ETV Bharat / politics

ଛତ୍ରପୁରରେ ବିଜେପିର ଶକ୍ତିପ୍ରଦର୍ଶନ, ପ୍ରଦୀପଙ୍କ କହିଲେ ଗଞ୍ଜାମରୁ ଦେଖାଦେବ ରାଜ୍ୟର ଅରେଞ୍ଜ ସୁନାମି - BJP Bike Rally Chatrapur

author img

By ETV Bharat Odisha Team

Published : Apr 7, 2024, 7:46 AM IST

BJP Bike Rally
BJP Bike Rally

BJP Bike Rally: ଛତ୍ରପୁରରେ ବିଜେପିର ମୋଟର ସାଇକେଲ ଶୋଭାଯାତ୍ରାରେ ଶକ୍ତିପ୍ରଦର୍ଶନ । ଏଥର ଗଞ୍ଜାମରେ ବିଜେପି ଆସିବ ବୋଲି ଦଳୀୟ ନେତା ଓ କର୍ମୀଙ୍କ ଦମ୍ଭୋକ୍ତି । ଅଧିକ ପଢନ୍ତୁ

BJP Bike Rally

ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦିନକୁ ଦିନ ସରଗରମ ହେବାରେ ଲାଗିଛି ଗଞ୍ଜାମ ରାଜନୀତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀମାନେ କସରତ ଆରମ୍ଭ କରିଦେଲେଣି । ଏହିକ୍ରମରେ ଗତକାଲି (ଶନିବାର) ଭାରତୀୟ ଜନତା ପାର୍ଟିର ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ବିଜେପି ପକ୍ଷରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଅଭିନେତା ତଥା ବିଜେପି ନେତା ଅରିନ୍ଦମ ରାୟ ପ୍ରମୁଖ ସାମିଲ ହୋଇଥିଲେ ।

ସହରର ପୁତ୍ତି ଗୋପାଳପୁର ସ୍ଥିତ ବିଶେଶ୍ୱର ମନ୍ଦିର ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରା ଉପର ବସଷ୍ଟାଣ୍ଡ ଏବଂ ଛତ୍ରପୁର ସହରର ମୁଖ୍ୟ ବଜାର ଦେଇ ରିଡିଙ୍ଗ୍ ରୁମ୍ ନିକଟରେ ପହଞ୍ଚିଥିଲା । ଏହି ଅବସରରେ ଦଳୀୟ କର୍ମୀମାନେ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ଦେଶରେ ୧୯୮୦ ମସିହା ଅପ୍ରିଲ୍ ୬ ତାରିଖରେ ପ୍ରତିଷ୍ଠା ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିକାଶ ଧାରାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗେଇ ନେଇ ଆଜି ବିଶ୍ୱଗୁରୁ ହେଇପାରିଛନ୍ତି । ଦେଶବାସୀ ମୋଦି ଗ୍ୟାରେଣ୍ଟିକୁ ବିଶ୍ୱାସ କରୁଥିବାରୁ ଚଳିତବର୍ଷ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବ ।

ଏହାମଧ୍ୟ ପଢନ୍ତୁ..ବ୍ରହ୍ମପୁରରେ ବିଜେପିର ଗଣଦୌଡ ପଦଯାତ୍ରା, ସାମିଲ ଦେଲେ ପ୍ରଦୀପ, ଅନୀଲ ଓ ଅରିନ୍ଦମ - BJP Rally In Berhampur

ବିଜେପି ବ୍ରହ୍ମପୁର ଲୋକସଭା ଏବଂ ଏହାର ଅନ୍ତର୍ଗତ ସାତୋଟି ବିଧାନସଭାରେ ଦଳର ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଭୋଟରମାନଙ୍କ ପାଖରେ ପହଞ୍ଚିବାକୁ ପ୍ରାର୍ଥୀମାନେ ମଧ୍ୟ ଗୋଟିଏ ପରେ ଗୋଟିଏ ସ୍ଥାନରେ ଦଳ ପକ୍ଷରୁ ରୋଡସୋ, ପଦଯାତ୍ରା, ମୋଟର ସାଇକେଲ ଶୋଭାଯାତ୍ରା ଭଳି କାର୍ଯ୍ୟକ୍ରମମାନ କରୁଥିବା ଦେଖିବାକୁ ମିଳୁଛି । ସେପେଟ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଗୋଟିଏ ପରେ ଗୋଟିଏ ସ୍ଥାନରେ ପହଞ୍ଚି ବିଭିନ୍ନ ଆହ୍ୱାନ ଦେଉଥିବା ଦେଖାଯାଇଛି । ଛତ୍ରପୁର ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିକୁ ଜିତାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏପରିକି ରାଜ୍ୟର ଅରେଞ୍ଜ ସୁନାମି ଗଞ୍ଜାମରୁ ହିଁ ଦେଖାଦେବ ବୋଲି ଛତ୍ରପୁର ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ ପ୍ରଦୀପ ।

ଏହି ବାଇକ ରାଲିରେ ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଛତ୍ରପୁର ସହରରେ ଦଳର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାନସଭା ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ , ଓଡ଼ିଆ ସିନେ ତାରକା ତଥା ବିଜେପି ନେତା ଅରିନ୍ଦମ ରାୟ , ଜିଲ୍ଲା ଭାଜପା ସଭାପତି ସୁବାସ ସାହୁ ପ୍ରମୁଖଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.