ETV Bharat / state

ରାୟଗଡା ବିଜେଡିରେ ରାଜନୈତିକ ଝଡ, ପ୍ରାର୍ଥୀ ନାଁ ଘୋଷଣା ପରେ 2 ଫାଳ ବିଜେଡି - Rayagada BJD politics

author img

By ETV Bharat Odisha Team

Published : Mar 29, 2024, 3:29 PM IST

Rayagada BJD: ପ୍ରାର୍ଥୀ ନାଁ ଘୋଷଣା ପରେ ରାୟଗଡା ବିଜେଡିରେ ଫାଟ । ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିବା ବେଳେ ଆଉ ଏକ ଗୋଷ୍ଠୀ ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦଳ ଛାଡିଛନ୍ତି । ଅଧିକ ପଢନ୍ତୁ

Rayagada BJD
Rayagada BJD

Rayagada BJD

ରାୟଗଡା: ଜିଲ୍ଲାର ତିନି ବିଧାନସଭା ଆସନ ଓ କୋରାପୁଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଝଡ । ପ୍ରାର୍ଥୀ ଚୟନ ପରେ ବିଜେଡି 2 ଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଅନସୂୟା ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଚୟନ କରିଥିବାରୁ ଗୋଟିଏ ଗୋଷ୍ଠୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏଥିରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ।

ରାୟଗଡା ଜିଲ୍ଲାର ତିନି ବିଧାନସଭା ଆସନ ଓ କୋରାପୁଟ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଯାଇଛି ରାଜନୈତିକ ଝଡ । ରାୟଗଡା, ବିଷମକଟକ ଓ ଗୁଣପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଚଳଚଂଚଳ ହୋଇଛି ବିଜେଡି ଶିବିର । ଆଜି (ଶୁକ୍ରବାର) ରାୟଗଡା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକ ଦେଇଥିବା ତିନି ପ୍ରାର୍ଥୀଙ୍କୁ ସ୍ୱାଗତ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ବିଶେଷ କରି ରାୟଗଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ଜଣେ ମହିଳାଙ୍କୁ ସୁଯୋଗ ଦିଆଯାଇଥିବାରୁ ଖୁବ୍ ଉତ୍ସାହିତ ଅଛନ୍ତି କର୍ମୀ ଓ ନେତା ।

ପ୍ରଥମ ଥର ପାଇଁ ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିର ମହିଳା ପ୍ରାର୍ଥୀ ଭାବେ ଅନସୂୟା ମାଝୀ ଓ କୋରାପୁଟ ଲୋକସଭା ଆସନରୁ ମଧ୍ୟ ମହିଳା ପ୍ରାର୍ଥୀ ଭାବେ କୌଶଲ୍ୟା ହିକକାଙ୍କ ଉପରେ ଆସ୍ଥା ପ୍ରକଟ କରି ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରାର୍ଥୀ କରିଥିବାରୁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବିଜେଡିର ବରିଷ୍ଠ ନେତୃବର୍ଗ । ଏଥିସହ ସମସ୍ତ ବିଜେଡି ନେତା ଓ କର୍ମୀ ଏକାଠି ହୋଇ ରାୟଗଡ, ବିଷମକଟକ, ଗୁଣପୁର ବିଧାନସଭା ଆସନ ସହ କୋରାପୁଟ ଲୋକସଭା ଆସନର ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଆହ୍ୱାନ ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. କାହିଁକି ମିଳିଲାନି ଟିକେଟ୍‌, ଏମିତି ଉତ୍ତର ରଖିଲେ ବରଗଡ ସାଂସଦ - Suresh Pujari Press Meet

ସେପଟେ ଅନସୂୟା ମାଝୀଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆଉ ଏକ ବିଜେଡି ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ ଡକାଇ ଅସନ୍ତୋଷ ଜାହିର କରିଛନ୍ତି । ଦଳୀୟ କର୍ମୀଙ୍କ ମତାମତ ନିଆନଯାଇ ଅନସୂୟାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ତାହାକୁ ବିରୋଧ କରି ବହୁ ବିଜେଡି ନେତା ଓ କର୍ମୀ ତଥା ନିର୍ବାଚିତ ପ୍ରତିନିଧିମାନେ ଇସ୍ତଫା ଦେଇଛନ୍ତି । ରାୟଗଡା ପୌରାଧ୍ୟକ୍ଷଙ୍କ ସମେତ ବହୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟମାନେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।

ଯାହାର ସଂଗଠନ ନାହିଁ, ଯିଏ ଆଦିବାସୀ ନୁହଁନ୍ତି ତାଙ୍କୁ ଦଳ କିପରି ପ୍ରାର୍ଥୀ କଲା ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା । କାହା ଚାପରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ଜିଲା ପରିଷଦ ସଭ୍ୟା ସଂଧ୍ୟାରାଣୀ ପୁଆଲା, ସୁଜାତା ପାଳ, ଜିଲ୍ଲା ବିଜେଡି ମହିଳା ସଭାପତି ଶର୍ମିଷ୍ଠା ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।


ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.