ETV Bharat / politics

ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ସରକାରୀ ପ୍ରାୟୋଜିତ କହିଲା ବିଜେପି, ଜବାବ ରଖିଲା ବିଜେଡି - Pradeep Panigrahi Attacked

author img

By ETV Bharat Odisha Team

Published : May 15, 2024, 9:40 AM IST

Pradeep Panigrahi Attacked: ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବେ ICUରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଅସୁବିଧା ହେଉଛି । ତେଣୁ ତାଙ୍କୁ ଦେଖିସାରିବା ପରେ ହିଁ ଏଭଳି ଏକ ଗମ୍ଭୀର ପ୍ରସଙ୍ଗରେ ମତ ରଖାଯାଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି।

Pradeep Panigrahi Attacked
Pradeep Panigrahi Attacked (ETV Bharat Odisha)

Pradeep Panigrahi Attacked (ETV Bharat Odisha)

ବ୍ରହ୍ମପୁର: ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା। ସରକାରୀ ପ୍ରାୟୋଜିତ ଆକ୍ରମଣ ବୋଲି କହି ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି। ଏନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସେ କହିଛନ୍ତି, "ସୋମବାର ରାତି ପାଖାପାଖି 30ରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମରଣାନ୍ତକ ଆକ୍ରମଣ କରାଗଲା। ଆମର ଅନୁସନ୍ଧାନ ମୁତାବକ ଏହା ଏକ ସରକାରୀ ପ୍ରାୟୋଜିତ ଆକ୍ରମଣ। ବିଜେଡି ହାରିବା ଭୟରେ ଏ ଆକ୍ରମଣ କରିଛି। ପ୍ରଥମ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ୪ ଟି ଲୋକସଭା ଆସନରେ ବିଜେପି ୩ ଟି ଆସନ ଓ ୧୮ ରୁ ୨୦ ବିଧାନସଭା ଆସନ ଜିତିବ ବୋଲି ବହୁମତ ମିଳିଛି। ତେଣୁ ଏଭଳି ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଛି ଦଳ। ହାରିବା ବିଷୟରେ ଜାଣିବା ପରେ ବିଜେଡି ସୁଚିନ୍ତିତ ଭାବେ ଏ ଷଡଯନ୍ତ୍ର କରିଛି।"

ସେ ଆହୁରି କହିଛନ୍ତି, "ସ୍ୱାଧୀନ ପ୍ରାର୍ଥୀଙ୍କୁ ହାତାବାରିଶି କରି ହାରିବା ଭୟରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଏଭଳି ଆକ୍ରମଣ କରିଛି ବିଜେଡି। ମୁଖ୍ୟ କଥା ହେଉଛି ୨୦ ତାରିଖରେ ଆସ୍କାରେ ନିର୍ବାଚନ ହେବାକୁ ଥିବାରୁ ପ୍ରଦୀପଙ୍କୁ ପ୍ରଚାରରୁ ଦୂରରେ ରଖିବା ପାଇଁ ଏ ଷଡ଼ଯନ୍ତ୍ର କରାଯାଇଛି। ତେଣୁ ଆମେ ଅନୁରୋଧ କରିଛୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ଏହାସହ ଘଟଣାର ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।" ତେବେ ବିଜେପିର ଏକ ପ୍ରତିନିଧି ଦଳ ଭୁପିନ୍ଦର ସିଂ ଯାଦବ, ସମୀର ମହାନ୍ତିଙ୍କ ନେତୃତ୍ୱରେ ଏମ୍ସ ହସପିଟାଲ ଆସି ପ୍ରଦୀପ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ବାବଦରେ ବୁଝିଛନ୍ତି। ଡାକ୍ତରଙ୍କ କହିବା ଅନୁସାରେ, ପ୍ରଦୀପ ପାଣିଗ୍ରାହୀଙ୍କ ପଞ୍ଜରା ହାଡରେ ଆଘାତ ଲାଗିଛି । ସେ ଏବେ ICUରେ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାବେଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାକୁ ଅସୁବିଧା ହେଉଛି । ତେଣୁ ତାଙ୍କୁ ଦେଖିସାରିବା ପରେ ହିଁ ଏଭଳି ଏକ ଗମ୍ଭୀର ପ୍ରସଙ୍ଗରେ ମତ ରଖାଯାଇଥିବା ନେଇ ଦଳ ପକ୍ଷରୁ କୁହାଯାଇଛି।

