ETV Bharat / state

ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; "୪୮ ଘଣ୍ଟାରେ ସମାଧାନ କର ପାନୀୟ ଜଳ ସମସ୍ୟା"

author img

By ETV Bharat Odisha Team

Published : Feb 14, 2024, 11:27 AM IST

Updated : Feb 14, 2024, 12:25 PM IST

Chief Secretary Meeting
ମୁଖ୍ୟ ଶାସନ ସଚିବଙ୍କ ବୈଠକ

Chief Secretary Meeting: ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ଆସିବାର ୪୮ ଘଣ୍ଟାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ମୁଖ୍ୟ ଶାସନ ସଚିବଙ୍କ ବୈଠକ

ଭୁବନେଶ୍ବର: ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ପାନୀୟ ଜଳ ସମସ୍ୟା ନେଇ ଅଭିଯୋଗ ଆସିବାର ୪୮ ଘଣ୍ଟାରେ ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଓ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପର ସ୍ଥିତି ସମୀକ୍ଷା କରାଯାଇଛି । ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସଂପର୍କରେ ବିଶଦ ଭାବେ ଉପସ୍ଥାପନ କରିଥିଲେ । ବିଜ୍ଞାନ ଓ କାରିଗରୀ ବିଭାଗ ତରଫରୁ ବିଭିନ୍ନ ଜିଲ୍ଲାରେ ଲୋକାର୍ପିତ ହେବାକୁ ଥିବା ଓ ଶିଳାନ୍ୟାସ ହେବାକୁ ଥିବା ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ ଗୁଡ଼ିକର ସ୍ଥିତି ଉପସ୍ଥାପନ କରାଯାଇଛି । ଜିଲ୍ଲାପାଳମାନଙ୍କୁ କ୍ଷେତ୍ର ପରିଦର୍ଶନ କରି ଏହାର ପ୍ରସ୍ତୁତି ଅନୁଧ୍ୟାନ କରିବା ସହିତ ଲୋକାର୍ପଣ ପରବର୍ତ୍ତୀ ପରିଚାଳନା ସଂପର୍କରେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟାଙ୍କ-ସିଏସପି: ବ୍ୟାଙ୍କ ସୁବିଧା ନଥିବା ଗ୍ରାମାଞ୍ଚଳର ୨ୟ ପର୍ଯ୍ୟାୟରେ ଆରମ୍ଭ ହେବାକୁ ଯାଉଛି ଆମ ବ୍ୟାଙ୍କ-ସିଏସପି । ଏଥିପାଇଁ ଆଉଟଲେଟ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ପରିପ୍ରେକ୍ଷୀରେ ଘର, ଭିତ୍ତିଭୂମି, ଇଣ୍ଟରନେଟ ସଂଯୋଗୀକରଣ ଓ ବିଦ୍ୟୁତ ଶକ୍ତି ଆଦି ସମସ୍ୟାର ସମାଧାନ ପୁର୍ବକ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ବୈଠକରେ ବୁଣାକାରଙ୍କୁ ସହାୟତା ନେଇ ଆଲୋଚନା ହୋଇଛି । ଆଗାମୀ ପର୍ଯ୍ୟାୟରେ ଅନ୍ୟ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଲକ୍ଷ୍ମୀ ଯୋଜନା । ଯୋଜନାରେ ବସ ପରିବହନ ସେବା, ଆମ ବସଷ୍ଟାଣ୍ଡ ଯୋଜନାରେ ବସ ଷ୍ଟାଣ୍ଡଗୁଡିକର ପରିଚାଳନା ସଂପର୍କରେ ଆଲୋଚନା କରାଯାଇଛି ।

