ETV Bharat / state

କାଳିଆ ସାଆନ୍ତଙ୍କ ପଦ୍ମବେଶ, 10 ହଜାର ପଦ୍ମ ଫୁଲ ଅର୍ପଣ କଲେ ଭକ୍ତ

author img

By ETV Bharat Odisha Team

Published : Feb 10, 2024, 9:34 PM IST

ଆଜି କାଳିଆ ସାଆନ୍ତଙ୍କ ପଦ୍ମବେଶ , ଭକ୍ତ କଲେ 10ହଜାର ପଦ୍ମ ଫୁଲ ଅର୍ପଣ
ଆଜି କାଳିଆ ସାଆନ୍ତଙ୍କ ପଦ୍ମବେଶ , ଭକ୍ତ କଲେ 10ହଜାର ପଦ୍ମ ଫୁଲ ଅର୍ପଣ

10 Thousands Lotus Flowers Given By Devotee: ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ଭକ୍ତଙ୍କ 10 ହଜାର ପଦ୍ମ ଫୁଲ ଅର୍ପଣ । ୨୦୧୧ ମସିହା ଠାରୁ ନିୟମିତ କରି ଚାଲିଛନ୍ତି ପୁଷ୍ପଦାନ । ଅଧିକ ପଢନ୍ତୁ

ଆଜି କାଳିଆ ସାଆନ୍ତଙ୍କ ପଦ୍ମବେଶ , ଭକ୍ତ କଲେ 10ହଜାର ପଦ୍ମ ଫୁଲ ଅର୍ପଣ

ପୁରୀ: ଯୁଗେ ଯୁଗେ ଭକ୍ତର ଭାବରେ ବନ୍ଧା ଭଗବାନ । ତେଣୁ ଭକ୍ତ ନିଷ୍କାମ ଭକ୍ତି ସହକାରେ ଯାହା ଅର୍ପଣ କରିଥାଏ ତାହା ଭଗବାନଙ୍କୁ ପ୍ରିୟ ହୋଇଥାଏ । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ହେବ ପଦ୍ମ ବେଶ । କିନ୍ତୁ ଶୀତଦିନରେ ପଦ୍ମଫୁଲର ଅଭାବ ହେତୁ ସୋଲରେ ନିର୍ମିତ ପଦ୍ମଆଭୁଷଣରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି । କିନ୍ତୁ ଏ ଖବର ଜାଣିବା କ୍ଷଣି ଏହି କ୍ରମରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ଜଣେ ଭକ୍ତ 10 ହଜାର ପଦ୍ମ ଫୁଲ ଅର୍ପଣ କରିଛନ୍ତି ।

ମହାପ୍ରଭୁଙ୍କୁ ପଦ୍ମରେ ସଜେଇବାକୁ ଫୁଲ ବେତା ଧରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଆସିଛନ୍ତି ଚିନ୍ତାମଣି ଦାଶ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବମୟ ସମ୍ପର୍କର ଡୋରି ଏତେ ମଜଭୁତ ଯେ ବର୍ଷକ ଆଗରୁ ଏହି ଦିନକୁ ସେ ଚାହିଁ ରହିଥାଆନ୍ତି । ଏହି ଅପୂର୍ବ ଦିନରେ ସେ ଫୁଲ ଆଣି ଆସିବା ବାଟରେ ମା’ବାଟ ମଙ୍ଗଳାଙ୍କୁ ପଦ୍ମରେ ପ୍ରସ୍ତୁତ ମାଳ ସମର୍ପଣ କରନ୍ତି । ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ସେ ନିଜେ ମୁଣ୍ଡରେ ଫୁଲ ବେତା ମୁଣ୍ଡେଇ ଶ୍ରୀମନ୍ଦିରକୁ ଯାଆନ୍ତି ।

ଏହା ମଧ୍ୟ ପଢନ୍ତୁ ... ପଣା ସଂକ୍ରାନ୍ତି ପାଳନ ନେଇ ଦ୍ବନ୍ଦ, ତ୍ରୁଟିମୁକ୍ତ ପଞ୍ଜିକା ପ୍ରସ୍ତୁତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ

