ETV Bharat / politics

ଓଡ଼ିଶାବାସୀଙ୍କୁ ଦୂରାବସ୍ଥାରେ ପକାଇ ନିର୍ବାଚନରେ ମାତିଛି ଶାସକ ଦଳ: ବିଜେପି - BJP PRESS MEET

author img

By ETV Bharat Odisha Team

Published : Apr 29, 2024, 6:30 PM IST

BJP PRESS MEET: ରାଜ୍ୟବାସୀ ବିଜେଡି ସରକାରକୁ 10 ହଜାର ଦିନ ଶାସନ କରିବାକୁ କ୍ଷମତା ଦେଲେ । ହେଲେ ପ୍ରତି ଘରକୁ ପାଣି ମୁନ୍ଦାଏ ଦେଇ ପାରିଲେନି ବିଜେଡି ସରକାର । ଏଭଳି ଅଭିଯୋଗ କରି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ଅଧିକ ପଢ଼ନ୍ତୁ

BJP PRESS MEET
BJP PRESS MEET

BJP PRESS MEET

ଭୁବନେଶ୍ବର: ରାଜ୍ୟରେ ପାନୀୟ ଜଳ ସଙ୍କଟ ନେଇ ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି । ରାଜ୍ୟବାସୀଙ୍କୁ ପାଣି ଦେବାରେ 25 ବର୍ଷର ସରକାର ବିଫଳ ବୋଲି କହିଲେ ରାଜ୍ୟ ବିଜେପି ଉପସଭାପତି ଗୋଲୋକ ମହାପାତ୍ର । ବିଜେଡି ସରକାର ବ୍ଲାକ ଲିଷ୍ଟ କମ୍ପାନୀମାନଙ୍କୁ କାମ ଦେଇ କେନ୍ଦ୍ର ଟଙ୍କାକୁ ହଡ଼ପ କରୁଥିବା ଅଭିଯୋଗ । ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି ।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବାରେ ବିଫଳ ବିଜେଡି ସରକାର । ଓଡ଼ିଶା ଲୋକଙ୍କୁ ଦୂରାବସ୍ଥାର ପକାଇ ନିର୍ବାଚନ ଲଢିବା ପାଇଁ ମାତିଛି ଶାସକ ଦଳ । ଓଡ଼ିଶାକୁ ଜଣେ ମୁଖ୍ୟମନ୍ତ୍ରୀ 25 ବର୍ଷ ଅର୍ଥାତ 10 ହଜାର ଦିନ ଶାସନ କଲେଣି । କିନ୍ତୁ ଏବେ ବି 40 ପ୍ରତିଶତ ପରିବାର ପାଖରେ ପିଇବା ପାଣି ପହଞ୍ଚି ପାରୁନାହିଁ । ଓଡିଶାବାସୀଙ୍କୁ କାହିଁକି ପାଣି ପହଞ୍ଚାଇ ପାରିଲେ ନାହିଁ, ଏହାର ଜବାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ରାଜ୍ୟରେ 88 ଲକ୍ଷ ଘର ମଧ୍ୟରୁ 24 ଲକ୍ଷ ଘରକୁ ପାଣି ପହଞ୍ଚି ପାରିଲା ନାହିଁ ।" ଏହା 10 ହଜାର ଦିନର ସରକାରଙ୍କର ସଫଳତା ବୋଲି କହି କଟାକ୍ଷ କଲା ବିଜେପି । 46 ହଜାର ଗାଁରୁ ମାତ୍ର 35 ହଜାର ଗାଁରେ ପାଇପ ଯୋଗେ ପିଇବା ପାଣି ପହଞ୍ଚାଇ ପାରିଛନ୍ତି ସରକାର । ଯେଉଁଠି ପାଣି ପହଞ୍ଚିଛି, ନଳକୂପ ଯୋଗେ ପାଣି ପହଞ୍ଚିଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଭଳି ଅଞ୍ଚଳରେ 50 ପ୍ରତିଶତରୁ ବି କମ ପାଣି ପହଞ୍ଚିଛି । ନବୀନ ବାବୁଙ୍କ ଗୁମାସ୍ତା କହୁଛନ୍ତି, ବିରୋଧୀଙ୍କୁ ବିକାଶ ଦେଖା ଯାଉନାହିଁ । ଏହା କେଉଁ ପ୍ରକାର ବିକାଶ ବୋଲି ପ୍ରଶ୍ନ କରିଛି ବିଜେପି । ଏହା କେଉଁ ରୂପାନ୍ତରୀକରଣ ବୋଲି ଗୋଲକ ପ୍ରଶ୍ନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଝାରସୁଗୁଡ଼ାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ବିଜେପି ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର - Chhattisgarh CM In Jharsuguda

