ETV Bharat / state

ମହୋତ୍ସବ ପରେ ମହାପ୍ରଭୁ ଅଲୋଡ଼ା, ଜଗନ୍ନାଥଙ୍କ ପ୍ରତି ଗଭୀର ଅସମ୍ମାନ ନେଇ ବିଜେପିର ପ୍ରତିବାଦ

author img

By ETV Bharat Odisha Team

Published : Feb 2, 2024, 10:14 PM IST

ମହାପ୍ରଭୁଙ୍କୁ  ଅସମ୍ମାନ
ମହାପ୍ରଭୁଙ୍କୁ ଅସମ୍ମାନ

Disrespect To Lord Jagannath In Bhadrak: ମହୋତ୍ସବ ସରିଯିବା ପରେ ମହାପ୍ରଭୁ ଜଗନ୍ନାଥ ଅଲୋଡ଼ା । ପୂଜାର୍ଚ୍ଚନାରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଦିନ ଦିନ ଧରି ପଡିରହିବା ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ସୃଷ୍ଟି କରିଛି । ଅଧିକ ପଢ଼ନ୍ତୁ

ମହାପ୍ରଭୁଙ୍କୁ ଅସମ୍ମାନ

ଭଦ୍ରକ: ମହୋତ୍ସବ ସରିଯିବା ପରେ ମହାପ୍ରଭୁ ଜଗନ୍ନାଥ ଅଲୋଡ଼ା । ଯାହାକି ମହାପ୍ରଭୁଙ୍କ ପ୍ରତି ଗଭୀର ଅସମ୍ମାନ । ଖୋଲା ପଡିଆରେ କୁଢ଼ କୁଢ଼ ଅଳିଆ ଆବର୍ଜନା ପରିବେଶରେ ବିନା ପୂଜାର୍ଚ୍ଚନାରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ଦିନ ଦିନ ଧରି ପଡିରହିବା ଘଟଣା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ସୃଷ୍ଟି କରିଛି । ଏହାର ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଭଦ୍ରକ ଜିଲ୍ଲା ବିଜେପି ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାର ଲୋକ ମହୋତ୍ସବ ଭଦ୍ରାୟଣୀ ଶେଷ ହୋଇଛି । ଓରମାସ ଏବଂ ଜିଲ୍ଲା ପ୍ରଶାସନ ସହଭାଗିତାରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ଅନେକ ସ୍ଵୟଂ ସହାୟକ ଗୋଷ୍ଠୀ ସହ ବିଭିନ୍ନ ଦୋକାନ ବଜାର ମଧ୍ୟ ଖୋଲିଥିଲା । ବଲିଉଡ ଏବଂ ଓଲିଉଡ଼ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭଦ୍ରକ ନେହେରୁ ଷ୍ଟାଡିୟମ ଫାଟି ପଡୁଥିଲା । ହେଲେ ମେଳା ସରିଯିବା ପରେ ପରିତ୍ୟକ୍ତ ମେଳା ପଡିଆରେ ଅଦରକାରୀ ଜିନିଷ ଭାବେ ପଡିରହିଲେ ମଞ୍ଚରେ ପୂଜିତ ହେଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ଯେଉଁ ମଞ୍ଚରେ ମହାପ୍ରଭୁଙ୍କୁ ଧୂପଦୀପ ଲଗାଇ କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା, ସେହି ବଡ଼ ଠାକୁରଙ୍କୁ ଖୋଲା ପଡିଆରେ ଅତ୍ୟନ୍ତ ପରିତ୍ୟକ୍ତ ଭାବେ ଫିଙ୍ଗିଦେଇ ଚାଲିଗଲେ ଆୟୋଜକ । ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି ।

ସେପଟେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ଜିଲ୍ଲା ପ୍ରଶାସନର ଚେତା ପଶିଥିଲା । କାହାକୁ କିଛି ନଜଣାଇ ପରିତ୍ୟକ୍ତ ମେଳା ପଡିଆରୁ ମହାପ୍ରଭୂଙ୍କ ପ୍ରତିମୂର୍ତ୍ତି ଜିଲ୍ଲା ପ୍ରଶାସନ ଉଠାଇ ନେଇଛି । ତେବେ ପ୍ରଶାସନର ଏହି କାରନାମାକୁ ଅତ୍ୟନ୍ତ କଠୋର ଭାଷାରେ ସମାଲୋଚନା କରିଛନ୍ତି ଜଗନ୍ନାଥପ୍ରେମୀ । ଯେଉଁ ଉତ୍ସବ ମଞ୍ଚରେ ସ୍ଥାନିତ ମହାପ୍ରଭୁଙ୍କୁ ପୂଜା କଲା ପରେ ଉତ୍ସବର ଅୟମାରମ୍ଭ ହୋଇଥିଲା, ସରିଯିବ ପରେ ସେହି ବଡ଼ ଠାକୁର କିପରି ଅଲୋଡ଼ା ହୋଇଗଲେ ବୋଲି ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି । ଯାହାକୁ ପ୍ରତିବାଦ କରି ଆଜି ଭଦ୍ରକ ବିଜେପି ପକ୍ଷରୁ ସ୍ଥାନୀୟ ନେହେରୁ ଷ୍ଟାଡିଅମରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଭଦ୍ରକ ଜିଲ୍ଲାପାଳ ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କ ସମ୍ମୁଖରେ କ୍ଷମା ପ୍ରାର୍ଥନା କରିବା ସହ ମହୋଦଧିରେ ବୁଡ଼ ପକାଇବାକୁ ଚେତାବନୀ ଦେଇଛି ଭଦ୍ରକ ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ.....ଜଗନ୍ନାଥଙ୍କ ପ୍ରେମରେ 'ଜଗନ୍ନାଥ': ମନ୍ଦିର ନିର୍ମାଣରେ ଲଗାଇଲେ ଜୀବନ ଯାକର ସଞ୍ଚିତ ଧନ

ପ୍ରକାଶ ଥାଉକି ଭଦ୍ରକର ନେହେରୁ ଷ୍ଟାଡିୟମରେ ଜାନୁଆରୀ 25 ରୁ 29 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମେଳା ସରିଯିବା ପରେ ଜଣେ ପରେ ଜଣେ ସମସ୍ତେ ବିଦା ହୋଇଗଲେ। ଦୋକାନ ବଜାର ଉଠିଗଲା, ଟେଣ୍ଟ ଏବଂ ଲାଇଟ ଖୋଲି ନିଆଗଲା । ହେଲେ ବଡ଼ ଠାକୁରଙ୍କୁ ଖୋଲା ପଡିଆରେ ଅତ୍ୟନ୍ତ ପରିତ୍ୟକ୍ତ ଭାବେ ଫିଙ୍ଗିଦେଇ ଚାଲି ଯାଇଥିଲେ ଆୟୋଜକ । ଯାହାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଇଛି । ହେଲେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.