ଚିନ୍ତାମଣିଙ୍କ ଘର ଭୁବନେଶ୍ବର ଶାସ୍ତ୍ରୀନଗରରେ । ସଂସ୍କୃତ ଶିକ୍ଷକ ଭାବେ ୨୦୧୩ରେ କ୍ୟାପିଟାଲ୍‌ ହାଇସ୍କୁଲ୍‌ରୁ ଅବସର ନେଇଛନ୍ତି । ତାଙ୍କ କହିବା ମୁତାବକ, ଥରେ ଏକ ଖବରକାଗଜରୁ ସେ ଜାଣିବାକୁ ପାଇଲେ ଯେ ଶୀତଦିନରେ ପଦ୍ମଫୁଲ ଅଭାବରୁ ମହାପ୍ରଭୁଙ୍କୁ ସୋଲ ତିଆରି ପଦ୍ମ ଫୁଲରେ ବେଶ ହୁଅନ୍ତି । ଏ ଖବର ତାଙ୍କୁ ଏତେ ବ୍ୟଥିତ କଲା ଯେ ସେ ଶୋଇପାରିଲେ ନାହିଁ । କିଭଳି ଗୋଟିଏ ଦିନ ମହାପ୍ରଭୁଙ୍କୁ ସତେଜ ପଦ୍ମ ଫୁଲରେ ବେଶ କରିପାରିବେ ସେଇ ଉଦ୍ଦେଶ୍ୟ ନେଇ ଆରମ୍ଭ କଲେ ଅଭିଯାନ । ଧଉଳି ନିକଟରେ ୫ଟି ପଦ୍ମ ପୋଖରୀ ଲିଜ୍‌ ସୂତ୍ରରେ ନେଇଥିବା ବେଳେ ପ୍ରତିବର୍ଷ ବଡ଼ ବେତାରେ ଫୁଲ ଧରି ଭୁବନେଶ୍ବରରୁ ଶ୍ରୀକ୍ଷେତ୍ର ଆସନ୍ତି ।

ବଡ଼ଦାଣ୍ଡରେ ପଦ୍ମ‌ଫୁଲ ବେତାକୁ ମୁଣ୍ଡେଇ ଯାଆନ୍ତି । ପ୍ରତିବର୍ଷ ଏଥିପାଇଁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଆବେଦନ ବି କରନ୍ତି । ସେ ୨୦୧୧ ମସିହାରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ପାଇଁ ୧୦୦୮ ପଦ୍ମପୁଷ୍ପ, ୨୦୧୨ ମସିହାରେ ୩୦୦୮ ପଦ୍ମପୁଷ୍ପ ପ୍ରଦାନ କରିଥିଲେ , ୨୦୧୩ ମସିହାରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ପାଇଁ ୩୦୦୮ ପଦ୍ମପୁଷ୍ପ ଦେବା ସହ ମା ବିମଳାଙ୍କ ପାଇଁ ୧୦୮, ବାଟମଙ୍ଗଳାଙ୍କ ପାଇଁ ୫୪, କମଳାତ୍ମିକାଙ୍କ ପାଇଁ ୧୦୮ ଓ ପଦ୍ମାଳୟା ମହାଲକ୍ଷ୍ମୀଙ୍କ ପାଇଁ ୧୦୮ ପଦ୍ମପୁଷ୍ପ ପ୍ରଦାନ କରିଥିଲେ । ପ୍ରକାଶଯୋଗ୍ୟ ଯେ ମାଘ ଅମାବାସ୍ୟା ପରେ ଶ୍ରୀ ପଞ୍ଚମୀ ପୂର୍ବରୁ ପଡୁଥିବା ବୁଧବାର କିମ୍ବା ଶନିବାର ଦିନ ଶ୍ରୀଜିଉଙ୍କ ହୋଇଥାଏ ପଦ୍ମ ବେଶ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.