ETV Bharat / state

ସାନ୍ଦୁଲ, ମନଯୋର ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦଘାଟିତ

author img

By ETV Bharat Odisha Team

Published : Feb 14, 2024, 8:06 AM IST

ସାନ୍ଦୁଲ ବ୍ୟାରେଜ, ମନଯୋର ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦଘାଟିତ
ସାନ୍ଦୁଲ ବ୍ୟାରେଜ, ମନଯୋର ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ ଉଦଘାଟିତ

Irrigation Projects Inaugurated: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରକଳ୍ପଗୁଡିକ ହେଲା କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ ଏବଂ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ । ଅଧିକ ପଢନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାରେ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡିକ ହେଲା, କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୋଳ ଜିଲ୍ଲାର ମନଯୋର ଜଳସେଚନ ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ସିଷ୍ଟମ । ଏହି ପ୍ରକଳ୍ପଗୁଡିକ ମାଧ୍ୟମରେ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ । ୩୨ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ ।

ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି । ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୂର୍ଣ୍ଣ ହୋଇଛି । ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି । ଏହାଦ୍ୱାରା କଟକ ଜିଲ୍ଲାର ଆଠଗଡ ଓ ତିଗିରିଆ ବ୍ଲକ ଏବଂ ଢେଙ୍କାନାଳ ବ୍ଳକର ୧୫ ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିଛି । ସେହିପରି ଆଠମଲ୍ଲିକରେ ମନଯୋର ପ୍ରକଳ୍ପର ସଂପ୍ରସାରଣ ସଂପୂର୍ଣ୍ଣ ହୋଇଛି । ଏହାଦ୍ୱାରା ଆଠମଲ୍ଲିକ ବ୍ଲକ ଓ ଏନଏସିର ୨୮ଟି ଗାଁର ୫ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିଛି ।

ଅଧିକ ପଢନ୍ତୁ- ଆଇକନିକ ଓଡିଶା ଆଦର୍ଶ ବିଦ୍ୟାଳୟ ଉଦଘାଟିତ; ପଢିବେ ହଜାରେରୁ ଅଧିକ ଛାତ୍ରଛାତ୍ରୀ

ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଶେଷ ହୋଇଛି । ଜଳସେଚନ ପାଇଁ ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ଦେଇଛନ୍ତି । ଏହାଦ୍ୱାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକର ୨୯ଟି ଗାଁର ୧୨,୫୦୦ ଏକର ଚାଷ ଜମିକୁ ଜଳସେଚନ ସୁବିଧା ମିଳିପାରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 5T ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି । ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ ବଡ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀର କଲ୍ୟାଣ ଓ କୃଷିର ବିକାଶକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଭୁବନେଶ୍ୱରରେ ଚାଷୀଙ୍କୁ ଭେଟି ଆଲୋଚନା କରୁଛି । କାଳିଆ, ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା, ମାଗଣାରେ ଫସଲବୀମା, କାଳିଆ ଛାତ୍ରବୃତ୍ତି ଏବଂ ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି । ବିଭିନ୍ନ କଲ୍ୟାଣକାରୀ ଓ ବିକାଶମୂଳକ ଯୋଜନା ସହ ରାଜ୍ୟର ଚାଷୀ ପରିବାର ଯୋଡି ହୋଇରହିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଷୀ ପରିବାରର ମାଆମାନେ ସବୁଠାରୁ ଅଧିକ ସାମିଲ ହୋଇଛନ୍ତି । ନୂଆ କାର୍ଯ୍ୟକ୍ରମ ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଲକ୍ଷ୍ମୀ ଯୋଜନାରେ ଚାଷୀମାନେ ସବୁଠାରୁ ଅଧିକ ଉପକୃତ ହେବେ ।

ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଚାଷୀର ଉନ୍ନତି ଓ ସମୃଦ୍ଧିକୁ ଗୁରୁତ୍ୱ ଦେଇ ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁଁ ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ବଳରେ ଆଜି ରାଜ୍ୟର କେବଳ ପୁରୁଷ ଚାଷୀ ନୁହେଁ, ମହିଳା ଚାଷୀ ମଧ୍ୟ କୃଷି କ୍ଷେତ୍ରରେ ସଫଳତା ପାଉଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ୫୦ ବର୍ଷ ମଧ୍ୟରେ ଜଳସେଚନ କ୍ଷେତ୍ରରେ ଯାହା ହୋଇନଥିଲା, ତାହା ୨୪ ବର୍ଷ ମଧ୍ୟରେ ହୋଇଛି । ଜଳସେଚନ କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣି ମୁଖ୍ୟମନ୍ତ୍ରୀ ତାହା କରି ଦେଖାଇଛନ୍ତି । ଯଦି ଚାଷ ଜମିକୁ ସଠିକ ଭାବେ ଜଳସେଚନ ଯୋଗାଇ ଦିଆଯିବ ତେବେ କୃଷକର ସବୁ ସମସ୍ୟା ଦୂର ହୋଇଯିବ । ଏହି କଥାକୁ ହୃଦୟଙ୍ଗମ କରି ମୁଖ୍ୟମନ୍ତ୍ରୀ ଜଳସେଚନ କ୍ଷେତ୍ରର ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ।

5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ‘ନୂଆ-ଓ ଛାତ୍ରବୃତ୍ତି’ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଛାତ୍ରଙ୍କ ପାଇଁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ବାର୍ଷିକ ବୃତ୍ତି ରହିଛି । ଯୋଜନା ବିଷୟରେ ଘରେ ପିଲାମାନଙ୍କୁ ଜଣାନ୍ତୁ ଓ ଏହାର ସୁଯୋଗ ଲାଭ କରନ୍ତୁ । ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଜଳ ସମ୍ପଦର ବିକାଶକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ପ୍ରକଳ୍ପ 5T ଉପକ୍ରମରେ ଆରମ୍ଭ ହୋଇ ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଶେଷ ହୋଇଛି । କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପଗୁଡିକ ଚାଷୀଙ୍କ ପାଇଁ ବହୁ ଉପଯୋଗୀ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.