ETV Bharat / state

ଆସିଲାଣି ୫୪୮ ଅଭିଯୋଗ, ୪୪୯ରେ କାର୍ଯ୍ୟାନୁଷ୍ଠାନ: ସିଇଓ - MCC violation complaints

author img

By ETV Bharat Odisha Team

Published : May 3, 2024, 6:31 PM IST

MCC violation complaints
MCC violation complaints (ETV BHARAT ODISHA)

MCC violation complaints: ମାର୍ଚ୍ଚ ୧୬, ୨୦୨୪ରୁ ଦେଶ ତଥା ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଓଡ଼ିଶାରେ ମାର୍ଚ୍ଚ ୧୬ ତାରିଖରୁ ମେ' ୨ ତାରିଖ ମଧ୍ୟରେ ସର୍ବମୋଟ ୫୪୮ଟି ଅଭିଯୋଗ ଆସିଥିବାବେଳେ ଏହା ମଧ୍ୟରୁ ୪୪୯ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ । ମାର୍ଚ୍ଚ ୧୬ ତାରିଖରୁ ମେ ୨ ତାରିଖ ମଧ୍ୟରେ ସର୍ବମୋଟ ୫୪୮ଟି ଅଭିଯୋଗ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଛି । ଏହା ମଧ୍ୟରୁ ୪୪୯ଟି ଅଭିଯୋଗ ଉପରେ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅବଶିଷ୍ଟ ୯୯ଟି ଅଭିଯୋଗର ମଧ୍ୟ ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଦେଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ୨୦୨୪ ମାର୍ଚ୍ଚ ୧୬ ତାରିଖରୁ ହିଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଓଡ଼ିଶାରେ ଲୋକସଭା ଓ ବିଧାନସଭା ଉଭୟ ନିର୍ବାଚନ ପାଇଁ ଉକ୍ତ ଦିନରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରଠାରୁ ଏହାର ଉଲ୍ଲଙ୍ଘନ ସଂକ୍ରାନ୍ତୀୟ ଅନେକ ଆପତ୍ତି ଅଭିଯୋଗ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଆସିଛି । ଏହି ସମସ୍ତ ଅଭିଯୋଗଗୁଡ଼ିକ ଉପରେ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି । ଆଦର୍ଶ ଆଚରଣ ବିଧି ସମୟରେ ରାଜନୈତିକ ଦଳମାନଙ୍କ ଆଚରଣ, ରାଜନୈତିକ ସଭା, ରାଲି, ନିର୍ବାଚନୀ ଇସ୍ତାହାର, ମତଦାନ ଦିବସ, ମତଦାନ କେନ୍ଦ୍ର, କ୍ଷମତାସୀନ ଦଳଙ୍କ କାର୍ଯ୍ୟକଳାପ ଆଦି ବିଷୟରେ ବ୍ୟବହାର ନିର୍ଦ୍ଦିଷ୍ଟ କରାଯାଇଥିବା ସେ କହିଛନ୍ତି ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, "କୌଣସି ସ୍ତର ଓ ବ୍ୟକ୍ତିଙ୍କ ଦ୍ବାରା ଏହାର ଉଲ୍ଲଙ୍ଘନ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣଙ୍କ ତରଫରୁ ଅଭିଯୋଗ କରାଯାଉଛି । କିଛି କ୍ଷେତ୍ରରେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏହି ସଂକ୍ରାନ୍ତୀୟ ଅନେକ ପ୍ରସ୍ତାବ ଆସିଛି । ୨୦୨୪ ମାର୍ଚ୍ଚ ୧୬ ତାରିଖରୁ ମେ' ୨ ତାରିଖ ମଧ୍ୟରେ ସର୍ବମୋଟ ୫୪୮ଟି ଅଭିଯୋଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଛି । ଏହା ମଧ୍ୟରୁ ୪୪୯ଟି ଅଭିଯୋଗ ଉପରେ ବିଧି ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି । ଅବଶିଷ୍ଟ ୯୯ଟି ଅଭିଯୋଗର ମଧ୍ୟ ସମୀକ୍ଷା ଚାଲିଛି ଓ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ...ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ୧୬୫୭୧.୮୮ ଲକ୍ଷ ଟଙ୍କା ଓ ସାମଗ୍ରୀ ଜବତ: ସିଇଓ - CEO

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ଆଦର୍ଶ ଆଚରଣ ବିଧି ଅନୁପାଳନ ସହ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରାଥମିକତା ରହିଛି । ଏହି ବିଧିର ଉଲ୍ଲଙ୍ଘନ ପ୍ରତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଶୂନ୍ୟ ସହନଶୀଳତା ରହିଛି । ସି-ଭିଜିଲ ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମଧ୍ୟ ଜନସାଧାରଣ ବହୁସଂଖ୍ୟକ ଅଭିଯୋଗ ଆଣୁଛନ୍ତି । ଶୀଘ୍ର ସେସବୁର ସମାଧାନ ମଧ୍ୟ କରାଯାଉଛି । ଏଭଳି ପଦକ୍ଷେପଗୁଡ଼ିକ ଦ୍ବାରା ଏକ ଶୃଙ୍ଖଳାପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରାଯାଉଛି । ସ୍ବଚ୍ଛ, ମୁକ୍ତ, ଅବାଧ, ନିରପେକ୍ଷ, ତ୍ରୁଟିଶୂନ୍ୟ ଓ ଶୃଙ୍ଖଳାଯୁକ୍ତ ନର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି ଓ ଗୌରବ । ମତଦାନ ଦ୍ବାରା ସମସ୍ତେ ଏହି ମହୋତ୍ସବରେ ସାମିଲ ହେବା ଉଚିତ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.