ETV Bharat / state

ମହାନଦୀ ଡଙ୍ଗା ଟ୍ରାଜେଡି: ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି, ରାଷ୍ଟ୍ରପତିଙ୍କ ଶୋକ - MAHANADI BOAT CAPSIZES

author img

By ETV Bharat Odisha Team

Published : Apr 20, 2024, 10:24 AM IST

Updated : Apr 20, 2024, 3:22 PM IST

Jharsuguda Mahanadi Boat capsize
Jharsuguda Mahanadi Boat capsize

Jharsuguda Mahanadi Boat capsize Update: ଲଖନପୁର ଡଙ୍ଗାବୁଡି ଘଟଣାରେ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି । ସମସ୍ତ ମୃତକ ଛତିଶଗଡ଼ ବାସିନ୍ଦା । ଶେଷ ହେଲା ଉଦ୍ଧାର କାର୍ଯ୍ୟ । ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Jharsuguda Mahanadi Boat capsize

ଝାରସୁଗୁଡା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଶରଧା ନିକଟରେ ଗତକାଲି(ଶୁକ୍ରବାର) ମହାନଦୀରେ ଡଙ୍ଗା ବୁଡି ଘଟଣାରେ ମୃତ୍ୟୁସଂଖ୍ୟା 8କୁ ବୃଦ୍ଧି ପାଇଛି । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ 7 ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଅପରେସନ ଜାରି ରହିଥିଲା । ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ସହ ଅନ୍ୟ 7 ନିଖୋଜଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ନିଖୋଜ ହୋଇଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି । ସମସ୍ତ ମୃତକ ଛତିଶଗଡର ବାସିନ୍ଦା ଓ ସେମାନେ ପିକନିକ ଆସିଥିବା ଜଣାପଡିଛି । ଏବେ ସୁଦ୍ଧା ପ୍ରାୟ 8 ମୃତଦେହ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ମୃତଦେହଗୁଡିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ପରିଚୟ ସ୍ପଷ୍ଟ କରି ସେମାନଙ୍କ ପରିବାର ସଦସ୍ୟଙ୍କ ସହ ସ୍ଥାନୀୟ ପ୍ରଶାସନର ଟିମ ଯୋଗାଯୋଗ କରୁଛି । ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବ ।

ଏନେଇ ଝାରସୁଗୁଡା ଜିଲ୍ଲାପାଳ କହିଛନ୍ତି,"ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଡଙ୍ଗା ବୁଡ଼ି ଘଟଣାରେ ଏଯାଏଁ 8 ଜଣଙ୍କ ମୃତଦେହ ଉଦ୍ଧାର କରାଗଲାଣି । ଏମାନଙ୍କ ମଧ୍ୟରେ 5 ମହିଳା ଓ 3 ଶିଶୁ ରହିଛନ୍ତି ।" ଦୁର୍ଘଟଣା ଘଟିଥିବା ନଦୀର ଗଭୀରତା 20 ଫୁଟରୁ ଊର୍ଦ୍ଧ୍ବ ହୋଇଥିବା ହେତୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହେଉଥିଲେ ଉଦ୍ଧାରକାରୀ ଦଳ । ଏହି ଉଦ୍ଧାର କାର୍ଯ୍ୟରେ ଚାରି ଗୋଟି ବୋଟ ଏବଂ କ୍ୟାମେରା ସହିତ ସ୍ୱତନ୍ତ୍ର ସ୍କୁଭା ଡ୍ରାଇଭର ନିୟୋଜିତ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳୀରେ ଡାକ୍ତରୀ ଟିମ ଝାରସୁଗୁଡା ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ଝାରସୁଗୁଡା ଅରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର ପଡୋଶୀ ରାଜ୍ୟ ଛତିଶଗଡ଼ ରାୟଗଡର ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମହାନଦୀ ଦୁର୍ଘଟଣା: ଝାରସୁଗୁଡା ଗଲେ 5 ସ୍କୁବା ଡ୍ରାଇଭର, ମୁଖ୍ୟମନ୍ତ୍ରୀଙ୍କ 4 ଲକ୍ଷ ଅନୁକମ୍ପା ସହାୟତା - Jharsuguda Boat tragedy

ସୂଚନା ଅନୁଯାୟୀ,ଗତକାଲି (ଶୁକ୍ରବାର) ଛତିଶଗଡର ଅତରଲିଆ ଅଞ୍ଚଳର କିଛି ଲୋକେ ପିକନିକ୍‌ ପାଇଁ ବରଗଡ ଜିଲ୍ଲା ଅମ୍ବାଭୋନା ସ୍ଥିତ ପଥରସିନୀ ଆସୁଥିଲେ । ଝାରସୁଗୁଡା ଲଖନପୁର ବ୍ଲକ ଶରଧା ନିକଟରେ ଏମାନଙ୍କୁ ଧରି ଆସୁଥିବା ଯାତ୍ରୀବାହୀ ଡଙ୍ଗାଟି କୌଣସି କାରଣବଶତଃ ବୁଡି ଯାଇଥିଲା । ଡଙ୍ଗାରେ ପାଖାପାଖି 50 ଜଣ ଯାତ୍ରୀ ଥିଲେ । 40ରୁ ଅଧିକ ଯାତ୍ରୀଙ୍କୁ ଦୁର୍ଘଟଣା ପରେ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଥିଲା । ସଂଧ୍ୟା ହେବା ପରେ ଉଦ୍ଧାର ଅପରେସନ ସ୍ଥଗିତ ରଖିବାକୁ ପଡିଥିଲା । ଆଜି ସକାଳୁ ପୁଣି ଥରେ ଅପରେସନ ଆରମ୍ଭ ହେବା ପରେ 7 ନିଖୋଜଙ୍କ ମୃତଦେହ ଉଦ୍ଧାର କରିଛି ରେସ୍କ୍ୟୁ ଟିମ ।

ରାଷ୍ଟ୍ରପତିଙ୍କ ଶୋକ: ମହାନଦୀରେ ଡଙ୍ଗା ବୁଡି ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି । ଦ୍ରୌପଦୀ ମୁର୍ମୁ ଟ୍ବିଟ କରି କହିଛନ୍ତି,"ଓଡ଼ିଶାର ଝାରସୁଗୁଡ଼ା ନିକଟରେ ମହାନଦୀରେ ନୌକାବୁଡ଼ି ହେବା ଯୋଗୁଁ ଅନେକ ଲୋକଙ୍କର ପ୍ରାଣହାନି ଘଟିଛି ଜାଣି ମୁଁ ଦୁଃଖିତ । ଶୋକସନ୍ତପ୍ତ ପରିବାରଗୁଡ଼ିକ ପ୍ରତି ମୁଁ ସମବେଦନା ଜ୍ଞାପନ କରୁଛି । ନୌକାବୁଡ଼ିରେ ଆଘାତପ୍ରାପ୍ତ ଲୋକମାନଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।"

ମୁଖ୍ୟମନ୍ତ୍ରୀଙ୍କ ଶୋକ: ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଶୋକ ପ୍ରକାଶ କରିବା ସହିତ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ଲାଗି 4 ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

Last Updated :Apr 20, 2024, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.