ETV Bharat / sports

କୋହଲିଙ୍କ ନେତୃତ୍ବରେ ହାଇଦ୍ରାବାଦ ଟେଷ୍ଟ ହାରିନଥାନ୍ତା ଭାରତ: ମାଇକେଲ ଭନ

author img

By ETV Bharat Odisha Team

Published : Jan 31, 2024, 9:39 PM IST

Michael Vaughan on Virat Kohli: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ କୋହଲିଙ୍କ ଅନୁପସ୍ଥିତି ନେଇ ବଡ଼ ବୟାନ ଦେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ । କହିଲେ କୋହଲିଙ୍କ ନେତୃତ୍ବରେ ହାରିନଥାନ୍ତା ଭାରତ । ଅଧିକ ପଢ଼ନ୍ତୁ

Michael Vaughan on Virat Kohli
Michael Vaughan on Virat Kohli

ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହୋଇଯାଇଛି । ଓଲି ପୋପ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଓ ଟମ୍‌ ହାର୍ଟଲେଙ୍କ ଘାତକ ବୋଲିଂ ବଳରେ ଭ୍ରମଣକାରୀ ଦଳ ପ୍ରଥମ ମ୍ୟାଚ୍‌ ଜିତି ସିରିଜ୍‌ରେ ୧-୦ ଲିଡ୍‌ ନେଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ମ୍ୟାଚ୍‌ରେ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲି ଖେଳୁନଥିଲେ । ଏହି ଷ୍ଟାର ବ୍ୟାଟରଙ୍କ ଅନୁପସ୍ଥିତି ଭାରତୀୟ ଦଳ ସମେତ ପ୍ରଶଂସକ ମଧ୍ୟ ବେଶ ଅନୁଭବ କରିଛନ୍ତି । ବିଶେଷ କରି ଘରୋଇ ଦଳ ଏହି ମ୍ୟାଚ୍‌ ହାରିଯିବା ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ଭାରତର ପରାଜୟର କାରଣ କୋହଲିଙ୍କ ଅନୁପସ୍ଥିତି ବୋଲି କହିଛନ୍ତି । ଏପରିକି ଯଦି କୋହଲିଙ୍କ ନେତୃତ୍ବରେ ଦଳ ଏହି ଟେଷ୍ଟ ଖେଳିଥାଆନ୍ତା, ତେବେ ଏହି ମ୍ୟାଚ୍‌ ଭାରତ କେବେ ହେଲେ ହାରି ନଥାନ୍ତା ବୋଲି କହିଛନ୍ତି ଇଂଲଣ୍ଡର ଏହି କିମ୍ବଦନ୍ତୀ ବ୍ୟାଟର ।

ଏହି ମ୍ୟାଚ୍‌ର ପ୍ରଥମ ପାଳିରେ ଇଂଲଣ୍ଡ ଠାରୁ ୧୯୦ ରନର ଲିଡ୍‌ ନେଇ ଦୃଢ଼ ସ୍ଥିତିରେ ଥିଲା ଭାରତ । ହେଲେ ଓଲି ପୋପ୍‌ଙ୍କ ଧୈର୍ଯ୍ୟପୂର୍ଣ୍ଣ ୧୯୬ ରନର ପାଳି ଘରୋଇ ଦଳକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲା । ପରେ ୨୩୧ ରନ ଟାର୍ଗେଟ୍‌ ନେଇ ଦ୍ବିତୀୟ ପାଳିରେ ଘରୋଇ ଦଳର ବ୍ୟାଟରଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ତଥା ଇଂଲଣ୍ଡ ବୋଲର ଟମ୍‌ ହାର୍ଟଲେଙ୍କ ଘାତକ ବୋଲିଂ ବଳରେ ଭାରତ ୨୮ ରନରେ ପରାଜୟ ସ୍ବୀକାର କରିଥିଲା । ସଙ୍କଟ ବେଳେ ଟିମ୍‌ ଇଣ୍ଡିଆ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କୁ ବହୁତ ମିସ୍‌ କରିଥିଲା । ତାଙ୍କର ଆଗ୍ରେସନ୍‌କୁ ଦର୍ଶକମାନେ ମଧ୍ୟ ବହୁତ ମିସ୍‌ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ଖୋଦ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାନିଛନ୍ତି ଯେ, କୋହଲି ଥିଲେ ହୁଏତ ଇଂଲଣ୍ଡ ହାରି ଯାଇଥାଆନ୍ତା ।

