ETV Bharat / politics

'କିଛି ଲୋକ କେବଳ ସ୍ବାର୍ଥ କଥା ଚିନ୍ତା କରନ୍ତି'; ଲେଖାଶ୍ରୀଙ୍କୁ ବିଜେପିର ଟାର୍ଗେଟ - Golak Mohapatra on Lekhashree

author img

By ETV Bharat Odisha Team

Published : Apr 7, 2024, 8:13 PM IST

Golak Mohapatra on Lekhashree: ବିଜେପିର ହେଭିୱେଟ୍‌ ଲେଖାଶ୍ରୀ ସାମନ୍ତସିଂହାର ଆଜି ଦଳ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ଏନେଇ ଲେଖାଶ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ସବୁବେଳେ ବିଜେଡିକୁ ଟାର୍ଗେଟ କରୁଥିଲେ, ଆଜି କେମିତି ବିଜେଡି ହଠାତ ଭଲ ହେଇଗଲା ବୋଲି ପ୍ରଶ୍ନ କଲେ ଗୋଲକ । ଅଧିକ ପଢ଼ନ୍ତୁ

Golak Mohapatra on Lekhashree
Golak Mohapatra on Lekhashree

Golak Mohapatra on Lekhashree

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ୁଛନ୍ତି ଜଣେ ପରେ ଜଣେ ହେଭିୱେଟ୍‌ ନେତା । ଭୃଗୁ ବକ୍ସିପାତ୍ର, ସୋନାଲି ସାହୁ, ରଘୁନାଥ ମହାନ୍ତି, ପ୍ରକାଶ ବେହେରା, ବିଧାୟକ ସୁକାନ୍ତ ନାୟକ, ଛୋଟେଲାଲ ମହନ୍ତ, ଇରାନୀ ରାୟ, ସୁଶାନ୍ତ ମିଶ୍ର ଓ ଭାଗିରଥୀ ପ୍ରଧାନଙ୍କ ଭଳି ବରିଷ୍ଠ ନେତା ନିକଟରେ ବିଜେପି ଛାଡ଼ି ଅନ୍ୟ ଦଳକୁ ଯାଇଛନ୍ତି । ଏହି କ୍ରମରେ ଆଜି ବିଜେପିକୁ ଝଟ୍‌କା ଦେଇ ଦଳ ଛାଡ଼ିଛନ୍ତି ଦଳର ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର । ସେ ଆଜି ସକାଳେ ବିଜେପି ଛାଡିବାର କିଛି ସମୟ ମଧ୍ୟରେ ବିଜେଡିର ସାମିଲ ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

ଗୋଲୋକ ମହାପାତ୍ର କହିଛନ୍ତି, "ଆଜି କଣ ବିଜେଡି ହଠାତ୍ ଭଲ ହୋଇଗଲା ? ଯେଉଁ ଦଳକୁ କହୁଥିଲୁ ଯେ ସେଠି ଅଣଓଡ଼ିଆ ଶାସନ ଚାଲିଛି, ଲୋକଙ୍କ ପାଖରେ ସେବା ପହଞ୍ଚି ପାରୁନାହିଁ, ତାହେଲେ ସେ କଥା ସବୁ ଆମେ ଠିକ୍ କହୁନଥିଲୁ । କେବଳ ସ୍ବାର୍ଥ କଥା ବୋଧେ ଆମେ ଚିନ୍ତା କରୁଥିଲୁ । ତେଣୁ ଯେଉଁମାନେ ଏ କଥା ଚିନ୍ତା କରୁଛନ୍ତି, ସେମାନେ ନିଜ କଥା ଚିନ୍ତା କରୁଛନ୍ତି । ଦଳ, ଦେଶ ଓ ମାଟି କଥା ସେମାନେ ଚିନ୍ତା କରୁନାହାନ୍ତି । ଏହି ଖଣ୍ଡେ ଟିକେଟ ଆମ ପାଇଁ ବଡ଼ କଥା ନୁହେଁ । ଆମ ପାଇଁ ଓଡ଼ିଶା ବିକାଶ, ଭାରତର ସେବା ବଡ଼ । ବିଜେପି ନେତାଙ୍କ ସତ୍ତା ପ୍ରାପ୍ତିର ଲକ୍ଷ୍ୟ ନାହିଁ । ଲୋକଙ୍କୁ ସୁଶାସନ ଯୋଗାଇବା ଦଳର ଲକ୍ଷ୍ୟ । ତେଣୁ ଯୋଗ୍ୟ ବ୍ୟକ୍ତି ବାହାରୁ ଆସିଲେ, ତାଙ୍କୁ ମଧ୍ୟ ଦଳରେ ଦାୟିତ୍ଵ ଦିଆଯିବ । ଏ ଦଳ ହେଉଛି ଆମର ମାଆ, ଦଳକୁ ଆମେ ଭଲ ପାଉଛୁ । ତେଣୁ କିଛି ଲୋକଙ୍କୁ ଦଳରୁ ଟିକେଟ ମିଳିନପାରେ । ଓଡ଼ିଶାର ସେବା ଓ ଭାରତ ମାତାର ସେବା ବିଜେପି ନେତାଙ୍କ ଲକ୍ଷ୍ୟ । ତେଣୁ ବିଜୁ ଜନତା ଦଳ ବିରୋଧରେ ଲଢେଇ କରୁଛି ବିଜେପି ।"

ଏହା ମଧ୍ୟ ପଢ଼ନ୍ତୁ...ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ ସାମନ୍ତସିଂହାର, ଆଜି ଛାଡିଥିଲେ ବିଜେପି - Lekhashree joins BJD

ସେହିପରି ଦଳରେ ଟିକେଟ ଆଶାୟୀଙ୍କ ବିଦ୍ରୋହ ବଢ଼ିବା ପ୍ରସଙ୍ଗରେ ଗୋଲକ କହିଛନ୍ତି, "ଯେତେବେଳେ ଗୋଟିଏ ଦଳ ଶାସନ କ୍ଷମତାକୁ ଆସିବାକୁ ଯାଉଥାଏ, ସେତେବେଳେ ଅନେକ ଲୋକ ଚାହାଁନ୍ତି ସେ ଦଳରୁ ଟିକେଟ ପାଇବାକୁ । ତେଣୁ ପ୍ରତ୍ୟେକ ଜାଗାରେ ଅନେକ ଆଶାୟୀ ପ୍ରାର୍ଥୀ ଅଛନ୍ତି ।" ପ୍ରକାଶ ଥାଉ, ଆଜି ବିଜେଡିରେ ସାମିଲ ହେବାପରେ ବିଜେପିକୁ ଟାର୍ଗେଟ କରିଥିଲେ ଲେଖାଶ୍ରୀ । ସେ କହିଥିଲେ, "ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବସ୍ବ ଦେଇଛି । ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା, ତାହା ବିଜେପି ପୂରଣ କରିବାକୁ ଦେଲାନି । ଏତେ ପରିଶ୍ରମ କରି ବି ଦଳର ନେତୃତ୍ବ ମୋ ଉପରେ ଭରସା କଲେନି । ମୋ ପାଇଁ ବିଜେପିରେ ଏତିକି କାମଥିଲା ବୋଲି ଭାବିଲି ଆଉ ଆଗକୁ ବଢ଼ିବା ପାଇଁ ବିଜେଡିରେ ସାମିଲ ହେଲି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.