ETV Bharat / politics

ଦଳ ମୋ ପ୍ରତି ଅନ୍ୟାୟ କରିଛି: ସୁର - Sura Routray on his expulsion

author img

By ETV Bharat Odisha Team

Published : Apr 15, 2024, 9:23 PM IST

Sura Routray on his expulsion
Sura Routray on his expulsion

Sura Routray on his expulsion: କଂଗ୍ରେସରୁ ବହିଷ୍କାର ହେବା ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ସୁର ରାଉତରାୟ । କହିଲେ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଛି । ତାଙ୍କୁ ବହିଷ୍କାର କରିବା ଫଳରେ କଂଗ୍ରେସ ତାଙ୍କ ପୁଅ (ମନ୍ମଥ ରାଉତରାୟ)ଙ୍କ ଜିତିବା ସହଜ କରିଦେଲା ବୋଲି କହିଲେ ସୁର । ଅଧିକ ପଢ଼ନ୍ତୁ

Sura Routray on his expulsion

ଭୁବନେଶ୍ବର: ବିଶୃଙ୍ଖଳା ଆଚରଣ ଓ ଦଳ ବିରୋଧୀ କାର୍ଯ୍ୟ ପଡିଲା ମହଙ୍ଗା । ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ । କାର୍ଯ୍ୟାନୁଷ୍ଠାନ ନେଇଛି ଅଖିଳ ଭାରତ କଂଗ୍ରେସ କମିଟି ବା ଏଆଇସିସି । ଏନେଇ ଆଜି ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଡଃ ଅଜୟ କୁମାର । ତେବେ ଏହାପରେ ପ୍ରତିକ୍ରିୟା ରଖି କଂଗ୍ରେସ ଉପରେ ବର୍ଷିଛନ୍ତି ସୁର । ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ କହିଛନ୍ତି । ତେବେ କଂଗ୍ରେସ ତାଙ୍କୁ ବହିଷ୍କାର କରିବା ଫଳରେ ତାଙ୍କ ପୁଅ ତଥା ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ବିଜୟ ନିଶ୍ଚିତ ହୋଇଗଲା ବୋଲି ସେ କହିଛନ୍ତି ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ବାହାର କଲା କଂଗ୍ରେସ: ଭାରି ପଡିଲା ପୁତ୍ର ପ୍ରେମ । ବିରୋଧୀ ଦଳରୁ ପ୍ରାର୍ଥୀ ହୋଇଥିବା ପୁଅ ପାଇଁ କଲେ ପ୍ରଚାର । ଦଳୀୟ ପ୍ରାର୍ଥୀ ବଦଳରେ ପୁଅକୁ ସମର୍ଥନ କାରିବାକୁ ଭୋଟରଙ୍କୁ କରିଥିଲେ ଆହ୍ବାନ । ଏହାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାକୁ ଲାଗିଲା । ଦଳ ବିରୋଧୀ ମନ୍ତବ୍ୟ ବୋଲି ଦଳ ବିବେଚନା କଲା । ପିସିସି ଶୃଙ୍ଖଳା କମିଟି ଜାରି କରିଥିଲା କାରଣ ଦର୍ଶାଅ ନୋଟିସ । ଜବାବରେ ଅସନ୍ତୁଷ୍ଟ ହେଲା ପିସିସି ଶୃଙ୍ଖଳା କମିଟି । କାର୍ଯ୍ୟାନୁଷ୍ଠାନ ପାଇଁ ଏଆଇସିସିକୁ ସୁପାରିଶ କରିଥିଲା ପିସିସି ଶୃଙ୍ଖଳା କମିଟି । ମାସ ଆରମ୍ଭରେ ଅଭିଯୋଗ ଓ ମାସ ମଝିରେ କାର୍ଯ୍ୟାନୁଷ୍ଠାନ । ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ କଥା ।

'ଦଳ ମୋ ପ୍ରତି ଅନ୍ୟାୟ କରିଛି': ସେପଟେ ଦଳରୁ ବିଦା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, "ଦଳ ମୋ ପ୍ରତି ଅନ୍ୟାୟ କରିଛି । ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରିନାହିଁ । ମୋ ପୁଅକୁ ଟିକେଟ ଦେଇଛି ବିଜେଡି ଓ ନବୀନ ପଟ୍ଟନାୟକ । ସେଥିରେ ମୋର ଭୁଲ କଣ ? ଦଳ ପାଇଁ ସବୁବେଳେ ମୁଁ କାମ କରିଛି । ଆଗକୁ ମଧ୍ୟ କରିବି । ମୁଁ ମୋ କାମ କରିବି, କିଏ ମତେ କାହିଁକି ଅଟକେଇବ ? ଶରତ ପଟ୍ଟନାୟକଙ୍କୁ କାହିଁକି, ସିଧା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିବି । ଦଳ କାହିଁକି ମୋ ପ୍ରତି ଅନ୍ୟାୟ କରିଛି ତାର ମଧ୍ୟ ଜବାବ ମାଗିବି । ମୋ ପୁଅ କେଉଁ ଦଳରେ ଛିଡା ହେବ, ତାହା ତା'ର ନିଷ୍ପତ୍ତି । ତେଣୁ ମତେ ସେଥିପାଇଁ ଦଣ୍ଡ ଦିଆଯିବା ଅନୁଚିତ । ସମସ୍ତେ ଜାଣିଛନ୍ତି ମନ୍ମଥ ମୋ ପୁଅ । ମୁଁ କଂଗ୍ରେସରେ ୬୦ ବର୍ଷ କାମ କରିଛି । ମରିବା ଯାଏଁ କାମ କରିବି । କଂଗ୍ରେସ ମତେ ବିଦା କଲାପରେ ମନ୍ମଥ ଶହେ ଶହେରେ ଜିତିବ । ମୁଁ ଖୋର୍ଦ୍ଧା, ଜଟଣୀ, ଜୟଦେବ, ବୋଲଗଡ-ବେଗୁନିଆ ଏବଂ ଭୁବନେଶ୍ବର ଅଞ୍ଚଳରେ ଲୋକଙ୍କ ସେବା କରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ଭାରି ପଡ଼ିଲା ପୁଅ ପ୍ରେମ, କଂଗ୍ରେସରୁ ବହିଷ୍କାର ହେଲେ ସୁର - Sura Routray expelled from Congress