ଏହା ମଧ୍ୟ ପଢ଼ନ୍ତୁ...ଇଂଲଣ୍ଡ ବିପକ୍ଷ ପରାଜୟ ପରେ ବାଂଲାଦେଶ ତଳକୁ ଖସିଲା ଭାରତ

ଏକ ୟୁଟ୍ୟୁବ ଚ୍ୟାନେଲ୍‌ରେ ସାକ୍ଷାତକାରରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ବ୍ୟାଟର ମାଇକେଲ ଭନ କହିଛନ୍ତି, "ସେମାନେ (ଟିମ୍‌ ଇଣ୍ଡିଆ) ଟେଷ୍ଟ କ୍ରିକେଟରେ ବିରାଟ କୋହଲିଙ୍କ ନେତୃତ୍ବକୁ ବହୁତ ମିସ୍‌ କରୁଥିଲେ । ବିରାଟଙ୍କ ଅଧିନାୟକତ୍ବରେ ସେହି ମ୍ୟାଚ୍‌ କେବେହେଲେ ଇଣ୍ଡିଆ ହାରି ନଥାନ୍ତା ।" ସେହିଭଳି ଇଂରାଜୀ ଖବର କାଗଜ ଟେଲିଗ୍ରାଫକୁ ଦେଇଥିବା ପ୍ରତିକ୍ରିୟାରେ ସେ ଲେଖିଛନ୍ତି, "ରୋହିତ ଶର୍ମା ଜଣେ କିମ୍ବଦନ୍ତୀ ତଥା ମହାନ ଖେଳାଳି । କିନ୍ତୁ ମୁଁ ଅନୁଭବ କଲି ଯେ ସେ ସମ୍ପୂର୍ଣ୍ଣ ରୂପେ ଶାନ୍ତ ହୋଇଯାଇଛନ୍ତି । ମୁଁ ଭାବୁଛି ରୋହିତ ଶର୍ମାଙ୍କ ଅଧିନାୟକତ୍ବ ସେତେ ଭଲ ନୁହେଁ । ମୁଁ ଭାବୁନି ଯେ ସେ ଏତେ ପ୍ରତିକ୍ରିୟାଶୀଳ । ସେ ନା ନିଜ ଫିଲ୍ଡକୁ ପରିଚାଳନା କରୁଥିଲେ ଆଉ ନା ବୋଲିଂ ପରିବର୍ତ୍ତନ ପାଇଁ ସକ୍ରିୟ ଥିଲେ । ଏପରିକି ଓଲି ପୋପ୍‌ଙ୍କ ସ୍ୱିପ୍‌ କିମ୍ବା ରିଭର ସ୍ୱିପ୍‌ ପାଇଁ ମଧ୍ୟ ରୋହିତଙ୍କ ପାଖରେ କୌଣସି ଉତ୍ତର ନଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ଆଇସିସି ଟେଷ୍ଟ ମାନ୍ୟତା: ମ୍ୟାଚ୍‌ ନଖେଳି ଚମକିଲେ କୋହଲି, ଲମ୍ବ ଡିଆଁ ମାରିଲେ ଓଲି ପୋପ୍‌

ପ୍ରକାଶ ଥାଉ, ଦିନିକିଆ ଓ ଟି୨୦ ନେତୃତ୍ବ ଛାଡ଼ିବାକୁ କୋହଲି ନିଷ୍ପତ୍ତି ନେଇଥିଲେ । ଏହାପରେ ଦିନିକିଆ ଦଳର ଅଧିନାୟକ ପଦରୁ ମଧ୍ୟ ତାଙ୍କୁ ବାହାର କରାଯାଇଥିବା ଚର୍ଚ୍ଚା ହୋଇଥିଲା । ସେହି ସମୟରେ କୋହଲି ନିଜେ କହିଥିଲେ ଯେ, ଦିନିକିଆ ଦଳର ନେତୃତ୍ବ ଛାଡ଼ିବା ନେଇ ତାଙ୍କ ସହ କୌଣସି ଆଲୋଚନା ହୋଇନାହିଁ । ଏଭଳି ବାଦ ବିବାଦ ମଧ୍ୟରେ ଦୀର୍ଘ ଦିନରୁ ଭାରତୀୟ ଦଳକୁ ଆଇସିସି ଟେଷ୍ଟ ରାଙ୍କିଂରେ ଶୀର୍ଷରେ ରଖିଥିବା କୋହଲି ୨୦୨୨ରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ି ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.