କୃଷିକୁ ଗୁରୁତ୍ବ: ବୈଠକରେ ଭାରତ ସରକାରଙ୍କ ଇଏଆରଏଏସ ଯୋଜନାରେ ରାଜ୍ୟରେ କ୍ଷୁଦ୍ର ଶସ୍ୟ ଫସଲ ସର୍ବେକ୍ଷଣ ପାଇଁ କୃଷି ଭିତ୍ତିକ ତଥ୍ୟ ସଂଗ୍ରହକୁ ଗୁରୁତ୍ୱ, କୃଷି ପରିସଂଖ୍ୟାନ ପ୍ରସ୍ତୁତିରେ ଆବଶ୍ୟକ ତଦାରଖ ଓ ସହଯୋଗ କରାଯିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସାମାଜିକ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଓ ସହାୟତା ରାଶି ପରିମାଣ ବୃଦ୍ଧି କରାଯାଇଥିବାରୁ ଏହାକୁ ଠିକ ଭାବରେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାରେ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ପ୍ରକଳ୍ପର ଅଗ୍ରଗତି, ଚୟନ କରାଯାଇଥିବା ପ୍ରକଳ୍ପରେ ରହୁଥିବା ସମସ୍ୟାର ସମାଧାନ କରି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

48 ଘଣ୍ଟାରେ ଅଭିଯୋଗ ସମାଧାନ: ପିଏମଏଓ୍ୱାଇ ଗ୍ରାମୀଣ ଯୋଜନାରେ ଆବଣ୍ଟିତ ଆବାସ ସମ୍ପୂର୍ଣ୍ଣ, ପାନୀୟ ଜଳ ଯୋଗାଣ ବସୁଧା ଯୋଜନାର ସୁଫଳ ଯେପରି ଲୋକମାନେ ପାଇପାରିବେ । ସେଥିପ୍ରତି ବସୁଧା ସହାୟତା ନମ୍ବରର ବହୁଳ ପ୍ରଚାର ପ୍ରସାର ଓ ଏହାର ଉପଯୋଗ ପାଇଁ ଜନସଚେତନା ଉପରେ ଗୁରୁତ୍ୱ ଦିଆଯାଇଛି । ପାଇପ ଯୋଗେ ପାନୀୟ ଜଳ ସମସ୍ୟା, ମରାମତି ଆଦି ସଂପର୍କିତ ଅଭିଯୋଗକୁ ୪୮ ଘଣ୍ଟା ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିବର୍ଷ ଅଧିକରୁ ଅଧିକ କୁଶଳୀ ମାନବ ସମ୍ବଳ ଆବଶ୍ୟକତା ରହୁଥିବାରୁ ଏ ଦକ୍ଷତା ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ।

ଜିଲ୍ଲାପାଳମାନେ ନୂଆ ଓଡିଶା ଅଧିନରେ ଜିଲ୍ଲା ଦକ୍ଷତା କେନ୍ଦ୍ର ଚିହ୍ନଟ କରିବାକୁ କୁହାଯାଇଛି । ଜିଲ୍ଲାରେ ମଡେଲ କ୍ୟାରିଅର ସେଣ୍ଟରଗୁଡିକୁ ଅଧିକ କ୍ରିୟାଶୀଳ କରାଯିବାକୁ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୁଦକ୍ଷା ଯୋଜନାରେ ସରକାରୀ ଆଇଟିଆଇ ଓ ପଲିଟେକନିକରେ ଅଧିକ ଛାତ୍ରୀମାନଙ୍କ ନାମଲେଖାକୁ ଗୁରୁତ୍ୱ ଦିଆଯାଇଛି । ଜିଲ୍ଲାପାଳମାନେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ପ୍ରତିମାସରେ ସେଚ ସମୀକ୍ଷା କରିବାକୁ ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଏବଂ ପର୍ଯ୍ୟଟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତିକରଣ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ବାଣିଜ୍ୟ ଓ ପରିବହନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଊଷା ପାଢ଼ୀ, ବିଜ୍ଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଯୋଗଦେଇ ଥିବାବେଳେ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ବରିଷ୍ଠ ପଦାଧିକାରୀମାନେ ଭିସି ବୈଠକରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 14, 2024, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.