ETV Bharat / state

ନିର୍ବାଚନ ପାଇଁ ତରବରିଆ ଭାବେ ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର: ବିଜେପି

author img

By ETV Bharat Odisha Team

Published : Jan 24, 2024, 10:37 PM IST

ଓଡ଼ିଆ ବିଶ୍ବବିଦ୍ୟାଳୟ
ଓଡ଼ିଆ ବିଶ୍ବବିଦ୍ୟାଳୟ

Odia University Inauguration: ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଶିକ୍ଷକ ଅଭାବ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ଅଧିକ ପଢ଼ନ୍ତୁ

ଓଡ଼ିଆ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ଵବିଦ୍ୟାଳୟ । ଏହାକୁ ଭର୍ଚ୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ଓଡିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଶିକ୍ଷକ ଅଭାବ ନେଇ ସରକାରଙ୍କୁ ସମାଲୋଚନା କରିଛି ବିଜେପି । ରାଜ୍ୟରେ ଶିକ୍ଷକ ଅଭାବଥିବା ବେଳେ ସରକାର ଆଗାମୀ ନିର୍ବାଚନ ପାଇଁ ତରବରିଆ ଭାବେ ବିଶ୍ବବିଦ୍ୟାଳୟ ଉଦଘାଟନ କରୁଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେପି ।

ତେବେ ଏକ ସମ୍ବାଦିକ ସମ୍ମିଳନୀ କରି ବିଜେପି ନେତା ରମାରଞ୍ଜନ ବଳିଆରସିଂ କହିଛନ୍ତି, "ଓଡ଼ିଶାରେ ସତ୍ୟବାଦୀରେ ଓଡିଆ ବିଶ୍ବବିଦ୍ୟାଳୟର ସୌଧ ଉଦ୍‌ଘାଟିତ ହେବା ଆନନ୍ଦର ବିଷୟ । ଓଡିଆ ଭାଷା, ସଂସ୍କୃତି, ଐତିହ୍ୟ ଅତ୍ୟନ୍ତ ପୁରାତନ । ନୂଆପଡା ଯୋଗୀମଠ ଓଡିଆ ଶୀଳାଲିପି ପ୍ରାୟ ୧୦ ହଜାର ବର୍ଷ ତଳର ବୋଲି ଅନୁମାନ କରାଯାଏ । ସେହିପରି ବଲାଙ୍ଗୀର ଜିଲ୍ଲାର ବିକ୍ରମଖୋଲ ଶୀଳାଲିପି ପ୍ରାୟ ୩୬ ଶହ ବର୍ଷ ପୂର୍ବର ବୋଲି ବିଚାର କରାଯାଏ । ବ୍ୟାସକବି ଫକୀର ମୋହନ ଓଡିଆ ଭାଷା ଆନ୍ଦୋଳନ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ଅପରପକ୍ଷରେ ଓଡିଆ ବା ଓଡିଶା ପରିବର୍ତ୍ତେ ନୂଆ- ଓ ଓଡିଆ ଭାଷାର ଅପପ୍ରୟୋଗ କରିଛନ୍ତି ସରକାର। କିନ୍ତୁ ତୃଣମୂଳସ୍ତର ଠାରୁ ଆରମ୍ଭ କରି ବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଓ ସରକାରୀସ୍ତର ପର୍ଯ୍ୟନ୍ତ ଓଡିଆ ଭାଷାର ପ୍ରଚଳନ ଉନ୍ନୟନ ଗୁରୁତ୍ବକୁ ଅଣଦେଖା କରାଯାଇଛି । ବିଜେଡି ସରକାରର ଓଡିଆ ଭାଷା ପ୍ରୀତି ଅତ୍ୟନ୍ତ ହାସ୍ୟାସ୍ପଦ ।"

ଏହା ମଧ୍ୟ ପଢ଼ନ୍ତୁ......ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଲୋକାର୍ପିତ, ଓଡ଼ିଆ ଭାଷାର ଗାରିମା ବଖାଣିଲେ ନବୀନ

ତେବେ ବିଜେପି କହିଛି ଯେ, ଏହି ବିଶ୍ବବିଦ୍ୟାଳୟ ଗତ ୨୭ ନଭେମ୍ବର ୨୦୧୭ରୁ ଓଡିଆ ବିଶ୍ବବିଦ୍ୟାଳୟ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ ୬ ରୁ ୭ବର୍ଷ ବିତିଲା ପରେ ବି ଓଡିଆ ବିଶ୍ବବିଦ୍ୟାଳୟ କାର୍ଯ୍ୟ ପୂର୍ଣ୍ଣାଙ୍ଗ ନହୋଇ ଅଧାପନ୍ତରିଆ ଉଦ୍‌ଘାଟନ ହେବା ଦୁର୍ଭାଗ୍ୟଜନକ । ଓଡିଆ ବିଶ୍ବବିଦ୍ୟାଳୟ ପାଇଁ ମାତ୍ର ୯ ଏକର ଜମି ! ମାତ୍ର ୯ ଏକର ଜମି ଏବଂ ୭୨ ଛାତ୍ରଛାତ୍ରୀ ଓ ତିନୋଟି ବିଷୟ ନେଇ ଓଡିଆ ବିଶ୍ବବିଦ୍ୟାଳୟ ଆରମ୍ଭ ହେବା କେତେଦୂର ଯୁକ୍ତିଯୁକ୍ତ ଓଡିଶାବାସୀ ଜାଣନ୍ତୁ । ସେହିପରି ସେଠାରେ ଥିବା ଏକ ଷ୍ଟାଡିୟମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସରକାର ସବୁ ଷ୍ଟାଡିୟମକୁ ରୂପାନ୍ତରିତ କରିଛନ୍ତି ହେଲେ ବିଶ୍ବବିଦ୍ୟାଳୟର ଷ୍ଟାଡିୟମ ସେମିତି ପଡିରହିଛି । ସବୁଠୁ ବଡ଼ କଥା ହେଲା ଯଦି ରାଜ୍ୟ ସରକାରଙ୍କ ଇଚ୍ଛା ଅଛି ତାହେଲେ ଜମି ଅଧିଗ୍ରହଣ କାହିଁକି କରିନାହାନ୍ତି । ଖାଲି ବିଶ୍ବବିଦ୍ୟାଳୟ ଉଦଘାଟନ କରିଦେଲେ ସରକାର, ଆଉ କିଛି ହୋଇନାହିଁ । ଉଦଘାଟନ ଉତ୍ସବରେ ସ୍ଵୟଂ ସହାୟକ ମହିଳାମାନଙ୍କୁ ଆଣି ଉଦଘାଟନ କରିଛନ୍ତି ଯାହାକୁ ବିଜେପି ନିନ୍ଦା କରିଛି । ଏ ସରକାର କେବଳ ନିର୍ବାଚନ ଭେଳିକି । କିନ୍ତୁ ଏହାର ଜବାବ ଲୋକମାନେ ନିଶ୍ଚିତ ଦେବେ ବୋଲି କହିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.