ETV Bharat / politics

ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶ୍ନବାଣ, ଓଡିଆ ଅସ୍ମିତାକୁ ନେଇ ସରକାରଙ୍କୁ ଘେରିଲେ - Dharmendra Targets State Govt

author img

By ETV Bharat Odisha Team

Published : May 3, 2024, 9:20 PM IST

Dharmendra Targets State Govt
Dharmendra Targets State Govt (Etv bharat Odisha)

Dharmendra Targets State Govt: ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଧର୍ମେନ୍ଦ୍ର । ଓଡ଼ିଶା ଅସ୍ମିତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଅଧିକ ପଢନ୍ତୁ

Dharmendra Targets State Govt (Etv bharat Odisha)

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ଅସ୍ମିତା କଥା କହି ବର୍ଷିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁଣି ଶଶି କଳା ସିଣ୍ଡ୍ରୋମ କଥା ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, "ଅଗଣତାନ୍ତ୍ରିକ, ବ୍ୟାକ୍ ଡୋର, ଚଞ୍ଚକତା, ଦୁର୍ନୀତି, ପରିବାରବାଦ ସବୁକୁ ମିଶାଇଲେ ଶଶି କଳା ସିଣ୍ଡ୍ରୋମ କୁହାଯିବ । ଓଡ଼ିଆତ୍ୱକୁ ନେଇ ରାଜ୍ୟରେ ବିବାଦ ଚାଲିଛି । ଭାରତରେ କେବେ ବୋଧେ ଏମିତି କେଉଁଠି ହୋଇନଥିବ । କିଏ କେଉଁଠୁ ଯାଇ ନିର୍ବାଚନ ଲଢି ଜିତିବା ବିଷୟ ନୁହେଁ । ଓଡ଼ିଶାର ନେତୃତ୍ବ କିଏ ନେବ ? ଦଳର ନେତୃତ୍ବ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଢ଼େ 4 କୋଟି ଓଡ଼ିଶାବାସୀଙ୍କ ଭିତରୁ କେହି ମିଳିଲେ ନାହିଁ ? ଦଳ ଭିତରେ ବି ବିଧାୟକ, ସାଂସଦ କେହି ମିଳିଲେ ନାହିଁ ? ଜଣେ କେହି ମିଳିଲେ ନାହିଁ ଉତ୍ତରାଧିକାରୀ କରିବା ପାଇଁ ? ଓଡ଼ିଆ ସ୍ୱାଭିମାନକୁ ଆଘାତ କରିବା ପାଇଁ ଗୋଟିଏ ଅମଲାଙ୍କ କୋଟେରୀ ତିଆରି ହୋଇଛି । 2020ରେ ରଥଯାତ୍ରା ବନ୍ଦ କରିବା ପାଇଁ କିଏ କରିଥିଲା ଷଡ଼ଯନ୍ତ୍ର ? ରଥଯାତ୍ରା ନହେବା ପାଇଁ ସୁପ୍ରିମକୋର୍ଟରେ କିଏ ପିଆଇଏଲ କରିଥିଲା ? ଓଡ଼ିଶା ସରକାରଙ୍କ ସତ୍ୟପାଠ କ'ଣ ଥିଲା ? ଯଦି ମୁଖ୍ୟମନ୍ତ୍ରୀଙ୍କର ନୈତିକତା ଅଛି ତେବେ ଏହାର ଉତ୍ତର ରଖନ୍ତୁ ।"


