ETV Bharat / state

ସଫା ହେଲାଣି ଜଙ୍ଗଲ, ଚେଇଁ ଶୋଇଛି ବୌଦ୍ଧ ବନ ବିଭାଗ ! ତାତିଲେ ଲୋକେ - Corruption Against Forest Dept

author img

By ETV Bharat Odisha Team

Published : Mar 25, 2024, 10:31 AM IST

ଦୁର୍ନୀତି ଅଭିଯୋଗ
ଦୁର୍ନୀତି ଅଭିଯୋଗ

Corruption Allegation Against Boudh Forest Dept: କାଠ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ଉପରେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରାଯାଇଛି । ଏପରିକି ଦିନକୁ ଦିନ ଜଙ୍ଗଲ ସଫା ହେବାକୁ ବସିଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳବାସୀ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଦୁର୍ନୀତି ଅଭିଯୋଗ

ବୌଦ୍ଧ: ହ୍ରାସ ପାଇବାରେ ଲାଗିଛି ବୌଦ୍ଧ ଜିଲ୍ଲାର ଜଙ୍ଗଲ । ଏକଦା ସବୁଜିମାରେ ଭରପୁର ଥିବା ଜଙ୍ଗଲ ବର୍ତ୍ତମାନ କାଠ ମାଫିଆ ଓ ଗଞ୍ଜେଇ ମାଫିଆଙ୍କ ଯୋଗୁଁ ପଦା ହେବାକୁ ବସିଲାଣି । ଏହାର ସିଧାସଳଖ ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ପଡୁଥିବା ବେଳେ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ କରାଯାଇଛି । ଏନେଇ ଜନସାଧାରଣ ସିଧାସଳଖ ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ଏହି ବାବଦରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଚାଲିଛି ମାଫିଆଙ୍କ ରାଜୁତି । ଜିଲ୍ଲାର ବିଭିନ୍ନ ଜଙ୍ଗଲ ସଫାକରି ସେଠାରେ ବେଆଇନ ଗଞ୍ଜେଇ ଚାଷ ହେଉଥିବା ବେଳେ ପ୍ରତ୍ୟେକ ଦିନ ମୂଲ୍ୟବାନ ଗଛକୁ କାଟି ନେଉଛନ୍ତି ମାଫିଆ । ଏପରିକି ଏସବୁ ଅନୈତିକ କାର୍ଯ୍ୟକଳାପରେ ଖୋଦ ବନଖଣ୍ଡ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଭିନ୍ନ ସଂଗଠନ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଥିବା ଜିଲ୍ଲାର ବିଭିନ୍ନ ଜଙ୍ଗଲ ବର୍ତ୍ତମାନ ମାଫିଆଙ୍କ କବଳରେ ରହିଛି । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ କାଠ ଓ ଗଞ୍ଜେଇ ମାଫିଆମାନେ ସକ୍ରିୟ ହୋଇ ଉଠିଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅଧିକାଂଶ ସମୟରେ ବିଭିନ୍ନ ଆଳ ଦେଖାଇ ଜଙ୍ଗଲ ଅଞ୍ଚଳକୁ ଆଦୌ ଯାଉନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ବୌଦ୍ଧ ବନାଞ୍ଚଳ ସମେତ ମନମୁଣ୍ଡା ଓ କଣ୍ଟାମାଳ ବନାଞ୍ଚଳର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଏକର ଜଙ୍ଗଲକୁ ମାଫିଆ ମାନେ ସଫା କରି ସେଠାରେ ବେଆଇନ ଗଞ୍ଜେଇ ଚାଷ କରୁଥିବା ଅଭିଯୋଗ କରାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ.... ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ, ଚିନ୍ତାରେ ବୌଦ୍ଧ ଜିଲ୍ଲା ଚାଷୀ - Rabi Crop Damaged Due To Heavy Rain

ଏତେ ପରିମାଣରେ ବେଆଇନ ଗଞ୍ଜେଇ ଚାଷ ହେଉଥିଲେ ମଧ୍ୟ ବନ ବିଭାଗର କର୍ମଚାରୀ ଓ ଅଧିକାରୀ କିଭଳି ଜାଣି ପାରୁନାହାନ୍ତି ସେନେଇ ଉଠିଛି ପ୍ରଶ୍ନବାଚୀ । ଜଙ୍ଗଲ ସମ୍ପଦ ନଷ୍ଟ ହେବା ସହିତ ଜଙ୍ଗଲ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଶିକାର ମଧ୍ୟ ବୃଦ୍ଧି ପାଉଛି । ବିଗତ ଦିନରେ ବୌଦ୍ଧ ବନଖଣ୍ଡରେ ଲଗାତାର ଭାବରେ ତିନୋଟି ହାତୀଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ସମୟରେ ଜଙ୍ଗଲ ଅଞ୍ଚଳରେ ମାଂସ ପାଇଁ ବନ୍ୟଜନ୍ତୁଙ୍କ ଶିକାର ହେଉଥିଲେ ମଧ୍ୟ ଅଭିଯୋଗ ହୋଇଛି ।

ବନ ବିଭାଗ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା କୁହାଯାଇଛି । ଏନେଇ ସଚେତନ ନାଗରିକ ମାନେ ସିଧାସଳଖ ବନଖଣ୍ଡ ଅଧିକାରୀଙ୍କ ଆଡ଼କୁ ଆଙ୍ଗୁଠି ଉଠାଇବା ସହିତ ବନ ବିଭାଗର ବିଭିନ୍ନ କାର୍ଯ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ବୌଦ୍ଧ ଜିଲ୍ଲାର ବହୁ ଚର୍ଚ୍ଚିତ କାମ୍ପା ଦୁର୍ନୀତି ଠାରୁ ନେଇ ମନରେଗା, ଉଦ୍ୟାନ ଭଳି ବିଭିନ୍ନ ବନୀକରଣ ନାଁରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ନେଇ ବର୍ତ୍ତମାନ ସମୟରେ ସଚେତନ ନାଗରିକଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟପାଳ ଓ ମୁଖ୍ୟ ଶାସନସଚିବଙ୍କ ନିକଟରେ ଅଭିଯୋଗ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.