ETV Bharat / state

ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ, ଦିଲ୍ଲୀରୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା

author img

By ETV Bharat Odisha Team

Published : Jan 26, 2024, 1:30 PM IST

Updated : Jan 26, 2024, 3:36 PM IST

ସାଧାରଣତନ୍ତ୍ର ଦିବସ
Republic Day

Republic Day 2024: ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

75th Republic Day
75th Republic Day

ଭୁବନେଶ୍ବର: ଆଜି ଦେଶ ପାଳୁଛି 75ତମ ସାଧାରଣତନ୍ତ୍ର ଦିବସ । କାଶ୍ମୀରରୁ କନ୍ୟା କୁମାରୀ ସବୁଠି ଉଡୁଛି ତ୍ରିରଙ୍ଗା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଜିଲ୍ଲାସ୍ତରୀୟ ସମାରୋହରେ ସାମିଲ ହୋଇ ପତାକା ଉତ୍ତୋଳନ କରିଛନ୍ତି । କଳାହାଣ୍ଡି, ନୂଆପଡା, ସମ୍ବଲପୁର, ଜଗତସିଂହପୁର, ନବରଙ୍ଗପୁର, ଭଦ୍ରକ ଜିଲ୍ଲାରେ ପାଳିତ ହୋଇଯାଇଛି ଗଣତନ୍ତ୍ର ଦିବସ ।

ନୂଆପଡା ଜିଲ୍ଲାର ମିନି ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି 75ତମ ସାଧାରଣତନ୍ତ୍ର ଦିବସ । ମୁଖ୍ୟ ଅତିଥି ଭାବରେ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ରିତା ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଜିଲ୍ଲାର ସାମଗ୍ରିକ ବିକାଶ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ନାରୀ ଶସକ୍ତିକରଣ ମିଶନ ଶକ୍ତି ମହିଳା ମାନଙ୍କ ସଫଳତା ବିଷୟରେ ଉଦବୋଧନ ଦେଇଥିଲେ । ଆଗାମି ଦିନରେ ନୂଆପଡା ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ ବିଧାୟିକା ।

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥଭାବେ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ପରେ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତି ଚାରଣ କରି ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ସହ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ନବରଙ୍ଗପୁର ଜିଲ୍ଲାର ଭୂମିକା ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଭିନ୍ନ ସ୍କୁଲ, ଓ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଭଦ୍ରକ ଜିଲ୍ଲାର ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ଥରୀୟ 75ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସର୍ବ ପ୍ରଥମେ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟପାଲିଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରମୁଖ ପଦାଧିକାରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ବୌଦ୍ଧରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାପାଳ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକାକୁ ଉତ୍ତୋଳନ ସହିତ ସମ୍ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ବୌଦ୍ଧରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଜିଲ୍ଲା ଷ୍ଟାଡିୟମ ଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଦେଶ ମାତୃକାର ମୁକ୍ତି ତଥା ସେବା ପାଇଁ ଉତ୍ସର୍ଗୀକୃତ ମହାପୁରୁଷ, ଜନନାୟକଙ୍କ ସ୍ମୃତି ଚାରଣ କରିଥିଲେ ।

ଜଗତସିଂହପୁର ଜିଲ୍ଲାର ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ରାଜ୍ୟର ବିକାଶ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ତ୍ୱରାନ୍ୱିତ ହେଉଛି ବୋଲି କହିଥିଲେ ମୁଖ୍ୟ ଅତିଥି । ଜଗତସିଂହପୁର ମାଟି ସଂଗ୍ରାମୀଙ୍କ ମାଟି । ସ୍ଵାଧୀନତା ସଂଗ୍ରାମରେ ଏହି ଜିଲ୍ଲାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ମାଟିରେ ନବକୃଷ୍ଣ ଚୌଧୁରୀ, ସରଳା ଦେବୀ,ରମାଦେବୀ, ଜାତୀୟ କବି ବୀରକିଶୋରଙ୍କ ଭଳି ବହୁ ସଂଗ୍ରାମୀ ମାନେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ ବୋଲି ମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ: ପତାକା ଉତ୍ତୋଳନ କଲେ ରାଜ୍ୟପାଳ, ପରେଡରେ ଅଭିବାଦନ ଗ୍ରହଣ

ସମ୍ବଲପୁର କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାଜରାସ୍ତାରେ 75 ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ l

ରାଉରକେଲାର ଉଦିତନଗର ପଡ଼ିଆରେ 75 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଏହାପରେ ପରେଡ଼ ପ୍ରଦର୍ଶନ କରିଥିଲେ । ଆଜି ଉଦିତନଗର ପଡ଼ିଆରେ ମୋଟ ୩୧ଟି ପ୍ଲାଟୁନ ଏଠାରେ ପରେଡ଼ ପ୍ରଦର୍ଶନ କରିଥିଲେ । ପୋଲିସ ସହ CRPF ,OSAP ଏବଂ ସ୍କୁଲ ଛାତ୍ରଛାତ୍ରୀ ଏବଂ NCC ମାନଙ୍କ ପକ୍ଷରୁ ଆକର୍ଷଣୀୟ ପ୍ୟାରେଡ଼ ପ୍ରଦର୍ଶନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 26, 2024, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.