ETV Bharat / politics

କ୍ୟାବିନେଟରେ ବିଜେପି ହେଭିୱେଟ ଅନୀଲ ବିଜଙ୍କୁ ମିଳିଲାନି ସ୍ଥାନ, ଅଧାରୁ ଛାଡ଼ିଥିଲେ ବିଧାୟକ ଦଳ ବୈଠକ

author img

By ETV Bharat Odisha Team

Published : Mar 12, 2024, 11:01 PM IST

କ୍ୟାବିନେଟରୁ ବାଦ ପଡିଲେ ବିଜେପି ହେଭିଓ୍ବେଟ ଅନିଲ ବିଜ
କ୍ୟାବିନେଟରୁ ବାଦ ପଡିଲେ ବିଜେପି ହେଭିଓ୍ବେଟ ଅନିଲ ବିଜ

BJP Drops Senior Minister Anil Vij From Cabinet: ବିଜେପି ହେଭିୱେଟ ଅନୀଲ ବିଜଙ୍କୁ ମିଳିଲା ନାହିଁ ହରିୟାଣା ନୂଆ କ୍ୟାବିନେଟରେ ସ୍ଥାନ । ଖଟ୍ଟର ସରକାରରେ ଥିଲେ ଗୃହମନ୍ତ୍ରୀ । ଆମ୍ବାଲାରୁ 6ଥର ଜିତିଛନ୍ତି ବିଧାନସଭା ନିର୍ବାଚନ । ଅଧିକ ପଢନ୍ତୁ

ଚଣ୍ଡିଗଡ/ନୂଆଦିଲ୍ଲୀ: 2014 ମସିହାରୁ ହରିୟାଣାରେ କ୍ରମାଗତ ଶାସନରେ ରହିଆସିଥିବା ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତା ସମୀକରଣରେ ପରିବର୍ତ୍ତନ କରିଛି । ତେବେ କୌଣସି ସଂଖ୍ୟା ଅଭାବ ନୁହେଁ ବରଂ କ୍ଷମତା ବିରୋଧୀ ହାଓ୍ବା ବା ଆଣ୍ଟି ଇନକମ୍ବେନ୍ସିଂ ଫ୍ୟାକ୍ଟରକୁ ଏଡାଇବା ପାଇଁ ବିଜେପି ଏପରି କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି । ଦଳ ରାଜ୍ୟରେ କ୍ଷମତା ଅପରିବର୍ତ୍ତିତ ରଖିଥିବାବେଳେ, କେବଳ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନୁହନ୍ତି ବରଂ ଅନ୍ୟ ଜଣେ ବରଷ୍ଠ ନେତା ତଥା ଗୃହମନ୍ତ୍ରୀ ଅନୀଲ ବିଜ ମଧ୍ୟ କ୍ୟାବିନେଟରୁ ବାଦ ପଡିଛନ୍ତି । ଖଟ୍ଟରଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳ ଭଙ୍ଗ ହୋଇଥିଲା । ନ୍ୟାୟବ ସିଂ ସୈନି ମୁଖ୍ୟମନ୍ତ୍ରୀ ହେଲେ । ପୂର୍ବ ସରକାରରେ କ୍ଷମତା ନମ୍ବର 2 କୁହାଯାଉଥିବା ଗୃହମନ୍ତ୍ରୀ ଅନୀଲ ବିଜଙ୍କୁ କିନ୍ତୁ ନୂଆ କ୍ୟାବିନେଟରେ ମନ୍ତ୍ରୀପଦରୁ ଦୂରରେ ରଖିଛି ଦଳ ।

ବିଜେପିର ଏହି ବରିଷ୍ଠ ନେତା ଆମ୍ବାଲା ବିଧାନସଭା ଆସନରୁ 6ଥର ବିଧାୟକ ହୋଇଛନ୍ତି । 2009ରୁ ସେ କ୍ରମାଗତ ବିଜୟୀ ହୋଇଆସିଛନ୍ତି । ତେବେ ଆଜି ମନ୍ତ୍ରୀମଣ୍ଡଳ ଭଙ୍ଗ ହେବା ପରେ ଦୁଷ୍ୟନ୍ତ ଚୌଟାଲା ଉପମୁଖ୍ୟମନ୍ତ୍ରୀ ପଦ ଛାଡିଥିଲେ । ଏହି ପଦ ଗୃହମନ୍ତ୍ରୀ ଅନୀଲଙ୍କୁ ମିଳିବା ନେଇ ଅନୁମାନ କରାଯାଉଥିଲା । ପରେ ବସିଥିବା ଦଳର ବିଧାୟକ ଦଳ ବୈଠକରେ ସୈନିଙ୍କୁ ନେତା ନିର୍ବାଚିତ କରାଯିବା ପରେ ଅନୀଲ ନାରାଜ ହୋଇଥିଲେ ଓ ସଭା ମଝିରୁ ଉଠି ପଳାଇଥିଲେ । ଏହି ବୈଠକରେ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ମଧ୍ୟ ଯୋଗ ଦେଇଥିଲେ । ଏହାପରେ ଅନୀଲଙ୍କୁ ନୂତନ ସରକାରର ଶପଥଗ୍ରହଣ ସମାରୋହରେ ମଧ୍ୟ ଦେଖିବାକୁ ମିଳିନଥିଲା ।

ଏହା ମଧ୍ୟ ପଢନ୍ତୁ :- ସୁପ୍ରିମକୋର୍ଟଙ୍କ ଛାଟ ପରେ ନିର୍ବାଚନ ଆୟୋଗଙ୍କୁ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

ତେବେ ମନୋହରଲାଲ ଖଟ୍ଟରଙ୍କୁ ଚଳିତ ଲୋକସଭା ନିର୍ବାଚନ ଲଢାଇବା ନେଇ ଦଳ ମନସ୍ତ କରିସାରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଦଳର ପରବର୍ତ୍ତୀ ପ୍ରାର୍ଥୀ ତାଲିକାରେ ଖଟ୍ଟରଙ୍କ ନାମ କୌଣସି ଚର୍ଚ୍ଚିତ ଆସନରୁ ପ୍ରକାଶ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହିକ୍ରମରେ ଅନୀଲଙ୍କୁ ମନ୍ତ୍ରୀପଦ ନମିଳିବା ମଧ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ତାଙ୍କ ମଧ୍ୟ ଦଳ ସଂସଦ ପଠାଇବା ନେଇ ଲକ୍ଷ୍ୟ ରଖିଥାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.