ETV Bharat / politics

ଲେଖାଶ୍ରୀ ବାଲେଶ୍ଵରରୁ ପ୍ରାର୍ଥୀ ହେଲେ ବିଜେପିକୁ ଅସୁବିଧା ନାହିଁ: ପ୍ରତାପ ଷଡଙ୍ଗୀ - Pratap Sarangi on Lekhashree

author img

By ETV Bharat Odisha Team

Published : Apr 8, 2024, 9:45 PM IST

Pratap Sarangi on Lekhashree: ବିଜେଡିରେ ମିଶିବା ପରେ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ବିଜେଡି ବାଲେଶ୍ବର ଲୋକସଭା କ୍ଷେତ୍ରରୁ ମୈଦାନକୁ ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି । ହେଲେ ଲେଖାଶ୍ରୀ ପ୍ରାର୍ଥୀ ହେଲେ ମଧ୍ୟ ବିଜେପି ବାଲେଶ୍ବରରେ ବିପୁଳ ଭୋଟରେ ଜିତିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ । ଅଧିକ ପଢ଼ନ୍ତୁ

Pratap Sarangi on Lekhashree
Pratap Sarangi on Lekhashree

Pratap Sarangi on Lekhashree

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ନେତାଙ୍କର ଦଳ ଡିଆଁ ପର୍ବ ରାଜ୍ୟ ରାଜନୀତିକୁ ରୋଚକ କରିଛି । ଏହି କ୍ରମରେ ଗତକାଲି (ରବିବାର) ରାଜ୍ୟ ବିଜେପି ଉପସଭାପତି ତଥା ହେଭିୱେଟ୍‌ ଲେଖାଶ୍ରୀ ସାମନ୍ତସିଂହାର ବିଜେପି ଛାଡି ବିଜେଡିର ସାମିଲ ହୋଇଛନ୍ତି । ଏହାପରେ ସେ ବାଲେଶ୍ବର ଆସନରୁ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ଵରରେ ଲେଖାଶ୍ରୀ ଦୃଶ୍ୟମାନ ନୁହଁନ୍ତି । ସେ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରତାପ ।

ବର୍ତ୍ତମାନର ସାଂସଦ ତଥା 2024 ସାଧାରଣ ନିର୍ବାଚନ ପାଇଁ ବାଲେଶ୍ବରରୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ତାଙ୍କ ବିରୋଧରେ ଲେଖାଶ୍ରୀଙ୍କ ପ୍ରାର୍ଥୀତ୍ବ ଚର୍ଚ୍ଚା ନେଇ କହିଛନ୍ତି, "ଲେଖାଶ୍ରୀଙ୍କର ବାଲେଶ୍ଵରରେ କଣ ଅଛି ? ବାଲେଶ୍ଵରରେ ସେ ଦୃଶ୍ୟମାନ ନୁହଁନ୍ତି । ସେ ପ୍ରାର୍ଥୀ ହେଲେ ବିଜେପିକୁ ବିଶେଷ କିଛି ଅସୁବିଧା ନାହିଁ । ଗତଥର ମଧ୍ୟ ବିଜେଡି ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିଥିଲା । ଏଥର ଲେଖାଶ୍ରୀଙ୍କୁ ଟିକେଟ ଦେଇପାରେ । ହେଲେ ସେ ବିଷୟରେ ଆମେ କେମିତି କିଛି କହିବୁ । ତାଙ୍କର ଯାହାକୁ ଇଚ୍ଛା ଦେବେ । ବିଜେଡି ଯାହାକୁ ଟିକେଟ ଦେଉ ବାଲେଶ୍ବରରେ କିଛି ଫରକ ପଡିବ ନାହିଁ ବିଜେପିକୁ । ବାଲେଶ୍ବରବାସୀ ଜାଣିଛନ୍ତି ପ୍ରତାପ ଷଡଙ୍ଗୀକୁ । ସେହିପରି ରଘୁନାଥ ମହାନ୍ତି ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ରଘୁ ମହାନ୍ତି ଜଣେ ବରିଷ୍ଠ ନେତା । ସେ ଗତଥର ବିଜେଡିରୁ ଆସି ବିଜେପିରେ ମିଶିଥିଲେ । ଏଥର ଟିକେଟ ପାଇଲେ ନାହିଁ, ସେଥିପାଇଁ ଦଳ ଛାଡ଼ିଲେ । ହେଲେ ବାଲେଶ୍ବରରେ କିଛି ଫରକ ପଡ଼ିବନି । ଆମେ ନିଶ୍ଚୟ ଜିତିବୁ । ଗତଥର ଅପେକ୍ଷା ବହୁତ ଅଧିକ ବ୍ୟବଧାନରେ ବାଲେଶ୍ଵରରୁ ଜିତିବୁ ।"

ଏହା ମଧ୍ୟ ପଢ଼ନ୍ତୁ...'କିଛି ଲୋକ କେବଳ ସ୍ବାର୍ଥ କଥା ଚିନ୍ତା କରନ୍ତି'; ଲେଖାଶ୍ରୀଙ୍କୁ ବିଜେପିର ଟାର୍ଗେଟ - Golak Mohapatra on Lekhashree

ସେହିଭଳି ପୁଣିଥରେ ତାଙ୍କୁ ବାଲେଶ୍ବରରୁ ପ୍ରାର୍ଥୀ କରିଥିବାରୁ ଦଳର ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଥଛନ୍ତି ପ୍ରତାପ ଷଡ଼ଙ୍ଗୀ । ସେ କହିଛନ୍ତି, "ମୋ ଉପରେ ପୁଣିଥରେ ବିଶ୍ବାସ ପ୍ରକଟ କରିଥିବାରୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, ଗୃହମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କୁ ଧନ୍ୟବାଦ । ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ନେତା ମାନେ ଆସିବାର ଅଛି । ହେଲେ ଏ ବିଷୟ ରାଜ୍ୟ ନେତାମାନେ ସ୍ଥିର କରିବେ ।" ସୂଚନା ଥାଉ, ଏଥର ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିଲେ ଲେଖାଶ୍ରୀ ସାମନ୍ତସିଂହାର । ସେ କନ୍ଧମାଳ ଲୋକସଭା ଆସନରୁ ଟିକେଟ୍‌ ଆଶାୟୀ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତାଙ୍କୁ ବିଜେପି ଟିକେଟ୍‌ ନଦେବାରୁ ସେ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ଏବେ ବାଲେଶ୍ବର ଲୋକସଭା ଆସନରୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.