ETV Bharat / state

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ; ଲୋକାର୍ପିତ ହେବ କ୍ୟାନ୍ସର ହସ୍ପିଟାଲ

author img

By ETV Bharat Odisha Team

Published : Feb 20, 2024, 9:55 AM IST

ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

CM Visit To Bargarh: ଆଜି ବରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର କରିବେ ଉଦଘାଟନ । ଅଧିକ ପଢନ୍ତୁ

ବରଗଡ଼: ଆଜି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ବହୁ ପ୍ରତୀକ୍ଷିତ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ଓ କ୍ୟାନ୍ସର ହସ୍ପିଟାଲର ଉଦଘାଟନ କରିବେ । ଭୁବନେଶ୍ୱରରୁ ହେଲିକ୍ୟାପ୍ଟର ଯୋଗେ ବାହାରି ମୁଖ୍ୟମନ୍ତ୍ରୀ ଦିନ ୧୧ଟା ୫୦ ମିନିଟରେ ବିଜେପୁର ବ୍ଲକ କନାପାଳିଠାରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ । ଏହାପରେ କନାପାଲି ପମ୍ପ ହାଉସ ପରିଦର୍ଶନ କରି ଆୟୋଜିତ ସଭାରେ ସାମିଲ ହେବେ । ସେଠାରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ କରିବେ । ଏହାସହ ଅନ୍ୟ ୫୯ଟି ପ୍ରକଳ୍ପ ଉଦଘାଟନ କରିବା ସହ ୨୧ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ୩୦ ମିନିଟରେ ନବୀନ ନିବାସରୁ ବାହାରି ୧୦ଟା ୩୫ ମିନିଟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ବିମାନ ଯୋଗେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପ ଅଭିମୁଖେ ଆସିବେ । ଦିନ ୧୧ଟା ୩୦ ମିନିଟ୍‌ରେ ପଦ୍ମପୁର ସତୀଭଟା ଏୟାରଷ୍ଟ୍ରିପରୁ ଅନ୍ୟ ଏକ ବିମାନ ଯୋଗେ ୧୧ଟା ୩୫ ମିନିଟ୍‌ରେ ବିଜେପୁର ବ୍ଲକ କନାପାଲି ପମ୍ପ ହାଉସ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ ଅଭିମୁଖେ ଯିବେ । ଉକ୍ତ ହେଲିପ୍ୟାଡ଼ରେ ୧୧ଟା ୫୦ ମିନିଟ୍‌ରେ ପହଞ୍ଚିବେ । ସେଠାରେ ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପର ପମ୍ପ ହାଉସ ପରିଦର୍ଶନ ସହିତ ଉକ୍ତ ପ୍ରକଳ୍ପର ଡେମୋଷ୍ଟ୍ରେଶନ ଦେଖିବାର କାର୍ଯ୍ୟକ୍ରମ ରହିଛି ।

ସେଠାରୁ ନିକଟସ୍ଥ ବିଜେପୁର ଷ୍ଟାଡ଼ିୟମର କାର୍ଯ୍ୟକ୍ରମସ୍ଥଳୀକୁ ଯାଇ ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନୃସିଂହନାଥ ପୀଠ ରୂପାନ୍ତରୀକରଣ ପ୍ରକଳ୍ପ ସହିତ 59 ଗୋଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ 21 ଗୋଟି ନୂତନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସେହିପରି କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ୧୨ଟା ୨୭ ମିନିଟରେ ମୁଖ୍ୟମନ୍ତ୍ରୀ ହେଲିକ୍ୟାପ୍ଟର ଯୋଗେ ସତୀଭଟା ଏୟାରଷ୍ଟ୍ରିପକୁ ଯିବେ ଏବଂ ସେଠାରୁ ପୁଣି ୧୨ଟା ୫୫ମିନିଟ୍‌ରେ ବିମାନ ଯୋଗେ ନବୀନ ନିବାସ ଅଭିମୁଖେ ଫେରିଯିବାର କାର୍ଯ୍ୟକ୍ରମ ରହିଛି l

ଏହା ମଧ୍ୟ ପଢନ୍ତୁ- ପ୍ରତିଶ୍ରୁତି ପୂରଣ କରିବେ ନବୀନ, ଆସନ୍ତାକାଲି ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବରଗଡ଼ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବରଗଡ଼ ଏସପି ପ୍ରହଲ୍ଲାଦ ସାହାଇ ମିନା ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ବ୍ୟବସ୍ଥା, ଭାରି ଯାନ ସହିତ ଦୁଇଚକିଆ ଓ ଚାରିଚକିଆ ଯାନବାହାନ ଗୁଡିକର ପାର୍କିଂ ବ୍ୟବସ୍ଥା ସଠିକ ଭାବେ କରାଯାଇଛି । ସେହିପରି ଟ୍ରାଫିକ ଅବ୍ୟବସ୍ଥା ଯେପରି ନ ହେବ ସେନେଇ ରୁଟ ଲାଇନିଂ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ହେଲିପ୍ୟାଡରେ ପୋଲିସ ବାହିନୀର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବରଗଡ଼ ଏସପି l ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦ ଜଣ ଡିଏସପି, ୩୦ ଜଣ ଇନ୍ସପେକ୍ଟର, ୧୦୦ ଜଣ ଏସ.ଆଇ ଓ ଏ.ଏସ.ଆଇ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ବରଗଡ଼ ଏସପି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.