ETV Bharat / state

ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ଗୋପରେ ବସ୍ତ୍ରହରଣ କଲେ କୃଷ୍ଣ, ମଥୁରାରେ କଂସଙ୍କ ରଙ୍ଗସଭା

author img

By ETV Bharat Odisha Team

Published : Jan 21, 2024, 3:49 PM IST

Bargarh Dhanu Yatra
ବରଗଡ଼ ଧନୁଯାତ୍ରା

Bargarh Dhanu Yatra: ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ଓ ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅପରପକ୍ଷେ, କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ସନ୍ଦେଶ ପ୍ରସ୍ତୁତ ହୋଇଛି । ଅଧିକ ପଢନ୍ତୁ

ବରଗଡ଼ ଧନୁଯାତ୍ରା

ବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଦେଖିବାକୁ ମିଳିଥିଲା ରୋମାଞ୍ଚକର ଦୃଶ୍ୟ । ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ରାସଲୀଳା ଓ ଗୋପୀଙ୍କ ବସ୍ତ୍ରହରଣ ଦୃଶ୍ୟ ଦେଖିବାକୁ ମିଳିଥିଲା । ଦୃଶ୍ୟ କିଛି ଏପରି ଥିଲା, ଗୋପପୁରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାସଲୀଳା ଲାଗିଥିବାବେଳେ ଗୋପୀମାନେ ଯମୁନା ପାର୍ ହୋଇ ମଥୁରାକୁ ଦହି ବିକିବାକୁ ଯାଉଛନ୍ତି । ଏହି ସମୟରେ ଗୋପୀ ଓ ରାଧାଙ୍କ ସହ ନଟଖଟିଆ କାହ୍ନୁ ନୃତ୍ୟ ଗୀତରେ ବେଶ ମସଗୁଲ ହୋଇଯାଇଛନ୍ତି । କେତେବେଳେ ରାଧାଙ୍କ ଠାରୁ ଦୂରେଇ ଯାଉଛନ୍ତି ତ କେତେବେଳେ ରାଧାଙ୍କୁ କରୁଛନ୍ତି ପ୍ରେମ ନିବେଦନ । ଯମୁନା ନଈରେ ଗୋପୀମାନେ ସ୍ନାନ କରୁଥିବା ବେଳେ ସେମାନଙ୍କ ବସ୍ତ୍ରହରଣ କରିଛନ୍ତି ନଟବର କୃଷ୍ଣ । ପରେ ଗୋପୀମାନେ ବହୁ କାକୁତି ମିନତି ହୋଇ କୃଷ୍ଣଙ୍କୁ ନିବେଦନ କରିବା ପରେ ସେ ଗୋପୀଙ୍କ ବସ୍ତ୍ର ଫେରାଇ ଦେଇଥିଲେ ।


ଏହି ୧୧ ଦିନ ଧରି ଚାଲିଥିବା ଧନୁଯାତ୍ରାର ପ୍ରମୁଖ ଭାଗ ହେଉଛି ଗୋପପୁର ଅମ୍ବାପାଲିରେ ହେଉଥିବା କୃଷ୍ଣଲୀଳା । ଦ୍ୱାପର ଯୁଗର ସେଇ ପୁରାଣ ବଣ୍ଣିତ କୃଷ୍ଣଲୀଳାକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥାଏ । ଏଠାରେ ଲୋକଙ୍କ ଶ୍ରଦ୍ଧା ଓ ପ୍ରଭୁଙ୍କ ପ୍ରତି ଥିବା ଭକ୍ତିର ଝଲକ ଦେଖିବାକୁ ମିଳିଥାଏ । ଏହି ଧରାପୃଷ୍ଠରେ ଶ୍ରୀକୃଷ୍ଣଙ୍କ ବାଣୀ ଜନମାନସରେ କୃଷ୍ଣପ୍ରେମ ଓ କୃଷ୍ଣ ଚେତନା ଭରିଦିଏ ।


ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନ ଥିଲା ଅତି ରୋମାଞ୍ଚଭରା । ଅନ୍ୟପଟେ ମଥୁରା ନରେଶ ମହାରାଜ କଂସଙ୍କୁ ବିବ୍ରତ କରି ପକାଉଛି ସେହି ଦୈବବାଣୀ । 'ତତେ ମାରିବ ଯିଏ ଗୋପରେ ବଢ଼ୁଛି ସିଏ' ଆଉ ଏହାପରେ ମହାରାଜ କଂସ , ଭଣଜା କୃଷ୍ଣଙ୍କୁ ମାରିବା ପାଇଁ ରଚିଛନ୍ତି ଷଡଯନ୍ତ୍ର ଏବଂ ଆୟୋଜନ କରିଛନ୍ତି ରଙ୍ଗସଭା । ଏହି ସଭାରେ ମହାରାଜଙ୍କ ନିମନ୍ତ୍ରଣ ପାଇ ମିତ୍ରପକ୍ଷ ରାଜ୍ୟର ବହୁ ରାଜା ମଥୁରା ରାଜଦରବାରକୁ ଆସିଛନ୍ତି । ମଗଧ ରାଜା ଜରାସନ୍ଧଙ୍କ ସହ ଶିଶୁପାଳ , ନରକାସୁର, ପରି ବଡ଼ ବଡ଼ ଯୋଦ୍ଧାମାନେ ମହାରାଜ କଂସଙ୍କୁ ଆଶ୍ୱାସନା ଦେଇଛନ୍ତି । କୃଷ୍ଣଙ୍କୁ ମାରିବା ପାଇଁ ପ୍ରେରିତ ହୋଇଥିବା ରାକ୍ଷସ ଗୋପପୁରରେ ଶ୍ରୀକୃଷ୍ଣଙ୍କ ହାତରେ ଗୋଟିଏ ପରେ ଗୋଟିଏ ନିହତ ହେବା ଖବର କଂସକୁ ଚିନ୍ତାରେ ପକାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ...ଷଷ୍ଠ ଦିନରେ ଧନୁଯାତ୍ରା, ମଥୁରା ନଗରୀ ଥାନାକୁ ପହଞ୍ଚି ଅପରାଧୀଙ୍କୁ ଦଣ୍ଡିତ କଲେ ମହାରାଜ କଂସ

ବାରମ୍ବାର କୃଷ୍ଣ ନାମ ଶୁଣିବାକୁ କଂସ ବାରଣ କରି ଭଣଜାକୁ କଳେ ବଳେ କୌଶଳେ ମାରିବାକୁ ଯୋଜନା କରିଛନ୍ତି । ପଡ଼ୋଶୀ ରାଜ୍ୟର ରାଜାଙ୍କ ଆଶ୍ୱାସନାରେ ଉତଫୁଲ୍ଲିତ ହୋଇ ମହାରାଜ କଂସ ରାଜଦରବାରରେ ନୃତ୍ୟଗୀତର ଆୟୋଜନ କରିଛନ୍ତି । ଧନୁଯାତ୍ରାର ସପ୍ତମ ଦିନରେ ମଥୁରାରେ କୃଷ୍ଣବଳରାମଙ୍କୁ ଧରି ଆସିବା ପାଇଁ ନନ୍ଦରାଜାଙ୍କ ଉଦ୍ଦେଶ୍ୟରେ ମହାରାଜ କଂସଙ୍କ ସନ୍ଦେଶ ପ୍ରସ୍ତୁତ ହୋଇଛି । ଆଉ ଏହି ପ୍ରେରିତ ସନ୍ଦେଶ ନେଇ ମନ୍ତ୍ରୀ ଅକୃରଙ୍କ ଗୋପପୁର ଗମନ ହୋଇଛି। ଏହାପରେ ରାଧାକୃଷ୍ଣଙ୍କ ନାବକେଳି ଦୃଶ୍ୟ ଅଭିନୀତ ହେବାର ପରମ୍ପରା ରହିଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.