ETV Bharat / state

ଯୁବକ ଅପହରଣ ଘଟଣାର ପର୍ଦ୍ଦାଫାସ, ୬ ଅଭିଯୁକ୍ତ ଗିରଫ - Mayurbhanj kidnap case

author img

By ETV Bharat Odisha Team

Published : Mar 26, 2024, 9:24 AM IST

Mayurbhanj kidnap case
Mayurbhanj kidnap case

Mayurbhanj kidnap case: : ମୟୂରଭଞ୍ଜ ଜିଲ୍ଲା ଡୁକୁରା ଅଞ୍ଚଳର ଯୁବକଙ୍କୁ ଅପହରଣ ଘଟଣା । ୬ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ଡୁକୁରା ଅଞ୍ଚଳର ଯୁବକକୁ ଅପହରଣ ଘଟଣାରେ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ସମସ୍ତ ଅପହରଣକାରୀଙ୍କୁ ବଡ଼ସାହି ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଅନ୍ୟପଟେ ଏହି ସଫଳତାର ଶ୍ରେୟ ଯାଇଛି ଦୁଇ ଗଣମାଧ୍ୟମ ପ୍ରତିନିଧିଙ୍କୁ । ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା ଡୁକୁରା ଅଞ୍ଚଳର ସତ୍ୟରଞ୍ଜନ ପାତ୍ରଙ୍କୁ କିଛି ଯୁବକ ଅପରହଣ କରିନେଇଥିଲେ । ତେବେ କାହିଁକି ଅପହରଣ କରିଥିଲେ ସେନେଇ କିଛି ଜଣାପଡି ନାହିଁ ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳର ଉମାକାନ୍ତ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ସହ କିଛି ଯୁବକ ମିଶି ଡୁକୁରା ନିବାସୀ ସତ୍ୟରଞ୍ଜନ ପାତ୍ରଙ୍କୁ ଥାନାରେ ମାମଲା ଅଛି କହି ଏକ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ । ପରେ ଅପହରଣକାରୀମାନେ ନିଜକୁ ସିବିଆଇର ପରିଚୟ ଦେଇ ଏକ ଆମ୍ବୁଲାନ୍ସରେ ସତ୍ୟରଞ୍ଜନ ପାତ୍ରଙ୍କ ମୁହଁରେ କଳା କପଡା ଲଗାଇ ହାତରେ ହାତକଡି ବାନ୍ଧି ନେଇଯାଉଥିଲେ । ଜାମଶୋଳା ପଟକୁ ଯାଉଥିବା ବେଳେ ସତ୍ୟରଞ୍ଜନ କୌଣସି ମତେ କଳାବାଡ଼ିଆ ନିକଟରେ ଖସି ପଳାଇଥିଲେ ।

ସେହି ସମୟରେ କଳାବାଡିଆ ଅଞ୍ଚଳର ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ଦୃଷ୍ଟି ଆମ୍ବୁଲାନ୍ସ ଉପରେ ପଡିଥିଲା । ଆମ୍ବୁଲାନ୍ସରେ ଥିବା ଉମାକାନ୍ତ ବେହେରା ନିଜକୁ ସିବିଆଇ ଅଫିସରର ପରିଚୟ ଦେବା ସହ ଜଣେ ଅଭିଯୁକ୍ତ ଖସି ପଳାଇଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ । ତେବେ ଆମ୍ବୁଲାନ୍ସରେ ସିବିଆଇ କାହାକୁ ଗିରଫ କରି ନେଉଥିବାରୁ ସାମ୍ବାଦିକଙ୍କ ସନ୍ଦେହ ହୋଇଥିଲା । ଏନେଇ ସାମ୍ବାଦିକ ଦୁହେଁ ବାଙ୍ଗିରିପୋଷି ଥାନା ପୋଲିସକୁ ଜଣାଇବା ସହ ଗାଡିଟିକୁ ଅଟକ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ... ସ୍କୁଲରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ, ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ

ପରେ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉମାକାନ୍ତ ଓ ଅନ୍ୟ ଜଣକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲେ । ଘଟଣା ସମ୍ପର୍କରେ ଜାଣିବା ପରେ ଜୀବନ ବିକଳରେ ଫେରାର ହୋଇଥିବା ସତ୍ୟରଞ୍ଜନ ପାତ୍ରଙ୍କୁ ବହୁ ସମୟ ଧରି ଖୋଜାଖୋଜି ପରେ ବାଙ୍ଗିରିପୋଷି ଥାନା ଅଧିନ ଓଦାପାଳ ଗ୍ରାମରୁ ପୋଲିସ ଉଦ୍ଧାର କରିଥିଲା । ସତ୍ୟରଞ୍ଜନ ପାତ୍ର ସମସ୍ତ କଥା ପୋଲିସ ପାଖରେ ବଖାଣିଥିଲେ । ଏହି ଘଟଣାରେ ବାଙ୍ଗିରିପୋଷି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା ।

ଅନ୍ୟପଟେ ବଡ଼ସାହି ଥାନାରେ ସତ୍ୟରଞ୍ଜନ ପାତ୍ରଙ୍କ ସ୍ତ୍ରୀ ସଞ୍ଜୁକ୍ତା ପାତ୍ର ସ୍ବାମୀକୁ ଅପହରଣ କରିଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ମାମଲାଟି ବଡସାହି ଥାନା ଅଞ୍ଚଳର ହୋଇଥିବାରୁ ବଡ଼ସାହି ପୋଲିସ ଘଟଣାର ତଦନ୍ତ ଜାରି ରଖିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚଣ୍ଡୀ ମନ୍ଦିର ଛକ ବେତନଟୀ ଅଞ୍ଚଳର ଉମାକାନ୍ତ ବେହେରା (୬୮), ବେତନଟୀ ଥାନା ଅନ୍ତର୍ଗତ ଦହିକୋଟି ଗ୍ରାମର ସଞ୍ଜୟ କୁମାର ଓତା (୩୮), ମାଝିଆଣୀ ଗ୍ରାମର ଦୁର୍ଗା ପ୍ରସାଦ ହେମ୍ବ୍ରମ (୩୮), ତଡକି ଗ୍ରାମର ରଘୁନାଥ ସୋରେନ (୨୨), ବାରିପଦା ସଦର ଥାନା ଅନ୍ତର୍ଗତ କରତକଟା ଗ୍ରାମର କାର୍ତ୍ତିକ ବିନ୍ଧାଣୀ ଓ ବଡ଼ସାହି ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ସୁଦାମ ମୁର୍ମୁ (୨୫) ।

ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ବୋଲେରୋ ଗାଡି, ଗୋଟିଏ ଆମ୍ବୁଲାନ୍ସ, ଦୁଇଟି ହାତକଡି, ୬ଟି ମୋବାଇଲ ଫୋନ, ଚାରୋଟି ମୁଣ୍ଡ ଘୋଡାଇବା କଳା ମାସ୍କ ଓ ନଗଦ ୪୪ ହଜାର ଟଙ୍କା ଜବତ କରିଛି ପୋଲିସ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.