ETV Bharat / state

ରାମାୟଣ ସହ ରୁକୁଣା ରଥର ରହିଛି ସମ୍ପର୍କ, ରାମେଶ୍ବରରେ ରାମନବମୀର ମାହାତ୍ମ୍ୟ ଜାଣନ୍ତୁ - Ramayan And Rukuna Rath Connection

author img

By ETV Bharat Odisha Team

Published : Apr 17, 2024, 11:10 PM IST

Ramayan-Rukuna Rath Connection: ରାମେଶ୍ବର ମନ୍ଦିର ସମ୍ମୁଖରେ ଲିଙ୍ଗରାଜଙ୍କ ଭଉଣୀ ରୁକୁଣା ଦୋଳଗୋବିନ୍ଦଙ୍କ ସହ ମିଶି ରାମେଶ୍ବରଙ୍କୁ ଦର୍ଶନ ଦେଇଥାନ୍ତି । ରାମାୟଣ ସହ ରୁକୁଣା ରଥ କ'ଣ ସମ୍ପର୍କ ରହିଛି ଜାଣନ୍ତୁ ।

Ramayan-Rukuna Rath
Ramayan-Rukuna Rath

Ramayan-Rukuna Rath

ଭୁବନେଶ୍ବର: ପବିତ୍ର ରାମ ନବମୀରେ ଭୁବନେଶ୍ୱର ସ୍ଥିତ ରାମେଶ୍ବର ମନ୍ଦିରରେ ହୋଇଛି ଧୁମଧାମରେ ପୂଜାର୍ଚ୍ଚନା । କାରଣ ପବିତ୍ର ଅଶୋକାଷ୍ଟମୀରେ ଲିଙ୍ଗରାଜଙ୍କ ବାହାରିଥିବା ରୁକୁଣା ରଥ ନବମୀରେ ପହଞ୍ଚିବା ପରେ ହୋଇଥାଏ ହରିହର ଭେଟ । ରାମେଶ୍ବର ମନ୍ଦିର ସମ୍ମୁଖରେ ଲିଙ୍ଗରାଜଙ୍କ ଭଉଣୀ ରୁକୁଣା ଦୋଳଗୋବିନ୍ଦଙ୍କ ସହ ମିଶି ରାମେଶ୍ବରଙ୍କୁ ଦର୍ଶନ ଦେଇଥାନ୍ତି ।

ତେବେ ରୁକୁଣା ରଥ ସହ ରାମାୟଣର ରହିଥିବା ସେହି ସମ୍ପର୍କ ବା ସଂଯୋଗ ନେଇ ଲିଙ୍ଗରାଜ ମନ୍ଦିର ସେବାୟତ ରାଜକିଶୋର ମହାପାତ୍ର କହିଛନ୍ତି, "ରାମାୟଣ ସହ ରହିଛି ଏକାମ୍ର କ୍ଷେତ୍ରର ସଂଯୋଗ । କାରଣ ରାମାୟଣରେ ଦଶାନନ ରାବଣ ବଦ୍ଧ ପରେ ରାମଙ୍କୁ ଲାଗିଥିଲା ବ୍ରହ୍ମ ଦୋଷ । ରାବଣ ଭଳି ଜଣେ ନୈଷ୍ଟିକ ବ୍ରାହ୍ମଣଙ୍କୁ ହତ୍ୟା ପରେ ରାମଚନ୍ଦ୍ର ଦୋଷ କ୍ଷମା ପାଇଁ ଶ୍ରୀକ୍ଷେତ୍ର ଆସିଥିଲେ । ସପରିବାର ସହ ଏଠାରେ ଆସି ମହାପ୍ରଭୁ ଲିଙ୍ଗରାଜଙ୍କୁ ଆବାହନ କରିଥିଲେ । ଆଉ ସେହି ସମୟରେ ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରୁ ବାହାରି ରାମେଶ୍ବର ଆସିଥାନ୍ତି । ପଞ୍ଚଦିନାତ୍ମକ ଯାତ୍ରାରେ ଆସି ରାମେଶ୍ବରଙ୍କୁ ଦର୍ଶନ ଦେଇଥାନ୍ତି ।"


