ETV Bharat / sports

ଭାରତୀୟ ଟିମକୁ ଝଟକା, ଆଇସିସି T20 ବିଶ୍ୱକପ ଖେଳିବେନି ଶାମି

author img

By ETV Bharat Odisha Team

Published : Mar 12, 2024, 7:16 AM IST

Mohammed Shami
ମହମ୍ମଦ ଶାମି

Mohammed Shami to miss T20 World Cup: ଆଇସିସି T20 ବିଶ୍ବକପ ଖେଳିବେ ନାହିଁ ମହମ୍ମଦ ଶାମି । ଆଗାମୀ ସେପ୍ଟେମ୍ବର ମାସରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜକୁ ଫେରିବେ ଶାମି । ଏନେଇ ସୂଚନା ଦେଲେ ଜୟ ଶାହ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମକୁ ଝଟକା । ଆଇସିସି T20 ବିଶ୍ବକପ 2024 ଖେଳିବେ ନାହିଁ ଷ୍ଟାର ବୋଲର ମହମ୍ମଦ ଶାମି । ପାଦରେ ଅସ୍ତ୍ରୋପଚାର ପରେ ସେ ଏବେ ବିଶ୍ରାମ ନେଉଛନ୍ତି । ତାଙ୍କୁ ସୁସ୍ଥ ହେବାକୁ ଆହୁରି ସମୟ ଲାଗିବ । ତେଣୁ ଆଗକୁ ହେବାକୁ ଥିବା T20 ବିଶ୍ବକପ ଖେଳିପାରିବେ ନାହିଁ । ଆଗାମୀ ସେପ୍ଟେମ୍ବର ମାସରେ ସେ ଫିଟ୍ ହୋଇ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବେ ବୋଲି କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହ ।

ଜୟ ଶାହ କହିଛନ୍ତି, ''ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ସେ ଏବେ ଭାରତ ଫେରିଛନ୍ତି । ବାଂଲାଦେଶ ବିପକ୍ଷ ଘରୋଇ ସିରିଜ ଖେଳିପାରନ୍ତି ଶାମି, ଆଶା ରହିଛି ସେ ସେହି ସମୟରେ ସମ୍ପୂର୍ଣ୍ଣ ଫିଟ୍ ହୋଇଯାଇଥିବେ । କେ.ଏଲ୍ ରାହୁଲ ମଧ୍ୟ ଖୁବଶୀଘ୍ର ଅଭ୍ୟାସ ଆରମ୍ଭ କରିବେ । ତାଙ୍କର ଅସ୍ତ୍ରୋପଚାର ଆବଶ୍ୟକ ପଡିନଥିଲା । ଡାହାଣ ଜଙ୍ଘରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇଁ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିଲା । ସେ ବର୍ତ୍ତମାନ ଏନସିଏରେ ଅଛନ୍ତି । ଫିଟନେସ ସାର୍ଟିଫିକେଟ ମିଳିବା ପରେ ସେ ଆଇପିଏଲ ଖେଳିବେ ।''

ଏହା ମଧ୍ୟ ପଢନ୍ତୁ-ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର

ଗୋଇଠିରେ ଆଘାତ ହେତୁ ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଆଇପିଏଲ ଶାମି ଖେଳିବେ ନାହିଁ ବୋଲି ଖବର ଆସିଥିଲା । ଆଉ ଏବେ ଆଇସିସି ପୁରୁଷ ଟି-20 ବିଶ୍ବକପ୍‌ 2024 ଖେଳିବେ ନାହିଁ ବୋଲି ଜଣାପଡିଛି । ତାଙ୍କ ଅନୁପସ୍ଥିତିରେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଖେଳିବ ଭାରତ । ଭାରତୀୟ ଦଳ ପାଇଁ ଏହା ଏକ ଦୁଃଖଦ ଖବର । କାହିଁକିନା ବିଶ୍ବକପ 2023ରେ ଶାମିଙ୍କ ପ୍ରଦର୍ଶନ ଦମଦାର ରହିଥିଲା । ସେ ସର୍ବାଧିକ ଓ୍ବିକେଟ ନେଇଥିଲେ । ତାଙ୍କର ଅନୁପସ୍ଥିତି ଦଳକୁ ନିଶ୍ଚିତ ଭାବେ ପ୍ରଭାବିତ କରିବ ।

ଏହା ମଧ୍ୟ ପଢନ୍ତୁ-ICC T20 World Cup 2024: ଜୁନ୍‌ ୪ରୁ ଟି୨୦ ବିଶ୍ୱକପ ! ୪ ଗ୍ରୁପ୍‌ରେ ୨୦ ଦଳ

ଫେବୃଆରୀରେ ମହମ୍ମଦ ଶାମିଙ୍କ ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି । ବ୍ରିଟେନର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ହେବା ପରେ ଫିଟ୍ ହେବା ପାଇଁ ତାଙ୍କୁ ଆହୁରି ସମୟ ଲାଗିବ । ଏନେଇ ଏକ୍ସରେ ଟ୍ବିଟ୍ କରି ନିଜେ ସୂଚନା ଦେଇଥିଲେ ଶାମି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ସମୟ ଲାଗିବ, କିନ୍ତୁ ମୋ ପାଦରେ ପୁଣିଥରେ ଛିଡା ହେବାକୁ ଅପେକ୍ଷା କରିଛି ବୋଲି ଏକ୍ସରେ ସେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.