ETV Bharat / politics

କ୍ରୀଡା ରାଜନୀତିରୁ ଲୋକସଭା ପ୍ରାର୍ଥୀ, ସମ୍ବଲପୁରରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ କଂଗ୍ରେସ ଟିକେଟ୍‌ - Lok Sabha Election 2024

author img

By ETV Bharat Odisha Team

Published : Apr 21, 2024, 7:37 PM IST

Lok Sabha Election 2024
Lok Sabha Election 2024

Lok Sabha Election 2024: ସମ୍ବଲପୁର ଲୋକସଭା ଆସନରୁ ଯୁବନେତା ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । କ୍ରୀଡ଼ା ରାଜନୀତିରୁ ସିଧାସଳଖ ହେଭିୱେଟ୍‌ଙ୍କୁ ମୁକାବିଲା କରିବେ ଦୁଲାଲ । ଅଧିକ ପଢ଼ନ୍ତୁ

Lok Sabha Election 2024

ସମ୍ବଲପୁର: କ୍ରୀଡ଼ା ରାଜନୀତିରୁ ସିଧାସଳଖ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଯୁବନେତା ଦୁଲାଲ ଚନ୍ଦ୍ର ପ୍ରଧାନ । ତାହା ପୁଣି ସମ୍ବଲପୁର ପରି ମର୍ଯ୍ୟାଦାସମ୍ପନ୍ନ ଲୋକସଭା ଆସନ ପାଇଁ । ଏହି ଆସନରେ ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବେଜେଡିରୁ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରି ଦୁଇ ହେଭିୱେଟ୍‌ ନିର୍ବାଚନୀ ମୈଦାନରେ ପୂର୍ବରୁ ଓହ୍ଲାଇ ସାରିଥିବାବେଳେ କଂଗ୍ରେସ ଦଳ ଏହି ଯୁବନେତାଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଚକିତ କରିଛି । ଅମରନାଥ ପ୍ରଧାନଙ୍କ ପରି ପୂର୍ବତନ ସାଂସଦ ତଥା ଅଭିଜ୍ଞ ନେତା ଥାଉ ଥାଉ ଦଳ ଦୁଲାଲଙ୍କ ଉପରେ ଭରସା କରିଛି ।

ସମ୍ବଲପୁର ଲୋକସଭା ସିଟ୍‌ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ଦୁଲାଲ ଚନ୍ଦ୍ର ପ୍ରଧାନ । କ୍ରୀଡା ରାଜନୀତିରୁ ସିଧାସଳଖ ସାଧାରଣ ନିର୍ବାଚନୀ ମୈଦାନକୁ ଲମ୍ଫ ମାରିଛନ୍ତି ଦୁଲାଲ । କଂଗ୍ରେସ ତାଙ୍କୁ ସମ୍ବଲପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ସମ୍ବଲପୁର ଲୋକସଭା ସିଟ୍‌ ପାଇଁ ପୂର୍ବରୁ ବିଜେପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଜାତୀୟ ରାଜନୀତିର ଫୋକସରେ ରହିଛନ୍ତି । ଏହି ଲୋକସଭା କ୍ଷେତ୍ରରେ ଏଥର ଏକ ବଡ଼ ରାଜନୈତିକ ମହାସଂଗ୍ରାମ ହେବାକୁ ଯାଉଛି । ଏଭଳି ସ୍ଥିତିରେ କଂଗ୍ରେସ ସେମାନଙ୍କ ମୁକାବିଲା ପାଇଁ ଦୁଲାଲଙ୍କ ପରି ଯୁବନେତାଙ୍କୁ ମୈଦାନକୁ ଓହ୍ଲାଇଛି । ଦୁଲାଲ ବହୁ ଦିନରୁ କଂଗ୍ରେସ ଦଳରେ ଥିବାବେଳେ 2009-14 ପର୍ଯ୍ୟନ୍ତ ପୂର୍ବତନ ସାଂସଦ ଅମରନାଥ ପ୍ରଧାନଙ୍କ ପ୍ରତିନିଧି ଦାୟିତ୍ବ ମଧ୍ୟ ନେଇ ସାରିଛନ୍ତି ।

