ETV Bharat / politics

ନାଉଗାଁରେ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ, ବିଜେଡିରେ ଯୋଗଦେବା ପ୍ରଶ୍ନକୁ ଏଡ଼ାଇଲେ

author img

By ETV Bharat Odisha Team

Published : Feb 25, 2024, 10:42 PM IST

ନାଉଗାଁରେ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ
ନାଉଗାଁରେ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ

Chiranjib Biswal Power Show: ନାଉଗାଁରେ ଜଗତସିଂହପୁରର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳଙ୍କ ଶକ୍ତି ପ୍ରଦର୍ଶନ । ବିଜେଡିରେ ଯୋଗ ଦେବା ଚର୍ଚ୍ଚାର ଉତ୍ତର ଦେଇ କହିଲେ 'ସମୟ ବଡ଼ ବଳବାନ' । ଅଧିକ ପଢ଼ନ୍ତୁ

ନାଉଗାଁରେ ଚିରଞ୍ଜୀବଙ୍କ ଶକ୍ତି ପ୍ରଦର୍ଶନ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ହାଟ ପଡିଆରେ ଆଜି ଜଗତସିଂହପୁରର ପୂର୍ବତନ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ବାଳ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରି ନିଜର ଶକ୍ତି ପଦର୍ଶନ କରିଛନ୍ତି । ନାଉଗାଁ ବ୍ଲକର ୧୬ଟି ପଞ୍ଚାୟତର ହଜାର ହଜାର କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିର୍ଦ୍ଧାରିତ ସମୟର ୧ ଘଣ୍ଟା ବିଳମ୍ବରେ ପୂର୍ବତନ ବିଧାୟକ ନାଉଗାଁରେ ପହଞ୍ଚିଥିଲେ । ସେଠାରୁ କଂଗ୍ରେସ କର୍ମୀମାନେ ତାଙ୍କୁ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛୋଟି ନେଇଥିଲେ । ଦୀର୍ଘଦିନ ପରେ ଚିରଞ୍ଜୀବଙ୍କୁ ପାଖରେ ପାଇ କଂଗ୍ରେସ କର୍ମୀମାନେ ଉତ୍ସାହିତ ହୋଇପଡ଼ିଥିଲେ ।

ଚିରଞ୍ଜୀବ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ସେ କର୍ମୀ ମାନଙ୍କ ସହିତ ରହିଛନ୍ତି । ଆଗକୁ ଏକ ବିରାଟ କର୍ମୀ ସମ୍ମିଳନୀ କରାଯିବ ବୋଲି ଘୋଷଣା କରିଥିଲେ । ଚିରଞ୍ଜୀବ ଏଥର କଂଗ୍ରେସରୁ ଜଗତସିଂହପୁର ବିଧାନସଭା ଆସନ ପାଇଁ ଲଢ଼ିବେ ନାଁ ଦଳ ବଦଳାଇବେ, ସେନେଇ ସ୍ପଷ୍ଟ କରିନଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ଚିରଞ୍ଜୀବ ବିଶ୍ବାଳ ୬୧ ହଜାର ୪୭୪ ହଜାର ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ୭୦ ହଜାର ୧୧୬ ଭୋଟ ପାଇଥିଲେ । ମାତ୍ର ୮ ହଜାର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ନିର୍ବାଚନରେ ଚିରଞ୍ଜୀବ ବିଶ୍ବାଳ ହାରିବା ପରେ ଆଉ ଜଗତସିଂହପୁରକୁ ଆଉ ଆସିନଥିଲେ । ଫଳରେ କଂଗ୍ରେସ କର୍ମୀମାନେ ହତୋତ୍ସାହିତ ହୋଇ ପଡ଼ିଥିଲେ । କଂଗ୍ରେସର ଅନ୍ତଃକନ୍ଦଳକୁ ନେଇ ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଚିରଞ୍ଜୀବ ବିଶ୍ବାଳ ପିସିସି ସଭାପତିଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ ପିସିସି ସଭାପତି ତାଙ୍କୁ ଦଳରୁ ନିଲମ୍ବିନ କରିଥିଲେ । ଗତ ଦୁଇମାସ ତଳେ ଚିରଞ୍ଜୀବଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହେବାପରେ ସେ ଆଜି ବନ୍ଧୁ ମିଳନ ନାମରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ନିଲମ୍ବନ ପରେ ବି ଗତ ୩ ମାସ ତଳେ ଜଗତସିଂହପୁର ପୌର ପରିଷଦ ୪ ନମ୍ବର ୱାର୍ଡର ଉପନିର୍ବାଚନରେ ସେ କଂଗ୍ରେସ ପାଇଁ ପ୍ରଚାର କରୁଥିବା ଦେଖବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ, ୨୬ରେ ଘେରିବ ସଚିବାଳୟ

ତେବେ ଆଜିର ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ କଂଗ୍ରେସ ଦଳର ଚିହ୍ନ ଦେଖିବାକୁ ମିଳିନଥିଲା । ଚିରଞ୍ଜୀବ ବିଜେଡିରେ ମିଶିବା ପାଇଁ ଜଗତସିଂହପୁରରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ଚିରଞ୍ଜୀବ । ସେ କହିଥିଲେ, "ସମୟ ବଡ଼ ବଳବାନ । ସମୟକୁ ଅପେକ୍ଷା କରନ୍ତୁ । ମୁଁ ବିଜେଡିରୁ ପ୍ରାର୍ଥୀ ହେଉଛି କି କଂଗ୍ରେସରୁ, ତାହା ଆଗାମୀ ଦିନରେ ଜଣା ପଡିବ ।" ଏହାକୁ ନେଇ କଂଗ୍ରେସ କର୍ମୀ କହିଛନ୍ତି, "ଚିରଞ୍ଜୀବ ବାବୁଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଛି । ଚିରଞ୍ଜୀବ ବାବୁ ଯେଉଁ ଦଳକୁ ଯିବେ ଆମେ ତାଙ୍କ ସହିତ ରହିବୁ ।" ତେବେ ଦଳୀୟ ଚିହ୍ନ ନଥାଇ ଆଜିର ଏହି କାର୍ଯ୍ୟକ୍ରମ ଏକ ଭିନ୍ନ ଦିଗକୁ ଇସାରା କରୁଛି । କିଛିଦିନ ହେବ ଚିରଞ୍ଜୀବ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଥିଲା । ଦଳୀୟ ଚିହ୍ନ ନରହିବା ଓ ସମୟକୁ ଅପେକ୍ଷା ଭଳି ମନ୍ତବ୍ୟ ରାଜନୈତିକ ବାତାବରଣ ଉଷ୍ମ କରିଛି । ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଜିଲ୍ଲା ସଭାପତି କିମ୍ବା ଜଗତସିଂହପୁରର କୌଣସି ବଡ଼ ନେତାଙ୍କୁ ଦେଖିବାକୁ ମିଳିନଥିଲା ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.