"ରାମେଶ୍ବରରେ ଏବେ ବି ରହିଛି ରାମଚନ୍ଦ୍ର, ଦେବୀ ସୀତା, ଲକ୍ଷ୍ମଣେଶ୍ବର, ଶତୃଘ୍ନେଶ୍ବର, ଭରତ ଓ ଲବ କୁଶଙ୍କ ମନ୍ଦିର । ଯେଉଁଠି ଲିଙ୍ଗରାଜଙ୍କ ସହ ଦେବୀ ରୁକୁଣା ଓ ଦୋଳଗୋବିନ୍ଦ ପହଞ୍ଚିବା ପରେ ସେଠାରେ ୨୪ ପ୍ରହର ନାମ ସଂକୀର୍ତ୍ତନ ସହ ପୂଜା ପାଠ ଯଜ୍ଞ ଆଦି ହୋଇଥାଏ । ପୁଣି ୫ ଦିନର ଯାତ୍ରା ସାରି ପୁଣି ଲିଙ୍ଗରାଜ ପ୍ରତ୍ୟାବର୍ତ୍ତନ କରି ଲିଙ୍ଗରାଜ ମନ୍ଦିରକୁ ଫେରିଥାନ୍ତି । ସେଥିପାଇଁ ରୁକୁଣା ରଥକୁ ଅଣ ଲେଉଟା କୁହାଯାଏ। କାରଣ ରଥର ସମ୍ମୁଖ ଭାଗ ରାମେଶ୍ବର ଅଭିମୁଖେ ଯାଇଥାଏ । କିନ୍ତୁ ଫେରିବା ବେଳକୁ ପୁରୀରେ ମନ୍ଦିର ଦକ୍ଷିଣ ମୋଡ ହେଲା ଭଳି ନନେଇ କେବଳ ସିଂହାସନର ଦିଗ ବଦଳାଯାଇଥାଏ । ରଥ ଯେପରି ଯାଇଥାଏ ତାର ପଛ ଭାଗକୁ ସମ୍ମୁଖ ଭାବେ କରାଯାଇ ରଥରେ ଘୋଡ଼ା ଲଗାଇ ପୁଣି ରଥକୁ ଲିଙ୍ଗରାଜ ଅଭିମୁଖେ ଟଣାଯାଇଥାଏ। ତେଣୁ ରୁକୁଣା ରଥଯାତ୍ରା ସହ ରାମାୟଣର ଏହି ମାହାତ୍ମ୍ୟ ଅନେକ ଲୋକ ଜାଣିନଥାନ୍ତି" ବୋଲି କହିଛନ୍ତି ସେବାୟତ।

ଏହା ବି ପଢନ୍ତୁ...ରଥକାଠ ଚିରଟ ପାଇଁ କଟକ ଖପୁରିଆ କରତ କଳ ଗଲା ମହାପ୍ରଭୂଙ୍କ ଆଜ୍ଞାମାଳ ଓ ମହାପ୍ରସାଦ - Ratha Katha Chirat Ritual

ମାଉସୀମା ମନ୍ଦିର କହିଲେ ରାମେଶ୍ବରକୁ ଅନେକ ଲୋକ ଭାବିଥାନ୍ତି । ପୁରୀ ରଥଯାତ୍ରା ପରି ଏହି ରଥରେ ମଧ୍ୟ ଠାକୁର ଲିଙ୍ଗରାଜ ବଳଭଦ୍ର ଭାବେ ବାମ ପାର୍ଶ୍ବରେ ବସିଥାନ୍ତି । ସେହିପରି ଦୋଳଗୋବିନ୍ଦ ବେଶରେ ତ୍ରିମୂର୍ତ୍ତି ରୁକୁଣା ରଥରେ ବସି ଏହି ପଞ୍ଚାଦିନାତ୍ମକ ଯାତ୍ରାରେ ବାହାରି ଆସିଥାନ୍ତି । ରଥ ରାମେଶ୍ବରରେ ପହଞ୍ଚିବା ପରେ ଧୁମଧାମରେ ୫ ଦିନ ଧରି ପୂଜାର୍ଚ୍ଚନା କରାଯାଏ ଓ ଅନେକ ଭକ୍ତି ହରିହର ଭେଟ ଦର୍ଶନ ପାଇଁ ଆସିଥାନ୍ତି । ଯେହେତୁ ମା' ପାର୍ବତୀ ବା ଗୌରୀଙ୍କୁ ଯାତ୍ରାରେ ଆଣି ନଥାନ୍ତି ତେଣୁ ମା' ଗୌରୀ ମଧ୍ୟ ମନ୍ଦିରରୁ ଯାଇ ରଥର ଏକ ଅଂଶ ଭାଙ୍ଗି ଆସିଥାନ୍ତି । ପୁରୀରେ ଯେପରି ମା' ଲକ୍ଷ୍ମୀ ରଥ ଭାଙ୍ଗିବାର ପରମ୍ପରା ରହିଛି ଏଠାରେ ଠିକ ସେହିପରି ରହିଛି। ପଞ୍ଚଦିନାତ୍ମକ ଯାତ୍ରା ସାରି ଫେରିବା ପରେ ଲିଙ୍ଗରାଜ ମା' ଗୌରିଙ୍କ ମାନଭଞ୍ଜନ କରିବାର ପରମ୍ପରା ମଧ୍ୟ ରହିଛି । ପରେ ଚନ୍ଦନ ଯାତ୍ରା ସମୟରେ ମା' ଗୌରୀଙ୍କୁ ସାଥୀରେ ନେବା ପାଇଁ ପ୍ରତିଶୃତି ଦେଇଥାନ୍ତି ଲିଙ୍ଗରାଜ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.