ETV Bharat / sports

ଟି20 କ୍ରିକେଟର ଅଫ୍‌ ଦି ଇୟର; କ୍ରମାଗତ ଦ୍ବିତୀୟ ଥର ଜିତିଲେ SKY

author img

By ETV Bharat Odisha Team

Published : Jan 24, 2024, 7:18 PM IST

ଟି20 କ୍ରିକେଟର ଅଫ୍‌ ଦି ଇୟର
ଟି20 କ୍ରିକେଟର ଅଫ୍‌ ଦି ଇୟର

ICC Men's T20I Cricketer of the Year: ଆଇସିସି ଘୋଷଣା କଲା ଟି20 ପୁରୁଷ କ୍ରିକେଟର ଅଫ୍‌ ଦି ଇୟର 2023 । କ୍ରମାଗତ ଦ୍ବିତୀୟ ଥର ଏହି ଆୱାର୍ଡ ଜିତି ରେକର୍ଡ କଲେ ସୂର୍ଯ୍ୟ କୁମାର ଯାଦବ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ପୁଣି ଚମକିଲେ ଭାରତୀୟ ଷ୍ଟାର କ୍ରିକେଟର ସୂର୍ଯ୍ୟ କୁମାର ଯାଦବ । 2023 ବର୍ଷ ପାଇଁ ଟି20 କ୍ରିକେଟର ଅଫ୍‌ ଦି ଇୟର ଭାବେ ସୂର୍ଯ୍ୟଙ୍କ ନାଁ ଘୋଷଣା କଲା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) । ସବୁଠାରୁ ବଡ଼ କଥା ହେଉଛି, କ୍ରମାଗତ ଦ୍ବିତୀୟ ଥର ପାଇଁ ଟି20 କ୍ରିକେଟର ଅଫ୍‌ ଦି ଇୟର ଭାବେ ଚୟନ ହୋଇଛନ୍ତି ସୂର୍ଯ୍ୟ କୁମାର । ଏହା ପୂର୍ବରୁ ମଧ୍ୟ ସେ 2022 ମସିହାରେ ମଧ୍ୟ ଶ୍ରେଷ୍ଠ ଟି20 କ୍ରିକେଟର ଭାବେ ମନୋନୀତ ହୋଇଥିଲେ । 2023 ବର୍ଷରେ ହାରାହାରି 50 ଓ 160ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରିଛନ୍ତି ଏହି ବିସ୍ଫୋରକ ବ୍ୟାଟର । ଜିମ୍ବାୱେର ଷ୍ଟାର କ୍ରିକେଟର ସିକନ୍ଦର ରାଜା, ଉଗାଣ୍ଡା କ୍ରିକେଟର ଅଲ୍ପେଶ ରମଜାନୀ ଓ ନ୍ୟୁଜିଲାଣ୍ଡର ମାର୍କ ଚାପମ୍ୟାନ୍‌ଙ୍କୁ ପଛରେ ପକାଇ ଏହି ଆୱାର୍ଡ ନିଜ ନାମରେ କରିଛନ୍ତି ସୂର୍ଯ୍ୟ ।

ଟି20ରେ ସୂର୍ଯ୍ୟଙ୍କ ଦମଦାର ପ୍ରଦର୍ଶନ: ସୂର୍ଯ୍ଯକୁମାର ଯାଦବ 2023 ମସିହାରେ 18 ଟି20 ମ୍ୟାଚ୍‌ରେ 17 ଇନିଂସ୍‌ ଖେଳି 45.90 ହାରରେ ଓ 168.89 ଷ୍ଟ୍ରାଇକ୍‌ରେଟ୍‌ରେ ସମୁଦାୟ 733 ରନ ସଂଗ୍ରହ କରିଛନ୍ତି । ଏହାରି ଭିତରେ ତାଙ୍କ ବ୍ୟାଟରୁ 2ଟି ଶତକ ଓ 5ଟି ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା । 2023 ଜାନୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ରାଜକୋଟରେ ସେ ଖେଳିଥିବା 51 ବଲରୁ ଅପରାଜିତ 112 ରନ ପାଳି ଏହି ବର୍ଷ ତାଙ୍କର ସର୍ବଶ୍ରେଷ୍ଠ ପାଳି ଥିଲା । ଏହା ବ୍ୟତୀତ 2022 ବର୍ଷରେ ସୂର୍ଯ୍ୟ କୁମାର 31 ମ୍ୟାଚ୍‌ ଓ 31 ଇନିଂସ୍‌ରେ 46.56 ହାରରେ ଓ 187.43 ଷ୍ଟ୍ରାଇକ୍‌ରେଟ୍‌ରେ 1,164 ରନ ସଂଗ୍ରହ କରିଥିଲେ । ଏହି ବର୍ଷ ତାଙ୍କ ବ୍ୟାଟ୍‌ରୁ 2ଟି ଶତକ ଓ 9ଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ICC ଘୋଷଣା କଲା ODI ଟିମ୍‌ ଅଫ୍‌ ଦି ଇୟର: ରୋହିତ ଅଧିନାୟକ, ଦଳରେ 6 ଭାରତୀୟ

ତେବେ ବର୍ଷ 2023ର ଟି20 କ୍ରିକେଟର ଅଫ୍‌ ଦି ଇୟର ଭାବେ ସୂର୍ଯ୍ୟ କୁମାର ଯାଦବଙ୍କ ନାଁ ଏକ୍ସରେ ଘୋଷଣା କରିଛି ଆଇସିସି । ଏହା ସହିତ ସୂର୍ଯ୍ୟ କୁମାରଙ୍କ ଏହି ଉପଲବ୍ଧିକୁ ନେଇ ବିସିସିଆଇ ମଧ୍ୟ ଏକ୍ସରେ ପୋଷ୍ଟ କରି ଖୁସି ପ୍ରକାଶ କରିଛି । ପ୍ରକାଶ ଥାଉ, 2022ରେ ମଧ୍ୟ ସୂର୍ଯ୍ୟ କୁମାର ଯାଦବ ଧୂଆଁଧାର ପ୍ରଦର୍ଶନ କରି ଏହି ଆୱାର୍ଡ ନିଜ ନାଁରେ କରିଥିଲେ । ଏଥର ପୁଣିଥରେ 2023ରେ ଦମଦାର ପ୍ରଦର୍ଶନ କରି କ୍ରମାଗତ ଦ୍ବିତୀୟ ଥର ପାଇଁ ବର୍ଷର ଶ୍ରେଷ୍ଠ ଟି20 କ୍ରିକେଟର ଆୱାର୍ଡ ହାତେଇଛନ୍ତି ସେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.