ଏହା ବି ପଢନ୍ତୁ...ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ ଗଲେ ପିଣ୍ଟୁ ଦାଶ - Pintu Dash Arrested

"ଦାୟିତ୍ବରେ ଥିବା ଥାନା ଅଧିକାରୀ ସ୍ମୃତି ପ୍ରଧାନଙ୍କ ସାମ୍ନାରେ ଆକ୍ରମଣ ହୋଇଛି। ଏ ପୋଲିସ ଅଧିକାରୀ ବିଜେଡି କର୍ମୀଭାବେ କାମ କରୁଛନ୍ତି। ଏହାସହ ବ୍ରହ୍ମପୁର ଟାଉନ ଥାନା ଅଧିକାରୀ ରାଜକିଶୋର ପାତ୍ରଙ୍କୁ ମଧ୍ୟ ସମାନ ଅଭିଯୋଗରେ ସସପେଣ୍ଡ କରିବା ପାଇଁ ବିଜେପି ଦାବି କରିଛି। ଏହାସହ ନିର୍ବାଚନ ଅଧିକାରୀ ଓ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେବ ବିଜେପି। ତେଣୁ ପୋଲିସ ଡିଜିଙ୍କୁ ଏହି ଘଟଣାରେ ସଠିକ ତଦନ୍ତ କରି ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଚାକିରିରୁ ବରଖାସ୍ତ କରନ୍ତୁ" ବୋଲି ଦାବି କରିଛି ବିଜେପି।

ସେପଟେ ଏହାକୁ କାଉଣ୍ଟର କରିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, "ନିଜ ଘର ସମ୍ଭାଳିନପାରି ପର ଉପରେ ଦୋଷ ଲଦିବା ଓଡି଼ଶା ବିଜେପିର ଏକ ଅଭ୍ୟାସରେ ପରିଣତ ହେଲାଣି । ବ୍ରହ୍ମପୁରରେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ଶିବ ଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ ଏକଦା ବିଜେପିରେ ଥିଲେ । ନିଜ ନିର୍ବାଚନ ମଣ୍ଡଳୀର ଗରିବ ସାଧାରଣ ଯୁବକଙ୍କୁ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ତଥା ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ବିଜେଡିରୁ ତଡା ଖାଇଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପିରେ ସାମିଲ ହେଲେ । ପ୍ରଦୀପଙ୍କୁ ଫୁଲ ମାଳ ପକାଇ ଓଡିଶା ବିଜେପି ସ୍ୱାଗତ କଲା । ସେବେଠାରୁ ଉଭୟ ପ୍ରଦୀପ ପାଣିଗ୍ରାହୀ ଓ ପିଣ୍ଟୁ ଦାସଙ୍କ ମଧ୍ୟରେ ଛକାପଂଝା ଆରମ୍ଭ ହୋଇଥିଲା ।"



"ପ୍ରଦୀପ ପାଣିଗ୍ରାହୀ ନିଜର ଜଣେ ଅନୁଗତଙ୍କୁ ବ୍ରହ୍ମପୁର ବିଧାନସଭା ଆସନରେ ବିଜେପିର ଟିକଟ ଦେଇଥିଲେ । ଏହା ପରେ ବିଜେପିରେ ଥିବା ଶିବ ଶଙ୍କର ଦାସ ବିଜେପି ଛାଡିଲେ । ବିଦ୍ରୋହୀ ପ୍ରାର୍ଥୀ ଭାବେ ଠିଆ ହେଲେ । ସେହି ସମୟରେ ସେ ପ୍ରଦୀପ ପାଣିଗ୍ରାହୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ । ଓଡିଶା ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳର ପରିଣତି ସାରା ଓଡିଶା ଦେଖିଲା । ଟିକଟ ବଣ୍ଟନର ରାଗ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଏଥିରେ ବିଜେଡିକୁ ଟାଣି ମନ୍ତବ୍ୟ ରଖିଛନ୍ତି " ବୋଲି କହି ବର୍ଷିଛି ବିଜେଡି।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.