ପୁଅ ବିଜେଡିରୁ ପ୍ରାର୍ଥୀ ହେବା ପରେ ଆରମ୍ଭ ହୋଇଥିଲା ବିବାଦ: ଗତ କିଛିଦିନ ହେଲା ବେଶ ଚର୍ଚ୍ଚାରେ ରହି ଆସିଛନ୍ତି କଂଗ୍ରେସର ଏହି ଟାଣୁଆ ନେତା । ଜଟଣୀରୁ ବିଧାୟକ ଥିବା ସୁର ଚଳିତ ନିର୍ବାଚନ ପୂର୍ବରୁ ନିଜର ରାଜନୈତିକ ସନ୍ୟାସ ଘୋଷଣା କରିଛନ୍ତି । ତେଣୁ ସେ ଏଥର ନିର୍ବାଚନରେ ପ୍ରତିନିଧିତ୍ବ କରୁନହାନ୍ତି । ହେଲେ ତାଙ୍କ ସାନପୁଅ ମନ୍ମଥ ରାଉତରାୟ ଏଥର ନିର୍ବାଚନ ମୈଦାନରେ ଅଛନ୍ତି । କିନ୍ତୁ ସେ କଂଗ୍ରେସର ପ୍ରାର୍ଥୀ ନୁହେଁ । ବିଜେଡିର ପ୍ରାର୍ଥୀ ହୋଇଛନ୍ତି ମନ୍ମଥ । ସୁରଙ୍କ ପାରମ୍ପରିକ ଆସନ ପରିବର୍ତ୍ତେ ବିଜେଡି ଟିକେଟରେ ଭୁବନେଶ୍ବର ଲୋକସଭା ଆସନରୁ ଲଢ଼ୁଛନ୍ତି ମନ୍ମଥ । ପୁଅ ତାଙ୍କ ସ୍ଥାନରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ସୁର କହି ଆସୁଥିଲେ । ହେଲେ ପୁଅର ନିଷ୍ପତ୍ତି ସବୁ କିଛି ବଦଳେଇ ଦେଇଥିଲା । ପାରିବାରିକ ସମସ୍ୟା ସୃଷ୍ଟି ହୋଇଥିଲା ।

ବିଜେଡି ପାଇଁ ମାଗିଥିଲେ ଭୋଟ: ନିର୍ବାଚନ ପୂର୍ବରୁ କଂଗ୍ରେସର ଏହି ବରିଷ୍ଠ ନେତାଙ୍କ ପାରିବାରିକ କଳି ଦାଣ୍ଡରେ ପଡି ହାଟରେ ଗଡ଼ିଲା । ହେଲେ ପୁଅ ମନ୍ମଥଙ୍କୁ ସମର୍ଥନ କରି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକ କ୍ରୀଡା କାର୍ଯ୍ୟକ୍ରମରେ ସାମିଲ ହୋଇ ଡବଲ ଶଙ୍ଖଙ୍କୁ ଭୋଟ ଦେବାକୁ ସୁର କହିଥିଲେ । ଉତ୍ତର ଭୁବନେଶ୍ବରରେ ବିଜେଡି ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବିଜେଡି ପାଇଁ ଭୋଟ ମାଗିବା ଭିଡିଓ ଭାଇରାଲ ହେବାରୁ ଅଡ଼ୁଆରେ ପଡିଥିଲେ ସୁର । ସୁରଙ୍କୁ କାରଣ ଦର୍ଶାଅ ନୋଟିସ ପିସିସି ପକ୍ଷରୁ ମାର୍ଚ୍ଚ ୨୯ରେ ଜାରି ହୋଇଥିଲା । ପୁଅ ପାଇଁ ସୁରଙ୍କ ଦୀର୍ଘ ରାଜନୈତିକ ଜୀବନରେ ଏବେ କଳା ବାଦଲ ଘେରି ଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.