ETV Bharat / state

ହଟିଲା ନିଲମ୍ବନ: କଂଗ୍ରେସକୁ ଫେରିଲେ ମୋକିମ, ଚିରଞ୍ଜୀବ ଓ କୃଷ୍ଣ ସଗରିଆ

author img

By ETV Bharat Odisha Team

Published : Jan 23, 2024, 1:04 PM IST

Updated : Jan 23, 2024, 2:43 PM IST

Congress revokes suspension: ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ହଟାଇଲା କଂଗ୍ରେସ । ଦଳ ବିରୋଧି କାର୍ଯ୍ୟ ଯୋଗୁଁ ନିଲମ୍ବିତ ହୋଇଥିଲେ । ଅଧିକ ପଢନ୍ତୁ

କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ
Congress revokes suspension

MLA Mohammed Moquim

ଭୁବନେଶ୍ବର : ତିନି କଂଗ୍ରେସ ନେତାଙ୍କ ଉପରୁ ହଟିଲା ନିଲମ୍ବନ । ବିଧାୟକ ମହମ୍ମଦ ମୋକିମ, ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ଏନେଇ ପ୍ରଭାରୀ ଅଜୟ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିଲମ୍ବନ ପରେ ତିନି ନେତା ଦଳଠାରୁ ଦୂରେଇ ରହିଥିଲେ । ଆଜି ପୁଣି ସେମାନେ ଦଳରେ ସାମିଲ ହୋଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଦଳକୁ ସୁଦୃଢ କରିବାକୁ ଚେଷ୍ଟା କରୁଛି କଂଗ୍ରେସ । ସେଥିପାଇଁ ନିଲମ୍ବନ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଏବଂ କୃଷ୍ଣଚନ୍ଦ୍ରଙ୍କ ସହ ସୋମବାର ପ୍ରଭାରୀ ଅଜୟ କୁମାର ଆଲୋଚନା କରିଥିଲେ । ଏହାପରେ ସେମାନଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯିବା ନେଇ ଚର୍ଚ୍ଚା ହେଉଥିଲା । ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ତିନି ନେତାଙ୍କ ଉପରୁ ନିଲମ୍ବନ ହଟାଇ ଦିଆଯାଇଛି । ଦଳ ବିରୋଧି କାର୍ଯ୍ୟ ଯୋଗୁଁ ଗତ ବର୍ଷ ଜୁଲାଇ ମାସରେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳ ଦଳରୁ ନିଲମ୍ବିତ ହୋଇଥିଲେ । 6 ମାସ ପରେ ଏବେ ପୁଣି ଘରକୁ ବାହୁଡ଼ିଛନ୍ତି ।

ନିଲମ୍ବନ ହଟିବା ପରେ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, '' ମୁଁ ଦଳରେ ଜଣେ ଶୃଙ୍ଖଳିତ କର୍ମୀ। ନିଲମ୍ବନ ପରେ ମଧ୍ୟ ଦଳର ବ୍ୟାନରରେ କାମ କରିଛି। ମୁଁ କଂଗ୍ରେସ ସହିତ ଥିଲି, ରହିଛି ଆଉ ରହିଥିବି । ଦଳ ଯେଉଁ ଦାୟିତ୍ୱ ଦେବ ତାହା କରିବି। ଦଳକୁ ଆଗକୁ ଆହୁରି ମଜଭୁତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ । ''ତେବେ ଦଳ ଛାଡିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହାର ମଧ୍ୟ ଅନ୍ତ ଘଟାଇଛନ୍ତି ମୋକିମ। ଧର୍ମ ରାଜନିତୀକୁ ନେଇ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି। କଂଗ୍ରେସ ଧର୍ମ ରାଜନିତୀ ଉପରେ ବିଶ୍ୱାସ କରେ ନାହିଁ । ଆଗାମୀ ୩ ମାସ ରାଜ୍ୟରେ କଂଗ୍ରେସକୁ ମଜଭୁତ କରାଯିବ ବୋଲି ମତ ରଖିଛନ୍ତି ମୋକିମ ।

ଏହା ମଧ୍ୟ ପଢନ୍ତୁ-ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ, ମୋକିମ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ

ବାରବାଟୀ-କଟକ ବିଧାୟକ ହେଉଛନ୍ତି ମହମ୍ମଦ ମୋକିମ । ସେହିପରି କଂଗ୍ରେସର ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜଗତସିଂହପୁର ବିଧାୟକ ହେଉଛନ୍ତି ଚିରଞ୍ଜୀବ ବିଶ୍ବାଳ । ଗତ ମେ ମାସରେ ଜୟଦେବ ଭବନରେ ମହମ୍ମଦ ମୋକିମ ଏକ ଅଣରାଜନୈତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥିରେ ଚିରଞ୍ଜୀବ ମଧ୍ୟ ସାମିଲ ହୋଇଥିଲେ। ଏହା ଦଳୀୟ ଅନୁଶାସନକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରି ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଅଖିଳ ଭାରତ କଂଗ୍ରେସ କମିଟି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଭିଯୋଗ ଆଧାରରେ ଏଆଇସିସି ପକ୍ଷରୁ ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଉତ୍ତର ସନ୍ତୋଷଜନକ ନହେବାରୁ ଉଭୟଙ୍କୁ ଦଳରୁ ନିଲମ୍ବିନ କରାଯାଇଥିଲା ।

ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ମହମ୍ମଦ ମୋକିମଙ୍କ ଦ୍ବାରା 'ଜାନକୀ-ବସନ୍ତଙ୍କ ଯୋଡ଼ି ରାଜ୍ୟ କଂଗ୍ରେସର ସୁବର୍ଣ୍ଣ ଯୁଗ' ଶୀର୍ଷକ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୋକିମ ଓ ଚିରଞ୍ଜୀବଙ୍କ ବୟାନକୁ ନେଇ ବିବାଦ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପିସିସି ସଭାପତିଙ୍କୁ ଟାର୍ଗେଟ କରିଥିଲେ ଚିରଞ୍ଜୀବ ବିଶ୍ବାଳ । ସେ କହିଥିଲେ, "ଯିଏ ପିସିସି ସଭାପତି ହେଉଛି, ସେ ଆଉ କାହାକୁ ପଚାରୁନି ।

କୃଷ୍ଣଚନ୍ଦ୍ର ସଗରିଆ 2014ରୁ 2019 ପର୍ଯ୍ୟନ୍ତ କୋରାପୁଟ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ 2019 ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିରେ ଯୋଗଦାନ କରିଥିଲେ । 2019 ବିଧାନସଭା ନିର୍ବାଚନରେ ସେ ଜୟପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ପ୍ରତିଦ୍ବନ୍ଦନ୍ଦ୍ବୀ ଦଳକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ଦଳ । ଦଳକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି କର୍ମୀ ଓ ନେତା । ଏହି ଟାଣୁଆ ନେତା ଦଳକୁ ଫେରିଲେ ନିର୍ବାଚନରେ ବଳ ମିଳିବ ବୋଲି ଦଳ ଆଶାବାଦୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 23, 2024, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.