ETV Bharat / sports

ରାଜକୋଟ ଟେଷ୍ଟରେ ଭାରତକୁ ଝଟ୍‌କା, ମ୍ୟାଚ୍ ଅଧାରୁ ଓହରିଲେ ଅଶ୍ୱିନ

author img

By ETV Bharat Odisha Team

Published : Feb 17, 2024, 7:17 AM IST

Ind Vs Eng Test Series
ଟେଷ୍ଟ ଅଧାରୁ ଓହରିଲେ ରବିଚନ୍ଦ୍ରନ ଅଶ୍ୱିନ

Ind Vs Eng Test Series: ଭାରତକୁ ବଡ଼ ଝଟକା । ରାଜକୋଟ ଟେଷ୍ଟ ଅଧାରୁ ଖେଳରୁ ଓହରିଲେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଟିମ୍ ଉପରେ ପଡିପାରେ ପ୍ରଭାବ । ଆଗକୁ ପଢନ୍ତୁ

ରାଜକୋଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ରାଜକୋଟ ଟେଷ୍ଟ ମ୍ୟାଚରେ ଭାରତକୁ ବଡ ଝଟକା । ଭାରତର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ଅଧାରୁ ଓହରି ଯାଇଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କ ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କୁ ଓହରିବାକୁ ପଡିଥିବା ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାଙ୍କ ସ୍ଥାନରେ ପ୍ଲେଇଙ୍ଗ-11ରେ କିଏ ସାମିଲ ହେବେ ତାକୁ ନେଇ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଭାରତର ଭେଟେରାନ ସ୍ପିନର ତଥା ଟେଷ୍ଟ କ୍ରିକେଟରେ 500 ଓ୍ୱିକେଟ ପୂରଣ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ଚଳିତ ତୃତୀୟ ଟେଷ୍ଟ ଅଧାରୁ ଓହରି ଯାଇଛନ୍ତି । ତେବେ ଏନେଇ ବିସିସିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି, "ପାରିବାରିକ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ବିସିସିଆଇ ଓ ପୁରା ଟିମ ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଉଛୁ । ପ୍ରତ୍ୟେକ ଖେଳାଳି ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଆମ ପାଇଁ ମହତ୍ୱପୂର୍ଣ୍ଣ ବିଷୟ । ଏଭଳି ଏକ ଦୁଃଖଦ ପରିସ୍ଥିତି ଦେଇ ଗତି କରୁଥିବା ଅଶ୍ୱିନ ଓ ତାଙ୍କ ପରିବାର ସହ ଆମେ ରହିଛୁ ଓ ତାଙ୍କୁ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ ଅଛୁ । ପ୍ରଂଶସକମାନେ ମଧ୍ୟ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାନ୍ତୁ ଓ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।"

ଏହାମଧ୍ୟ ପଢନ୍ତୁ..ତୃତୀୟ ଟେଷ୍ଟ: ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 207/2, ଭାରତ 238 ରନରେ ଆଗୁଆ

ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନ ସରିଥିବା ବେଳେ ଆଜି (ଶନିବାର) ତୃତୀୟ ଦିନର ଖେଳ ଆରମ୍ଭ ହେବ । ଶୁକ୍ରବାର ଏହି ମ୍ୟାଚ୍‌ର ଦ୍ବିତୀୟ ଦିନର ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନରେ ପ୍ରଥମେ ଭାରତ ଏହାର ପ୍ରଥମ ଇନିଂସ୍‌ 445 ରନରେ ଶେଷ କରିଥିଲା । ଏହାପରେ ପ୍ରଥମ ପାଳି ଆରମ୍ଭ କରିଛି ଇଂଲଣ୍ଡ । ତେବେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ 2 ୱକେଟ୍‌ ହରାଇ 207 ରନ କରିଛି । ଏହା ସହିତ ଭାରତ ବର୍ତ୍ତମାନ ସୁଦ୍ଧା 238 ରନ ଆଗରେ ରହିଛି । ଅଶ୍ୱିନଙ୍କ ମ୍ୟାଚରୁ ଓହରିି ଯିବାପରେ ବର୍ତ୍ତମାନ ଟିମରେ 10 ଜଣ ଖେଳାଳି ରହିଛନ୍ତି । ତାଙ୍କ ଅନୁପସ୍ଥିତିରେ ଆଜି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ତେବେ ଭଲ ଫର୍ମରେ ଥିବା ଅଶ୍ୱିନୀଙ୍କ ଅନୁପସ୍ଥିତି ଟିମ ଅନୁଭବ କରିବ ।

ସୂଚନାଯୋଗ୍ୟ, ରାଜକୋଟରେ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ (16 ଫେବ୍ରୁଆରୀ)ରେ ଅଶ୍ୱିନୀ ଆଉ ଏକ ଐତିହାସିକ ରେକର୍ଡ ନିଜ ନାଁ ସହ ଯୋଡିଥିଲେ । ସେ ନିଜ ଟେଷ୍ଟ କ୍ରିକେଟ କ୍ୟାରିୟରର 500 ତମ ୱିକେଟ୍‌ ହାସଲ କରି 500 ୱିକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି । ଇଂଲଣ୍ଡର ଜ୍ୟାକ୍‌ କ୍ରାଓଲିଙ୍କୁ ଆଉଟ୍‌ କରି ଭାରତକୁ ପ୍ରଥମ ସଫଳତା ଦେବା ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । 500 ଟେଷ୍ଟ ୱିକେଟ୍‌ ହାସଲ କରିବାରେ ସେ ବିଶ୍ୱର ନବମ ତଥା 2ୟ ଭାରତୀୟ ବୋଲର ହୋଇଛନ୍ତି । ତାଙ୍କ ପୂର୍ବରୁ କିମ୍ବଦନ୍ତୀ ସ୍ପିନର ଅନୀଲ କୁମ୍ବଲେ ଏହି କ୍ଲବରେ ଏକମାତ୍ର ଭାରତୀୟ ଭାବେ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.