ETV Bharat / state

କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ଆଜିଠୁ ୩ମାସ ବନ୍ଦ ଭିତରକନିକା - Bhitarkanika Closed

author img

By ETV Bharat Odisha Team

Published : May 1, 2024, 1:08 PM IST

କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ଆଜିଠୁ ୩ମାସ ବନ୍ଦ ଭିତରକନିକା
କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ଆଜିଠୁ ୩ମାସ ବନ୍ଦ ଭିତରକନିକା

Bhitarkanika Closed: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା । ଅଧିକ ପଢନ୍ତୁ,

କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ, ଆଜିଠୁ ୩ମାସ ବନ୍ଦ ଭିତରକନିକା

କେନ୍ଦ୍ରାପଡା: ଆଜି ଠାରୁ ବନ୍ଦ ହେଲା ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । ତିନିମାସ ପାଇଁ ଭିତରକନିକାରେ ପଡିଲା ତାଲା । ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ ପ୍ରକାର କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ବନ୍ଦ ରହିବ କୁମ୍ଭୀର ମାନଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଭିତରକନିକା । ଆଜିଠାରୁ ଅର୍ଥାତ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ପର୍ଯ୍ୟଟକ ମାନଙ୍କ ପାଇଁ ବନ୍ଦ ରହିବ ।

ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୩ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଜାତୀୟ ଉଦ୍ୟାନ ଭିତରକନିକାକୁ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି । ଏହି ୩ ମାସ ଭିତରକନିକା ଭିତରେ ବୋଟ ଚଳାଚଳ ମଧ୍ୟ କରିବ ନାହିଁ କାରଣ ବୋଟ ଚଳାଚଳ କରିବା ଦ୍ବାରା କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି ।

କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ପରେ ମା' କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି । ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି ମା'କୁମ୍ଭୀରମାନେ।ଅଣ୍ଡାଦାନ ପରେ ମା'କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଅଧିକ ଥାଏ । ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ କୁମ୍ଭୀର ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଏହି ତିନିମାସ ଭିତରକନିକା ବନ୍ଦ ରହିଥାଏ । ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀ ମାନେ ସତର୍କତାର ସହ ନଦୀରେ ଚଳପ୍ରଚଳ ହେବା ପାଇଁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତବର୍ଷ ଜାନୁଆରୀ ମାସରେ ୧୧ଦିନ ପର୍ଯ୍ୟନ୍ତ କୁମ୍ଭୀର ଗଣନା ପାଇଁ ଭିତରକନିକା ମଧ୍ୟକୁ ପର୍ଯ୍ୟଟକ ବାରଣ ରହିଥିଲା । ବିଶ୍ୱର କୋଣ ଅନୁକୋଣରୁ ଜ୍ଞାନ ଆହରଣ ପାଇଁ ଭିତରକନିକାକୁ ଗତ କିଛି ବର୍ଷ ଧରି ପର୍ଯ୍ୟଟକ ମାନଙ୍କ ଆଗମନ ହେଉଥିବା ବେଳେ ଏବେ ଏଥିରେ ସାମୟିକ ବିରାମ ଲାଗିବ । ତେବେ ପର୍ଯ୍ୟଟକ ମାନେ ଜୈବ ବିବିଧତା ତଥା ଉପକୂଳର ସୁରକ୍ଷା ପ୍ରାଚୀର ଭିତରକନିକା ମଧ୍ୟରେ ଥିବା ଲୁଣା ଜଙ୍ଗଲକୁ ଅନୁଭବ କରିବା,ବଉଳା କୁମ୍ଭୀର ମାନଙ୍କ ଜୀବନ ପ୍ରକ୍ରିୟା, ବୋଟ ଲାଇବ୍ରେରୀ, ଉପାଦେୟ ନର୍ସରି ଆଦି ଦେଖିବାରୁ ଏବେ ବଞ୍ଚିତ ହେବାକୁ ଥିବା ବେଳେ ଆସନ୍ତା ଅଗଷ୍ଟ ୧ ତାରିଖରୁ ପୁଣିଥରେ ପର୍ଯ୍ୟଟକ ମାନେ ଏହି ସୁବିଧା ପାଇପାରିବେ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।


ଏହା ମଧ୍ୟ ପଢନ୍ତୁ: ଖୁସି ଖବର ଦେଲା ଭିତରକନିକା, ବଢିଛି କୁମ୍ଭୀର ସଂଖ୍ୟା


ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.