ଉଭୟ ଧର୍ମେନ୍ଦ୍ର ଓ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା କ୍ଷେତ୍ରର ବାହାର ବାସିନ୍ଦା ହୋଇଥିବା ଦୁଲାଲ ହେଉଛନ୍ତି ଏକମାତ୍ର ପ୍ରାର୍ଥୀ, ଯିଏ ସମ୍ବଲପୁର ଟାଉନର ନିବାସୀ । ବର୍ତ୍ତମାନ ବାହାରିଆ ନେତା ପ୍ରସଙ୍ଗ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଦୁଲାଲ ଏହାକୁ କେତେଦୂର ନିଜ ସପକ୍ଷରେ ଆଣିପାରିବେ ତାହା ସମୟ କହିବ । ବର୍ତ୍ତମାନ ସେ ସମ୍ବଲପୁର ଜିଲ୍ଲା କ୍ରୀଡ଼ାସଂଘର ଉପସଭାପତି ଥିବାବେଳେ ସେ ଓଡ଼ିଶା ଅଲିମ୍ପିକ ସଂଘ, ଓଡ଼ିଶା କ୍ରିକେଟ ସଂଘ ଆଦି ରାଜ୍ୟସ୍ତରୀୟ କ୍ରୀଡ଼ାନୁଷ୍ଠାନର ବିଭିନ୍ନ ପଦରେ ଦାୟିତ୍ବ ନିର୍ବାହ କରିସାରିଛନ୍ତି । ସୂଚନାଯୋଗ୍ୟ, ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ତୃତୀୟ ସ୍ଥାନରେ ରହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...୩ ଲୋକସଭା ଓ ୧୬ ବିଧାନସଭା ପାଇଁ ପ୍ରାର୍ଥୀ ଦେଲା କଂଗ୍ରେସ: ନିମାପଡାରୁ ଲଢିବେ ସୁରଙ୍କ ପୁଅ - Congress Candidates List

ଦୁଲାଲ ପ୍ରାର୍ଥୀ ହେବା ପରେ ଖୁସି ବ୍ୟକ୍ତ କରିବା ସହ ଦଳ ତାଙ୍କ ଉପରେ ଭରସା କରିଥିବାରୁ ସେ ଦଳର ଜାତୀୟ ତଥା ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ସେ କହିଛନ୍ତି, "ପୂର୍ବର ନିର୍ବାଚନ ଗୁଡିକରେ ସମ୍ବଲପୁର ଜିଲ୍ଲା ବାହାରୁ କଂଗ୍ରେସ ପ୍ରାର୍ଥୀ ଦେଉଥିଲା, ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାରୁ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବା ଖୁସିର କଥା । ଏଠାରେ ୨ ଜଣ ହେଭିୱେଟ୍‌ଙ୍କ ସହ ଲଢେଇ କରିବାରେ ମଜା ଆସିବ । ପୂର୍ବରୁ ସମ୍ବଲପୁର କଂଗ୍ରେସର ଗଡ଼ଥିଲା । ନିଶ୍ଚିତଭାବେ ଦଳ ଭିତରେ କିଛି ଦୁର୍ବଳତା, ଭୁଲ ବୁଝାମଣା ବା ତ୍ରୁଟି ରହିଛି, ଏହାକୁ ଆମେ ସ୍ବୀକାର କରୁଛୁ । ହେଲେ ଏହି ଭୁଲ ବୁଝାମଣା ଦୂରକରି ଆମେ ଲଢେଇ କରିବାକୁ ପ୍ରସ୍ତୁତ ଅଛୁ । ୨୦୦୯ରେ ଅମରନାଥ ପ୍ରଧାନ ସମ୍ବଲପୁର ସାଂସଦ ଥିବାବେଳେ ସମ୍ବଲପୁର ଲୋକସଭା କ୍ଷେତ୍ରର ୭ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହ କାମ କରିବାର ଅଭିଜ୍ଞତା ରହିଛି । ଏବେ ବି ଆମେ ସବୁ ବିଧାନସଭାର ଲୋକଙ୍କ ସହ ଯୋଗାଯୋଗରେ ଅଛୁ ଓ ସମସ୍ୟା ବୁଝୁଛୁ ।" ତେଣୁ ଆଗକୁ ସବୁ ସ୍ଥାନର ଲୋକଙ୍କ ଘରକୁ ଯାଇ ତାଙ୍କ ସମସ୍ୟା ବୁଝିବା ସହ ଆଶୀର୍ବାଦ ଭିକ୍ଷା କରିବୁ ବୋଲି କହିଛନ୍ତି ଦୁଲାଲ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.