ସେ ଆହୁରି କହିଛନ୍ତି, "ରାଜ୍ୟରେ ସ୍କୁଲ ମାନଙ୍କରେ ଡ୍ରପ ଆଉଟ୍ ବଢୁଛି, କାରଣ ସ୍କୁଲରେ ପିଇବା ପାଣି ବ୍ୟବସ୍ଥା ନାହିଁ । ପିଲାଙ୍କୁ ଶିକ୍ଷକମାନେ 2 କିମି ଦୂରକୁ ପାଣି ଆଣିବା ପାଇଁ ପଠାଉଛନ୍ତି । 30 ପ୍ରତିଶତ ବିଦ୍ୟାଳୟରେ ପିଇବା ପାଣି ନାହିଁ । ରାଜ୍ୟ ସରକାର କପି-ପେଷ୍ଟ ମାଷ୍ଟର । କେନ୍ଦ୍ର ସରକାରଙ୍କ 'ଜଳ ଜୀବନ ମିଶନ' ଏବଂ 'ହର ଘର ନଲ ସେ ଜଳ' ଯୋଜନାକୁ ବସୁଧା ଯୋଜନା କରିଛି ବିଜେଡି ସରକାର । କିନ୍ତୁ ଅଧିକାଂଶ ଜାଗାରେ ପାଣି ନାହିଁ, ଖାଲି ଟାଙ୍କି ଅଛି । କେନ୍ଦ୍ର ସରକାର ଜଳ ଜୀବନ ମିଶନରେ 10 ହଜାର କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମାତ୍ର 834 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । କାରଣ ବିଜେଡି ସରକାର ବ୍ଲାକ ଲିଷ୍ଟ୍‌ କମ୍ପାନୀମାନଙ୍କୁ କାମ ଦେଇ କେନ୍ଦ୍ର ଟଙ୍କାକୁ ହଡ଼ପ କରୁଛି, ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରୁନାହିଁ । ମହାନଦୀ ବେସିନର ଉଭୟ ପଟେ ପାଣି ନାହିଁ । ବିଜେଡି ମହାନଦୀ ମହାଆନ୍ଦୋଳନ କରିଥିଲା, ତାହା କୁଆଡେ ଗଲା ? ମହାନଦୀ ଉପରେ ଛୋଟ ଛୋଟ ଆନିକଟ କରିବେ କହିଥିଲେ, କୁଆଡେ ଗଲା ? ମୋହନା ବ୍ଲକର ଭୀମ ବେହେରା କେରଳ ଯାଇ 8 ମାସ ଦାଦନ ଖଟି ନିଜ ଘରୁ 2 କିମି ଦୂର ଝରଣାରୁ ପାଣି ଆଣୁଛନ୍ତି । ତେଣୁ ନବୀନ ବାବୁଙ୍କ ଅପେକ୍ଷା ଭୀମ ବେହେରା ଜଣେ ଯୋଗ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଦୂଷିତ ପାନୀୟ ଜଳ ଯୋଗୁଁ ରାଉରକେଲାରେ ଡାଇରିଆ, ସମ୍ବଲପୁରରେ ଜଣ୍ଡିସ, କଟକରେ କଲେରା, ବ୍ରହ୍ମପୁରରେ ହଇଜା ନିଜର ପରିଚୟ ସୃଷ୍ଟି କରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.