ETV Bharat / politics

ଜଗତସିଂହପୁର 4 ବିଧାନସଭା ନିର୍ବାଚନ ମଣ୍ଡଳୀରୁ କିଏ ହେବ କଂଗ୍ରେସ ପ୍ରାର୍ଥୀ ? ରେସ୍‌ରେ ନୂଆ ଚେହେରା ଅନେକ - Odisha Assembly Election 2024

author img

By ETV Bharat Odisha Team

Published : Apr 14, 2024, 12:59 PM IST

Jagatsinghpur Congress
Jagatsinghpur Congress

Jagatsinghpur Congress: ଜଗତସିଂହପୁର ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ଆଶାୟୀ ଭାବେ ଅନେକ ଚେହେରା ଥିବା ବେଳେ କାହା ଉପରେ ଦଳ ଭରସା କରିବ ସେନେଇ ଚର୍ଚ୍ଚା ଜୋର । ଅଧିକ ପଢନ୍ତୁ

Jagatsinghpur Congress

ଜଗତସିଂହପୁର: ନିର୍ବାଚନ ପାଖେଇ ଆସୁଥିବା ବେଳେ କଂଗ୍ରେସର ଛିଣ୍ଟୁନି ଟିକେଟ ଅଙ୍କ । ଜଗତସିଂହପୁର ଜିଲ୍ଲାରେ ବିଜେଡି ଓ ବିଜେପି ପ୍ରାର୍ଥୀ ନାଁ ଘୋଷଣା କରିବାରେ ଆଗରେ ଥିବା ବେଳେ ପଛରେ ପଡିଯାଇଛି କଂଗ୍ରେସ । ଜିଲ୍ଲା କଂଗ୍ରେସର 2 ହେଭିଓ୍ୱେଟ ଚିରଞ୍ଜୀବ ବିଶ୍ୱାଳ ଓ ବାପି ସର୍ଖେଲ ଦଳ ଛାଡିବା ପରେ ଅନେକ ନୂଆ ଟିକଟ ଆଶାୟୀ ଚେହେରା ସାମ୍ନାକୁ ଆସୁଛି ।

ଜଗତସିଂହପୁର ଜିଲ୍ଲାର ଚାରୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ଥାତ୍ ଜଗତସିଂହପୁର, ତିର୍ତ୍ତୋଲ, ବାଲିକୁଦା-ଏରସମା ଓ ପାରାଦ୍ୱୀପ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ । ତେବେ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ଭାବେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରଧ୍ୟକ୍ଷା ବିପ୍ଳବ ଚୌଧୁରୀଙ୍କ ନାଁ ଚର୍ଚ୍ଚାରେ ରହିଛି । ବିପ୍ଳବ ଚୌଧୁରୀ ନିର୍ବାଚନ ଲଢିବାକୁ ରାଜି ହେଉନଥିବା ବେଳେ ଅର୍ଚ୍ଚନା ସିଂହ ନିର୍ବାଚନ ଲଢିପାରନ୍ତି ବୋଲି ଆଶା କରାଯାଉଛି ।

ସେହିଭଳି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ହିମାଂଶୁ ମଲ୍ଲିକ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି । 2022 ଉପନିର୍ବାଚନରେ ଇଞ୍ଜିନିୟର ହିମାଂଶୁ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଥିଲା । ହେଲେ ବିଜେଜି ପ୍ରାର୍ଥୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କ ଠାରୁ ପରାଜୟ ହୋଇଥିଲେ । କିନ୍ତୁ ସେ ଜିଲ୍ଲା କଂଗ୍ରେସରେ ବେଶ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ତେଣୁ ଦଳ ତାଙ୍କୁ ଟିକଟ ଦେବାର ସମ୍ଭାବନା ବେଶ ଅଧିକ ରହିଛି ।

ଏହାମଧ୍ୟ ପଢନ୍ତୁ.. ରାଜ୍ୟରେ 9 ଲୋକସଭା ପ୍ରାର୍ଥୀ ଦେଲା କଂଗ୍ରେସ: ଭୁବନେଶ୍ବରରୁ ୟାସିର ନଓ୍ବାଜ, ବାଲେଶ୍ବରରୁ ଶ୍ରୀକାନ୍ତ - Congress Announces Candidates

ଅନ୍ୟପଟେ ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ଦଳ ଯୁବ ନେତା ସଞ୍ଜିତ ନାୟକଙ୍କୁ ପ୍ରାର୍ଥୀ କରିବାର ମଧ୍ୟ ସମ୍ଭାବନା ରହିଛି । ପାରାଦ୍ୱୀପରେ ବାପି ସର୍ଖେଲ କଂଗ୍ରେସ ସଂଗଠନ କରିବା ସମୟରେ ସଞ୍ଜିତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବାପି ଦଳ ଛାଡିଥିଲେ ମଧ୍ୟ ସଞ୍ଜିତ ଦଳରେ ରହି ସଂଗଠନକୁ ସୁସଂଗଠିତ କରୁଥିବାରୁ ଦଳ ତାଙ୍କ ନାମ ଆଗରେ ରଖିଥିବା ଖବର ମିଳିଛି । ସେହିପରି ବାଲିକୁଦା ଏରସମା ଆସନରୁ ପୂର୍ବତନ ବିଧାୟକ ଲାଲଟେନ୍ଦୁ ମହାପାତ୍ର କଂଗ୍ରେସରୁ ପ୍ରାର୍ଥୀ ହେବାକୁ ମନା କରିବା ପରେ ଏହି ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ କାନୁନଗୋଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ତେବେ ନଳିନୀ ସ୍ୱାଇଁ ମଧ୍ୟ ଏହି ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ଲବିରେ ଅଛନ୍ତି । କଂଗ୍ରେସ ଜଗତସିଂହପୁର ଲୋକସଭା କ୍ଷେତ୍ର ପାଇଁ ରବୀନ୍ଦ୍ର ସେଠୀଙ୍କ ନାଁ ଘୋଷଣା କରିଥିବା ବେଳେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଚୂଡାନ୍ତ ବିଧାୟକ ପ୍ରାର୍ଥୀ ତାଲିକା ପ୍ରକାଶ କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲାରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ 45 ଜଣ ଆବେଦନ କରିଥିବା ବେଳେ ସାଂସଦ ପ୍ରାର୍ଥୀ ପାଇଁ 7ଜଣ ଆବେଦନ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.