"ବକ୍ସି ଜଗବନ୍ଧୁଙ୍କ ବୀରତ୍ଵକୁ ନେଇ କୀର୍ତ୍ତିରାଜି ତିଆରି କରିବାକୁ ଜାଗା ମଗାଯାଇଛି । 200 କୋଟି ଟଙ୍କାର ଅନୁଦାନ ବି ମିଳିଛି । ବରୁଣେଇ ପାଦ ଦେଶରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭ ପକାଇଥିଲେ । ରାଜ୍ୟ ସରକାରଙ୍କ ବାରମ୍ବାର ବାହାନା ଯୋଗୁଁ ସେ ଜାଗାରେ କାମ ଆରମ୍ଭ ହୋଇପାରୁ ନାହିଁ । 2036 ବେଳେ ଓଡ଼ିଆ ପିଲାର ସ୍ବାସ୍ଥ୍ୟ କ'ଣ ହେବ ? ଏହା ଓଡ଼ିଆ ଅସ୍ମିତାର ବିଷୟ । ଓଡ଼ିଆ ମହିଳାର ସୁରକ୍ଷା କ'ଣ ହେବ, ଏହା ଓଡ଼ିଆ ଅସ୍ମିତାର ବିଷୟ । ଓଡ଼ିଆ ଯୁବକ ତଥା ପିଲାଙ୍କର ପାଠ ପଢ଼ାର ସ୍ତର କ'ଣ ହେବ, ଏହା ଓଡ଼ିଆ ଅସ୍ମିତାର ବିଷୟ । ଓଡ଼ିଆ ଯୁବକ ବାହାର ରାଜ୍ୟକୁ କାହିଁକି କାମ କରିବାକୁ ଯିବେ ? ଏହା ଓଡ଼ିଆ ଅସ୍ମିତାର ବିଷୟ । ଓଡ଼ିଶାରେ କାମ ନାହିଁ ବୋଲି ଓଡ଼ିଆ ପିଲା ବାହାର ରାଜ୍ୟକୁ ଯାଉଛନ୍ତି । ଆଉ 24 ବର୍ଷ ଶାସନରେ ରହି ନିଜକୁ ମାଲିକ କହିବା ଗଣତନ୍ତ୍ରରେ ଏଭଳି ଦମ୍ଭ ଠିକ୍ ନୁହେଁ । ଗୁଡ଼ାଏ କଥା ମୁଖ୍ୟମନ୍ତ୍ରୀ ଜାଣୁ ନଥିବେ । ଏସବୁ ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ ଦେବା ଦରକାର" ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହାସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଧର୍ମେନ୍ଦ୍ର କହିଛନ୍ତି, "ବିଜେପିକୁ ଆଶୀର୍ବାଦ କଲେ, ଓଡ଼ିଶା 1 ନମ୍ବର ହେବ । ଓଡ଼ିଆ ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ହଜାରେ ବର୍ଷର ସଭ୍ୟତା ସଂସ୍କୃତି ପ୍ରଶ୍ନ ହୋଇ ଛିଡା ହୋଇଛି । ବିଜେପି ଏହି ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ । ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବେ । ଓଡ଼ିଶାରେ ବିଜେପିର ରଣନୀତିକୁ ଦେଖିଲେ 21ରୁ 21 ଲୋକସଭା ବିଜେପି ଜିତିବା ଅବସ୍ଥାକୁ ଯାଉଛି । ଏଥର ଓଡ଼ିଶାରେ ବିଜେପି ସରକାର ହେବ । ଆସନ୍ତା 6 ତାରିଖରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଆରମ୍ଭ ହେବ । ସବୁ ଫେଜରେ ଓଡ଼ିଶା ଆସିବେ ମୋଦି । ଗତ 10 ବର୍ଷ ଭିତରେ ଓଡ଼ିଶା ଅନ୍ୟ ରାଜନୈତିକ ଅଞ୍ଚଳ ଭଳି ଆଶୀର୍ବାଦ କରିନଥିଲା । ମୋଦିଙ୍କ କାର୍ଯ୍ୟ ପ୍ରଣାଳୀରେ ସବୁଠୁ ଅଧିକ ଲାଭ ପାଇଛି ଓଡ଼ିଶା । 2004ରୁ 2014 ଭିତରେ କଂଗ୍ରେସ ଶାସନ ସମୟରେ ଓଡ଼ିଶା 3 ଲକ୍ଷ କୋଟି ଟଙ୍କା ପାଇଥିଲା । ମୋଦି ଶାସନ ଅର୍ଥାତ 2014ରୁ 2024 ଭିତରେ 18 ଲକ୍ଷ କୋଟିରୁ ଅଧିକ ଟଙ୍କା ଓଡ଼ିଶା ଅନୁଦାନ ପାଇଛି । ମୋଦିଙ୍କ ରୂପାନ୍ତରଣ କାରଣରୁ ଡିଏମଏଫରେ 23 ହଜାର କୋଟି ଟଙ୍କା ଅଧିକ ମିଳିଛି ।ପ୍ରଧାନମନ୍ତ୍ରୀ ଆବାସ, ରେଳ, ରାସ୍ତା, ବିମାନ ସେବା, ଗରିବ କଲ୍ୟାଣ ଆଦି ଯୋଜନାରେ ଏହି ଅନୁଦାନ ମିଳିଛି ।"

