ETV Bharat / state

ଭୋଟ ହାର ବୃଦ୍ଧି ପାଇଁ ବ୍ୟାପକ ହେଉ ସଚେତନତା କାର୍ଯ୍ୟକ୍ରମ: ମୁଖ୍ୟ ନିର୍ବାଚନ ଅଧିକାରୀ - Chief Electoral Officer Meeting

author img

By ETV Bharat Odisha Team

Published : Apr 8, 2024, 9:23 PM IST

Chief Electoral Officer Meeting: ରାଜ୍ୟରେ ଭୋଟ ହାର ବୃଦ୍ଧି ପାଇଁ ଭୋଟର ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢ଼ନ୍ତୁ

ଭୋଟ ହାର ବୃଦ୍ଧି ପାଇଁ ବ୍ୟାପକ ହେଉ ସଚେତନତା କାର୍ଯ୍ୟକ୍ରମ
ଭୋଟ ହାର ବୃଦ୍ଧି ପାଇଁ ବ୍ୟାପକ ହେଉ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି (ସୋମବାର) ଆୟୋଜିତ ହୋଇଛି ବିଭିନ୍ନ ଜିଲ୍ଲାର ଏସଭିଇଇପି ନୋଡାଲ ଅଫିସରଙ୍କ ସହିତ ବୈଠକ । ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ହାତକୁ ନିଆଯାଇଥିବା ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ନିର୍ବାଚନର ପର୍ବ ଦେଶର ଗର୍ବ । ଏକକାଳୀନ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରନ୍ତୁ । ଦେଶ ପାଇଁ ନିଜର କର୍ତ୍ତବ୍ୟ ନିର୍ବାହ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ରାଜ୍ୟରେ ଭୋଟ ହାର ବୃଦ୍ଧି ପାଇଁ ନୂତନ କୌଶଳ ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଯୋଜନାବଦ୍ଧ ଭାବେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉ । ଏଥିପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ, ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ ନୋଡାଲ ଅଧିକାରୀ ତଥା ସଂପୃକ୍ତ ସମସ୍ତ କର୍ମକର୍ତ୍ତାଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସହରାଞ୍ଚଳରେ ରହୁଥିବା ଭୋଟରଙ୍କୁ ଲକ୍ଷ୍ୟ କରି ପଦକ୍ଷେପ ନିଆଯାଉ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଭଳି ବଡ଼ ବଡ଼ ସହରରେ ମତଦାନ ହାର କମ ରହୁଛି । ତେଣୁ ଏହି ସହରାଞ୍ଚଳରେ ରହୁଥିବା ଭୋଟରମାନଙ୍କର ନିର୍ବାଚନରେ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ଛଡା ମାର୍ଗଦର୍ଶିକା ଅନୁଯାୟୀ, ମତଦାନ ତାରିଖ ପୂର୍ବରୁ ବୁଥ ସ୍ତରରୁ ପ୍ରତି ଭୋଟରଙ୍କୁ ସେମାନଙ୍କ ମତଦାନ ତାରିଖ, ସ୍ଥାନ ସଂପର୍କରେ ଅବଗତ କରାଯିବ । ଏହି ଉଦ୍ଦେଶ୍ୟରେ ଭୋଟର ସୂଚନା ସ୍ଲିପ ପ୍ରଦାନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ନିର୍ବାଚନରେ ଭୋଟରମାନଙ୍କ ବହୁଳ ଅଂଶଗ୍ରହଣ ସହିତ ନୈତିକ ଓ ବିବେକାନୁମୋଦିତ ମତଦାନ ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ୱ ଆରୋପ କରିଛନ୍ତି । ଯୁବ, ମହିଳା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭୋଟରମାନଙ୍କ ନିର୍ବାଚନରେ ଅଂଶଗ୍ରହଣ ପାଇଁ ନିଆ ଯାଇଥିବା ପଦକ୍ଷେପ ବାବଦରେ ସମୀକ୍ଷା ହୋଇଛି । ମତଦାନ କେନ୍ଦ୍ରରେ ହୁଇଲ ଚେୟାର ବ୍ୟବସ୍ଥା, ସ୍ୱେଚ୍ଛାସେବୀ ନିୟୋଜନ, ବୁଥମାନଙ୍କରେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ସମୀକ୍ଷା ହୋଇଛି । ଅତ୍ୟାବଶ୍ୟକୀୟ ସେବା ଓ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ, ପୋଲିସ ବିଭାଗର ଅଧିକାରୀ ଓ କର୍ମଚାରୀ, ମୋଟର ଯାନ କର୍ମଚାରୀ କିପରି ମତଦାନ କରିପାରିବେ, ସେ ଦିଗରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ବିଗତ ନିର୍ବାଚନରେ ମତଦାନ ହାର କମ ରହୁଥିବା ଅଞ୍ଚଳରେ କିପରି ମତଦାନ ହାର ବୃଦ୍ଧି ପାଇବ ସେ ସଂପର୍କରେ ସୁଚିନ୍ତିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ମତଦାନ କେନ୍ଦ୍ରରେ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଭାରତ ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପଦେଷ୍ଟା ଡ. ସାଧନା ରାଉତ ଉଦବୋଧନ ଦେଇଛନ୍ତି । ଓଡ଼ିଶାରେ ବିଭିନ୍ନ ଜିଲ୍ଲା ପରିଦର୍ଶନବେଳେ ଭୋଟର ସଚେତନତା ଦିଗରେ ନିଆଯାଇଥିବା ପଦକ୍ଷେପ ସନ୍ତୋଷଜନକ ବୋଲି ସେ କହିଛନ୍ତି । ଏହାସହ ଏ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ସମସ୍ତଙ୍କ ସହଯୋଗରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିପୁଳ ମତଦାନ ଦେଶର ସଫଳ କାହାଣୀ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ବରଗଡ଼ରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କଲେ CEO, ଆଦର୍ଶ ଏବଂ ସଖି ବୁଥକୁ ଗୁରୁତ୍ବ - CEO VISITS BARGARH


ଆଜିର ଏହି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ଭାରତ ନିର୍ବାଚନ ଆୟୋଗଙ୍କ ଉପ ସଚିବ ଲବକୁଶ ଯାଦବ ବୈଠକରେ ମତ ଉପସ୍ଥାପନ କରିଛନ୍ତି । ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଧନ୍ୟବାଦ ଅର୍ପଣ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାର ଏସଭିଇଇପି ନୋଡାଲ ଅଫିସରମାନେ ନିଜ ନିଜ ଜିଲ୍ଲାର ଭୋଟର ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.