ETV Bharat / state

ସାପ କାମୁଡ଼ାରେ ଆଖିବୁଜିଲା ନାବାଳକ, ପୁଅର ମୃତ୍ୟୁ ସହି ନପାରି ହୃଦଘାତରେ ଚାଲିଗଲା ମାଆ - Snake Bite

author img

By ETV Bharat Odisha Team

Published : Apr 28, 2024, 10:04 AM IST

Snake Bite
Snake Bite

Snake Bite: ସାପ କାମୁଡ଼ାରେ ଶିଶୁ ମୃତ । ପୁଅର ମୃତ୍ୟୁ ସହି ନପାରି ହୃଦଘାତରେ ଚାଲିଗଲା ମା’ର ଜୀବନ । ଅଧିକ ପଢ଼ନ୍ତୁ

ରାଉରକେଲା: କଥାରେ ଅଛି କପାଳ ଲିଖନ କେ କରିବ ଆନ । ଜନ୍ମ କଲା ପୁଅର ଅକସ୍ମାତ ମୃତ୍ୟୁକୁ ସହି ନପାରି ଉଡିଗଲା ମାଆର ପ୍ରାଣବାୟୁ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଅଞ୍ଚଳରେ । ସାପ କାମୁଡ଼ାରେ ନାବାଳକ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମାଆର ଜୀବନ । ଗୋଟିଏ ଦିନରେ ଲିଭିଗଲା ଗୋଟିଏ ପରିବାରର ଦୁଇ ଜୀବନ ଦୀପ । ତେବେ ମୃତକ ଦୁଇ ଜଣ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଢ଼ାମ୍ବ ପଞ୍ଚାୟତ ଢେଙ୍ଗୁରପାଣି ଗ୍ରାମର ଅମିତ କୁଜୁରଙ୍କ ବଡ଼ ପୁଅ ଜ୍ଞାନଦୀପ କୁଜୁର ଏବଂ ତାଙ୍କ ସ୍ତ୍ରୀ ସୁକାନ୍ତୀ କୁଜୁର ।

ସୂଚନା ମୁତାବକ, ଗତକାଲି ଛଅ ବର୍ଷୀୟ ନାବାଳକ ଜ୍ଞାନଦୀପ କୁଜୁର ଦାଣ୍ଡରେ ଖେଳୁଥିବା ସମୟରେ ଅଚାନକ ଏକ ସାପ କାମୁଡ଼ି ଦେଇଥିଲା । ଶିଶୁଟି ପାଟି କରିବାରୁ ତା'ର ମାଆ ବାହାରକୁ ଦୌଡି ଆସିଥିଲେ । ସେ ପୁଅକୁ ସାପ କାମୁଡ଼ିଥିବା ଦେଖିବାକୁ ପାଇଥିଲେ । ଏହା ଜାଣିପାରି ପରିବାର ଲୋକ ଜ୍ଞାନଦୀପକୁ ତୁରନ୍ତ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରି ମୃତ ଘୋଷଣା କରିଥିଲେ । ଯାହାକୁ ସହଜରେ ବିଶ୍ବାସ କରିପାରିନଥିଲେ ପରିବାର ଲୋକ । କାଳେ ଝଡ଼ା ଫୁଙ୍କା କଲେ ପୁଅ ବଞ୍ଚିଯିବ ଭାବି ମୃତଦେହକୁ ଓଝା ପାଖକୁ ନେଇଯାଇଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.. ବଜ୍ରାଘାତ ନେଲା ମା’ ପୁଅଙ୍କ ଜୀବନ, 15 ଦିନରେ କେନ୍ଦ୍ରାପଡ଼ାରୁ 6 ମୃତ - Lightning Strike

ତେବେ ପୁଅର ମୃତଦେହ ଦେଖି ମାଆ ସୁକାନ୍ତୀ ନିଜକୁ ସମ୍ଭାଳି ପାରିନଥିଲେ । କାନ୍ଦି କାନ୍ଦି ପୁଅକୁ ଝୁରି ହେଉଥିଲେ । ତେବେ ଅତ୍ୟଧିକ କାନ୍ଦିବା ପରେ ଅଚାନକ ସୁକାନ୍ତୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ପରିବାର ଲୋକ ତାଙ୍କୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ହେଲେ କିଏ ଜାଣିଥିଲା ପୁଅ ଛାଡ଼ି ଯିବାପରେ ମାଆ ବି ତା' ପଛେ ପଛେ ଚାଲିଯିବ । ସେଠାରେ ସୁକାନ୍ତୀଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ସୁକାନ୍ତୀଙ୍କ ହୃଦଘାତରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଜ୍ଞାନଦୀପ ଓ ସୁକାନ୍ତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା । ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.