ETV Bharat / state

ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ; ରୂପାନ୍ତରଣରେ ଝଲସୁଛି ମା'ଙ୍କ ମନ୍ଦିର

author img

By ETV Bharat Odisha Team

Published : Jan 27, 2024, 7:14 AM IST

SAMALEI Project Inauguration: ଆଜି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଶୁଭ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସକାଳ ସାଢେ ୮ଟାରୁ ଆରମ୍ଭ ହେବ ଯଜ୍ଞ । ଅଧିକ ପଢନ୍ତୁ

Etv Bharat
Etv Bharat

ସମ୍ବଲପୁର: ଆଜି ଲୋକାର୍ପଣ ହେବ ବହୁ ପ୍ରତୀକ୍ଷିତ ଐତିହାସିକ ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ମଧ୍ୟାହ୍ନରେ ପ୍ରକଳ୍ପର ଶୁଭ ଲୋକାର୍ପଣ ହେବ । ଏଥିପାଇଁ ଆଜି(ଶନିବାର) ସକାଳ ସାଢେ ୮ଟାରୁ ମା' ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ଯଜ୍ଞ ଆରମ୍ଭ ହେବ । ସାଢେ ୧୨ଟାରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଞ୍ଚିବେ । ମଧ୍ୟାହ୍ନ ୧୨ଟା ୫୦ ଘଟିକାରେ ପ୍ରକଳ୍ପର ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ମନ୍ଦିରରେ ପାଖାପାଖି ଘଣ୍ଟାଏ କାଳ ରହିବାର କାର୍ଯ୍ୟକ୍ରମ ରହିଛି ।

ସମଲେଇ ପ୍ରକଳ୍ପରେ ମା' ସମଲେଶ୍ବରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଯାହାକି ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ଦେବ । ପ୍ରଥମେ ୪.୪୨ ଏକର ଜମିରେ ମାଆଙ୍କ ମନ୍ଦିର ଥିବାବେଳେ ସମଲେଇ ପ୍ରକଳ୍ପରେ ଆଜି ପ୍ରାୟ ୪୦ ଏକର ଜମିରେ ପରିବ୍ୟାପ୍ତ ହୋଇଛି । ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ମନ୍ଦିର ଚତୁଃପାର୍ଶ୍ବରେ ସୁଉଚ୍ଚ ତୋରାଣ, ଐତିହାସିକ କରିଡର, ଶୌଚାଳୟ, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହାନଦୀ ଘାଟର ଉନ୍ନତିକରଣ, ରିଙ୍ଗ ରୋଡ ସୌନ୍ଦର୍ଯ୍ୟକରଣ, ଫୁଟ୍ ଓଭରବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; ଲୋକଙ୍କ ଆସ୍ଥା ଓ ବିଶ୍ଵାସର ପ୍ରାଣ କେନ୍ଦ୍ର ମା' ସମଲେଶ୍ବରୀ

ସମଲେଶ୍ବରୀ ପୀଠକୁ ଆସୁଥିବା ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରତି ପ୍ରାଥମିକତା ଦିଆଯାଇଛି । ମନ୍ଦିରର ମୁଖ୍ୟ ଦ୍ବାର, ଯେଉଁପଟେ ପ୍ରବେଶ କରାଯିବ ତା' ସମ୍ମୁଖରେ ଜୋତା, ଚପଲ ଷ୍ଟାଣ୍ଡର ବ୍ୟବସ୍ଥା ରହିବ । ଭକ୍ତ ଶ୍ରଦ୍ଧାଳୁମାନଙ୍କ ଧାଡି ଦର୍ଶନ ପାଇଁ ବ୍ୟାରିକେଟିଂ ବ୍ୟବସ୍ଥା ସହ ଖରା ବର୍ଷାରୁ ରକ୍ଷା ପାଇଁ ବ୍ୟବସ୍ଥା ରହିଛି । ମନ୍ଦିରର ଉତ୍ତର ପାର୍ଶ୍ବରେ ରହିଛି ମିଶନ ଶକ୍ତି କାଫେ । ଏହି କାଫେକୁ ଦୁଇଟି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ପରିଚାଳନା ଦାୟିତ୍ବ ପାଇଥିବା ବେଳେ ଏଠାରେ ଖାଣ୍ଟି ସମ୍ବଲପୁରିଆ ଘରୋଇ ଖାଦ୍ୟ ଉପଲବ୍ଧ ହେବ । ଏହା ନିକଟରେ ରହିବ ସୂଚନା କେନ୍ଦ୍ର, ଭେଣ୍ଡିଂ ଜୋନ ।

ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ବ୍ୟାଟେରୀ ଚାଳିତ ଗାଡିର ବ୍ୟବସ୍ଥା ହୋଇଛି । ପାର୍କିଂର ସୁବ୍ୟବସ୍ଥା ସହିତ ମନ୍ଦିର ପରିସରରେ ସ୍ବତନ୍ତ୍ର ଗ୍ରୀନ କରିଡରର ବ୍ୟବସ୍ଥା ରହିଛି । ସମଲେଇ ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ଆଉ ୨୦୦ କୋଟିର ପ୍ୟାକେଜ ଘୋଷଣା କରିଥିଲେ ରାଜ୍ୟ ସରକାର । ସମଲେଇ ପ୍ରକଳ୍ପ ମାଧ୍ୟମରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନର ବିକାଶକୁ ଗୁରୁତ୍ବ ଦିଆଯାଇଛି ।

ଆଜି ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ୩୫ ପ୍ଲାଟୁନ ଫୋର୍ସ ଓ ୧୫୦ ଜଣ ଅଫିସର ନିୟୋଜିତ ହେବ । ସମ୍ବଲପୁର ସହରର ସୁରକ୍ଷା ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ସାଧାରଣ ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ପ୍ରକାଶ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.