଏଯାବତ୍ କେତେ ଗଛ ଓ କେଉଁଠି ଲଗାଯାଇଛି, ତା'ର କୌଣସି ରିପୋର୍ଟ ଏଯାଏଁ ବଲାଙ୍ଗୀର ଜଙ୍ଗଲ ବିଭାଗ ଦେଇନାହିଁ । କେବଳ ଅନ୍ୟ ଜିଲ୍ଲାରେ ଏହି ଜଙ୍ଗଲ ତିଆରି ହେଉଥିବାର ଅସମ୍ପୂର୍ଣ୍ଣ ସୂଚନା ଜଙ୍ଗଲ ବିଭାଗ ଦେଇଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍‌ ।

ଏହା ମଧ୍ୟ ପଢ଼ନ୍ତୁ...ଅନ୍ତିମ ପର୍ଯ୍ୟୟରେ ଶୁକତେଲ ବୃହତ୍ତ ଜଳପ୍ରକଳ୍ପ; କେମିତି ହେଲା ସମ୍ଭବ ? କଣ ଥିଲା ବିବାଦ

ଗ୍ରୀନ ଟ୍ରିବ୍ୟୁନାଲରେ ହୋଇଥିଲା ଅଭିଯୋଗ: ଏହି ଜଙ୍ଗଲ ନଷ୍ଟ ହେବା ବିରୋଧରେ ବଲାଙ୍ଗୀରର ଜଣେ ସାମାଜିକ କର୍ମୀ ତଥା ପରିବେଶବିତ ସତ୍ୟ ବନଛୋର ଭାରତ ଗ୍ରୀନ ଟ୍ରିବ୍ୟୁନାଲରେ ଗତ 2015 ମସିହାରେ ଏକ ମାମଲା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଦାୟର କରିଥିଲେ । ଗ୍ରୀନ ଟ୍ରିବ୍ୟୁନାଲ୍ ଏହାର ଶୁଣାଣି କରି ନୂଆ ଜଙ୍ଗଲ ତିଆରି ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ହେଲେ ଏ ଯାଏଁ ସେ ଜଙ୍ଗଲ କେଉଁଠି ଓ କେବେ ଜଙ୍ଗଲ ବିଭାଗ ତିଆରି କରିଛି, ତାହା କାହାରିକୁ ଜଣାନାହିଁ ବୋଲି କହିଛନ୍ତି ପିଟିସନର ସତ୍ୟ ବନଛୋର । ଏହି ଦିଗରେ ସ୍ପଷ୍ଟତା ଆସୁ ବୋଲି ସେ ଦାବି କରିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲାରେ ଜଙ୍ଗଲ ନଷ୍ଟ ହେବା ଓ ଅନ୍ୟ ଜିଲ୍ଲାରେ ତାର ବନୀକରଣ ହେବା ଦ୍ବାରା ବଲାଙ୍ଗୀରର ନଷ୍ଟ ପରିବେଶ କେମିତି ଭରଣା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

'ଆଉ ଭରଣା ହୋଇପାରିବନି': ସେପଟେ ଲୋୟର ସୁକତେଲ ଅଞ୍ଚଳର ଜଣେ ଅଧିବାସୀ ବଳ ପ୍ରଧାନ କହିଛନ୍ତି, "ଏଠି ଏକ ବିରାଟ ଜଙ୍ଗଲ ଥିଲା । ଆମେମାନେ ପିଲାଦିନରୁ ତାହା ଦେଖି ବଡ଼ ହୋଇଛୁ । ଆମ ଗାଁ ସମେତ 29ଟି ଗାଁର ଲୋକେ ଏହି ଜଙ୍ଗଲ ଉପରେ ନିର୍ଭର କରୁଥିଲେ । ହେଲେ ଏବେ ତାହା ପାଣିରେ ବିଲୀନ ହୋଇଛି ।" ତେବେ ତାହା ଆଉ କେବେ ଭରଣା ହେବ ନାହିଁ ବୋଲି ସେ କହିଛନ୍ତି । ସେହିପରି ବଲାଙ୍ଗୀରର ଜଣେ ଯୁବକ ସନ୍ତୋଷ ପଟ୍ଟନାୟକ ମଧ୍ୟ ବିକାଶ ପାଇଁ ଏତେ ବଡ ଜଙ୍ଗଲ ନଷ୍ଟ କରିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି । ଏହି ଜଙ୍ଗଲ ପାଇଁ ସେଠି ଥିବା ଜୀବନ ଚକ୍ର, ସେହି ପଶୁପକ୍ଷୀ ସବୁ ନଷ୍ଟ ହୋଇଛନ୍ତି ବୋଲି ସେ କହିଛନ୍ତି । ସେହିପରି ଏତେ ବଡ଼ ଜଙ୍ଗଲ ନଷ୍ଟ ହେବା ଦ୍ବାରା ପରିବେଶ ନଷ୍ଟ ହେବା ସାଙ୍ଗକୁ ତାପମାତ୍ରା ମଧ୍ୟ ବଢିଥିବାର ସେ କହିଛନ୍ତି । ଏହା ବଦଳରେ ସରକାର ଶୀଘ୍ର ନୂଆ କୃତ୍ରିମ ଜଙ୍ଗଲ ତିଆରି କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.