ETV Bharat / sports

ଭାରତ ବନାମ ଇଂଲଣ୍ଡ: ବୋଲିଂ ପରେ ବ୍ୟାଟିଂରେ ଜାଡେଜାଙ୍କ କମାଲ, ମଜଭୁତ ସ୍ଥିତିରେ ଭାରତ

author img

By ETV Bharat Odisha Team

Published : Jan 26, 2024, 6:58 PM IST

ବୋଲିଂ ପରେ ବ୍ୟାଟିଂରେ ଜାଡେଜାଙ୍କ କମାଲ
ବୋଲିଂ ପରେ ବ୍ୟାଟିଂରେ ଜାଡେଜାଙ୍କ କମାଲ

IND vs ENG 1ts Test Day 2 Stumps: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ୍‌ ହରାଇ ୪୨୧ ରନ କରିଛି । ଏହା ସହିତ ଇଂଲଣ୍ଡ ଠାରୁ ୧୭୫ ରନ ଲିଡ୍‌ରେ ରହିଛି ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

ହାଇଦ୍ରବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ଶେଷ ହୋଇଛି । ଶତକ ହାସଲ କରିବାରୁ ଯୁବ ତାରକା ଯଶସ୍ବୀ ଜୟସ୍ବାଲ ଓ କେଏଲ୍‌ ରାହୁଲ ବଞ୍ଚିତ ହୋଇଥିଲେ ବି ରବୀନ୍ଦ୍ର ଜାଡେଜାଙ୍କ ଦମଦାର ଇନିଂସ୍‌ ବଳରେ ଭାରତ ଦୃଢ଼ ସ୍ଥିତିରେ ପହଞ୍ଚିଛି । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଏହାର ପ୍ରଥମ ପାଳିରେ ୭ ୱିକେଟ୍‌ ହରାଇ ୪୨୧ ରନ କରିଛି । ଏହା ସହିତ ଇଂଲଣ୍ଡ ଠାରୁ ୧୭୫ ରନ ଲିଡ୍‌ରେ ରହିଛି ଟିମ୍‌ ଇଣ୍ଡିଆ ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ପାଳିରେ ଭାରତୀୟ ସ୍ପିନରଙ୍କ ଆଗରେ କାମ କରିନଥିଲା ଇଂଲଣ୍ଡର ବାଜ୍‌ବଲ ରଣନୀତି । ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିବାବେଳେ ଅକ୍ଷର ପଟେଲ ୨ଟି ୱିକେଟ୍‌ ହାସଲ କରିଥିଲେ । ସେପଟେ ଯଶପ୍ରୀତ ବୁମ୍‌ରାଙ୍କ ୨ ୱିକେଟ୍‌ ଦଖଲ ପରେ ଇଂଲଣ୍ଡ ପାଳି ୨୪୬ ରନରେ ପ୍ରଥମ ଦିନରେ ହିଁ ସମାପ୍ତ ହୋଇଥିଲା । ଦଳ ପକ୍ଷରୁ କେବଳ ଅଧିନାୟକ ବେନ୍‌ ଷ୍ଟୋକ୍ସ (୭୦)ଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇନଥିଲେ ।

ଏହାପରେ ଇଂଲଣ୍ଡର ବାଜ୍‌ବଲ୍‌ ରଣନୀତିକୁ କିନ୍ତୁ ଭାରତ ସଫଳ କରୁଥିବା ଦେଖିବାକୁ ମିଳିଥିଲା । ଆରମ୍ଭରୁ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ ବିପକ୍ଷ ଦଳର ଅଭିଜ୍ଞ ବୋଲରଙ୍କ ବିରୋଧରେ ଆକ୍ରମଣାତ୍ମକ ଶୈଳୀ ଆପଣାଇଥିଲେ । ଅଧିନାୟକ ରୋହିତ ଶର୍ମା କେବଳ ୨୪ ରନ କରି ଆଉଟ୍‌ ହୋଇଯାଇଥିଲେ ମଧ୍ୟ ଗିଲ୍‌ଙ୍କ ସହ ମିଶି ବ୍ୟକ୍ତିଗତ ୭୬ ଓ ଦଳୀୟ ସ୍କୋର ୧୧୯ ରନରେ ପ୍ରଥମ ଦିନ ସାରିଥିଲେ ଜୟସ୍ବାଲ୍‌ ।

ଏହା ମଧ୍ଯ ପଢ଼ନ୍ତୁ...ଭାରତ ବନାମ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ; ୨୪୬ରେ ଇଂଲଣ୍ଡ ଅଲଆଉଟ୍‌, ଭାରତର ସ୍କୋର 119/1

ଏହାପରେ ଆଜି ଆରମ୍ଭରୁ କେବଳ ୮୦ ରନ କରିଥିବା ବେଳେ ଆଉଟ୍‌ ହୋଇଯାଇଥିଲେ ଜୟସ୍ବାଲ । ଗିଲ୍‌ ୨୩ ଓ ଆୟର ୩୫ ରନ କରି ଆଉଟ୍‌ ହୋଇଥିବାବେଳେ ଭାରତ ପାଇଁ ସର୍ବାଧିକ ୮୬ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ କେଏଲ୍‌ ରାହୁଲ । ସେ ନିଜ ଶତକରୁ କେବଳ ୧୪ ରନ ଦୂରରେ ରହିଯାଇଥିଲେ । ଏହାପରେ ଜାଡେଜାଙ୍କ ସହ ମିଶି ୱିକେଟ୍‌କିପର କେଏସ୍‌ ଭରତ ୪୧ ରନର ପାଳି ଖେଳି ଆଉଟ୍‌ ହୋଇଥିଲେ । ଅଶ୍ବିନ କେବଳ ୧ ରନ କରି ରନ୍‌ ଆଉଟ୍‌ ହୋଇଯାଇଥିଲେ । ତେବେ ଆଜିର ଖେଳ ଶେଷ ସୁଦ୍ଧା ରବୀନ୍ଦ୍ର ଜାଡେଜା ୮୧ ରନ ସ୍କୋର କରି ଅପରାଜିତ ରହିଥିବାବେଳେ ତାଙ୍କ ସହ ମହଜୁଜ ଅଛନ୍ତି ଅନ୍ୟତମ ଅଲରାଉଣ୍ଡର ଅକ୍ଷର ପଟେଲ । ଅକ୍ଷର ୩୫ ରନର ଉପଯୋଗୀ ପାଳି ଖେଳିଛନ୍ତି । ଫଳରେ ଆଜି ଦିନର ଖେଳ ଶେଷ ସୁଦ୍ଧା ଭାରତ ୭ ୱିକେଟ ହରାଇ ୪୨୧ ରନ କରିଛି । ଇଂଲଣ୍ଡ ଠାରୁ ୧୭୫ ରନରେ ଆଗୁଆ ରହି ଦ୍ବିତୀୟ ଦିନ ଖେଳ ଶେଷ କରିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.