ETV Bharat / politics

କାହାର ହେବ ଜୁନାଗଡ଼: ମୈଦାନରେ 3 ପ୍ରମୁଖ ଯୋଦ୍ଧା, ଏଥର ରିପିଟ୍‌ ନା ପରିବର୍ତ୍ତନ ! - junagarh assembly constituency

author img

By ETV Bharat Odisha Team

Published : Apr 15, 2024, 8:08 PM IST

Junagarh Assembly Constituency
Junagarh Assembly Constituency

Junagarh Assembly Constituency: ଜୁନାଗଡ ମୈଦାନରେ 3 ପ୍ରମୁଖ ଯୋଦ୍ଧା । ରିପିଟ୍‌ ନା ପରିବର୍ତ୍ତନ ହେବେ ବିଧାୟକ । କାହାକୁ ଗ୍ରହଣ କରିବେ ଜୁନାଗଡବାସୀ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରାର୍ଥୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ । ଦେଖନ୍ତୁ ଏହି ରିପୋର୍ଟ

Junagarh Assembly Constituency

ଭବାନୀପାଟଣା/ଜୁନାଗଡ: ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବେ କଳାହାଣ୍ଡି ସମେତ 4 ଜିଲ୍ଲା । ପ୍ରାର୍ଥୀ ଘୋଷଣା ପରେ ଉଷ୍ମ ହେଲାଣି କଳାହାଣ୍ଡି ରାଜନୀତି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରି ଦେଲାଣି ତିନି ପ୍ରମୁଖ ରାଜନୈତିକ ଦଳ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ହେଉଛି ପଶ୍ଚିମ-ଓଡ଼ିଶାର ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଦିନେ କଂଗ୍ରେସର ଗଡ଼ ଭାବରେ ପରିଚିତ ଥିବା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଏବେ ବିଜେଡିର ଗଡ ଭାବରେ ପରିଚିତ ।

ଏଥର କାହାର ହେବ ଜୁନାଗଡ଼, ରିପିଟ ନା ପରିବର୍ତ୍ତନ !
ଏଥର କାହାର ହେବ ଜୁନାଗଡ଼, ରିପିଟ ନା ପରିବର୍ତ୍ତନ !

ଜୁନାଗଡ଼ ବ୍ଲକର ୩୪ ଓ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ପଞ୍ଚାୟତ ସମେତ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ଗଠିତ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୨୪ ହଜାର ୩୧୩ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୨୧ ହଜାର ୪୨୧ ଜଣ ମହିଳା ଭୋଟର ରହିଛନ୍ତି ସେହିପରି ୪୩୫ ଜଣ ନବାଗତ ଭୋଟର ଓ ୪ଜଣ ତୃତୀୟଲିଙ୍ଗୀ ଭୋଟର ରହିଥିବା ସରକାରୀ ତଥ୍ୟ କହୁଛି । ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଙ୍କ ମଧ୍ୟ ସେତିକି ତତ୍ପରତା ପ୍ରକାଶ ପାଇଛି ।

ଘୋଷଣା ସରିଛି 3 ପ୍ରମୁଖ ଦଳର ପ୍ରାର୍ଥୀ:- ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ଏବେ ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି । ସେପଟେ ବିଜେଡି ପକ୍ଷରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରି ଯାଇଛି । ଦିବ୍ୟଶଙ୍କର ଗତ ଦୁଇଟି ନିର୍ବାଚନରେ ବିଜୟ ହାସଲ କରି ନବୀନଙ୍କ ମନ୍ତ୍ରୀମଣ୍ଡଳରେ ମଧ୍ୟ ସ୍ଥାନ ପାଇଛନ୍ତି । ସେହିପରି ବରିଷ୍ଠ ବିଜେପି ନେତା ମନୋଜ ମେହେରଙ୍କୁ ପୁଣି ଥରେ ବିଜେପିରୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ନୂଆଁ ଚେହେରାକୁ ସାମ୍ନାକୁ ଆଣି ତୁଲେଶ୍ୱର ନାଏକଙ୍କୁ ପ୍ରାର୍ଥୀ କରିଛି । ବିଜେଡି ପ୍ରାର୍ଥୀ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ବିକାଶ ରେକର୍ଡକୁ ନେଇ ଭୋଟରଙ୍କ ପାଖକୁ ଯାଉଥିବା ବେଳେ ସେପଟେ ବିଜେପି ଓ କଂଗ୍ରେସ ନମିତା ମେହେର ହତ୍ୟାକାଣ୍ଡ ଘଟଣା ସହ ବେକାରୀ ସମସ୍ୟା ଓ ଦାଦନ ସମସ୍ୟାକୁ ମୁଖ୍ୟ ମୁଦ୍ଦା କରି ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ।

ପୂର୍ବ ନିର୍ବାଚନ ଫଳାଫଳ:

ଏଥର କାହାର ହେବ ଜୁନାଗଡ଼, ରିପିଟ ନା ପରିବର୍ତ୍ତନ !
ଏଥର କାହାର ହେବ ଜୁନାଗଡ଼, ରିପିଟ ନା ପରିବର୍ତ୍ତନ !

2009 ନିର୍ବାଚନର ଫଳାଫଳ:- ବିଗତ ନିର୍ବାଚନକୁ ଯଦି ବିଶ୍ଳେଷଣ କରାଯାଏ ତେବେ ୨୦୦୯ ରେ ଜୁନାଗଡକୁ କଂଗ୍ରେସ ବିଜୟ କରିଥିଲା । ୨୦୦୯ ରେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାଶ ୪୫ ହଜାର ୩୪୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବୀର ସିପକା ୩୮ ହଜାର ୮୧୨ ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ହିମାଂଶୁ ମେହେରଙ୍କୁ ୩୪ ହଜାର ୩୩୪ ଖଣ୍ଡ ଭୋଟ ମିଳିଥିଲା ।

2014 ରେ ବଦଳିଲା ସମୀକରଣ:- ୨୦୧୪ରେ କିନ୍ତୁ ରାଜନୀତିର ସମୀକରଣ ବଦଳି ଯାଇଥିଲା । ନୂଆଁ କରି ରାଜନୀତିରେ ପାଦ ଦେଇଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ସେହି ସମୟରେ ଦିବ୍ୟଶଙ୍କର ମିଶ୍ର ୫୬ ହଜାର ୪୪୩ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଥିଲେ । ବିଜେପି ପ୍ରାର୍ଥୀ ଅନିଲ ସିଂହଦେଓ ୪୬ ହଜାର ୪୯୭ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଦାସ ୩୮ ହଜାର ୭୧୫ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ ।

2019ରେ 2ୟ ଥର ଜିତିଥିଲେ ଦିବ୍ୟ :- ସେହିପରି ୨୦୧୯ ମସିହା ନିର୍ବାଚନ ସମୟରେ ବିଜେଡିରୁ ପୁଣି ଥରେ ପ୍ରାର୍ଥୀ ହୋଇଥିଲେ ଦିବ୍ୟଶଙ୍କର ମିଶ୍ର ଓ ୮୩ ହଜାର ୭୮୯ ଖଣ୍ଡ ଭୋଟ ପାଇ ବିଜୟ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ମନୋଜ ମେହେର ୫୫ ହଜାର ୯୩୦ ଖଣ୍ଡ ଭୋଟ ପାଇଥିଲେ ଓ କଂଗ୍ରେସ ପ୍ରାର୍ଥୀ ଅନିଲ ସିଂହଦେଓଙ୍କୁ ୩୨ ହଜାର ୩୪୩ ଖଣ୍ଡ ଭୋଟ ମିଳିଥିଲା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.