ଏହା ବି ପଢନ୍ତୁ...ସସ୍ମିତଙ୍କ ଦମ୍ଭୋକ୍ତି: 17 ଲୋକସଭା ଓ ତିନି ଚତୁର୍ଥାଂଶ ବିଧାନସଭା ଜିତିବ ବିଜେଡି - BJD Targets BJP

"ଓଡ଼ିଶା ଲୋକଙ୍କ ମଧ୍ୟରେ ପରିବର୍ତ୍ତନର ଲକ୍ଷଣ ଦେଖାଦେଲାଣି । ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିଲେ ଜନମତରେ ସ୍ପଷ୍ଟତା ଆସିବ । 24 ବର୍ଷ ଶାସନ ପରେ ବି ଓଡ଼ିଶା ଗାଁରେ ପିଇବା ପାଣି ନାହିଁ । ହୀରାକୁଦରେ ବିଶୁଦ୍ଧ ପିଇବା ପାଣି ନଥିବାରୁ ମାର୍ଚ୍ଚ ମାସରେ ହଇଜା ହେଲା । ଏଭଳି ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା କଥା ନକହିବା ଭଲ । ସ୍କୁଲ ପିଲାଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା ବଢୁଛି । ଅପପୁଷ୍ଟି ସବୁଠୁ ଅଧିକ, 60 ଭାଗ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର । 60 ଭାଗ ଶିଶୁ କୁପୋଷଣର ଶିକାର । 2036 ବେଳକୁ ଓଡ଼ିଶାର ପିଲା କେମିତି ଅବସ୍ଥାରେ ଥିବେ ? ଏନସିଆରବି ତଥ୍ୟ ଓଡ଼ିଶାରେ ଆଇନ ଶୃଙ୍ଖଳା ସ୍ଥିତି ବେହାଲ । 1 ଲକ୍ଷ ସରକାରୀ ପଦବୀ ଖାଲି । 1 କୋଟି ଲୋକ ରାଜ୍ୟ ବାହାରେ କାମ କରୁଛନ୍ତି । କଣ୍ଟାବାଞ୍ଜି ଦ୍ଵିତୀୟ ଦାଦନ ପେଣ୍ଠ ପାଲଟିଛି । ବିକାଶ ନକଲେ ବିରୋଧୀ ନିଶ୍ଚିତ ପ୍ରଶ୍ନ ଉଠାଇବେ । ମୋ ପୂର୍ବ ପୁରୁଷ କଳିଙ୍ଗ ଯୁଦ୍ଧ ଲଢ଼ିଥିଲେ, ସାରଳା ମହାଭାରତ ଲେଖିଥିଲେ, ଲକ୍ଷ୍ମୀ ପୁରାଣ ଲେଖିଥିଲେ । ପୁରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଓଡ଼ିଶା ସରକାର କଲେ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ବ୍ୟକ୍ତି ଭାବେ 1 ଲକ୍ଷ ଟଙ୍କା ଦେଇଥିଲି । ପ୍ରଭୁ ଜଗତର ନାଥ, ପତିତ ପାବନ । ଅନେକ ପୁରାତନ ମଠ ଭଙ୍ଗା ଗଲା । ଏମାର ମଠ ଭାଙ୍ଗିଲା ବେଳେ 1300 ଶତାବ୍ଦୀର ସିଂହ ମୂର୍ତ୍ତୀ ବାହାରିଲା । ସେ ଜାଗାରେ ପେଭର ବ୍ଲକ ପକାଇ କହିଲେ ଏହା ସୌନ୍ଦର୍ଯ୍ୟକରଣ କୁହାଯିବ କି? ଲିଙ୍ଗରାଜ ମନ୍ଦିର ପାଖରେ ଶୁକସାରୀ ମନ୍ଦିର ପାଖରେ 700 ଶତାବ୍ଦୀର ଗୋଟିଏ ଦେବୀ ମୂର୍ତ୍ତି ବାହାରିଲା । ତାହା କୁଆଡେ ଗଲା ?"ବୋଲି ପ୍ରଶ୍ନ କରି ବର୍ଷିଛନ୍ତି ଧର୍ମେନ୍ଦ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.