ETV Bharat / politics

ରେଢ଼ାଖୋଲ ଆସନରେ ସ୍ଥାନୀୟ ବିଜେଡି ନେତାଙ୍କୁ ପ୍ରାର୍ଥୀ କରିବାକୁ ଦାବି - Rairakhol Assembly Constituency

author img

By ETV Bharat Odisha Team

Published : Apr 2, 2024, 10:36 AM IST

ରେଢ଼ାଖୋଲ ବିଧାନସଭା ଆସନ
ରେଢ଼ାଖୋଲ ବିଧାନସଭା ଆସନ

Rairakhol Assembly Constituency: ରେଢ଼ାଖୋଲ ବିଧାନସଭା ଆସନ ପାଇଁ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ବିଜେଡି ନେତା । ଅଧିକ ପଢ଼ନ୍ତୁ

ରେଢ଼ାଖୋଲ ବିଧାନସଭା ଆସନ

ସମ୍ବଲପୁର: ଆସନ୍ତା ମେ' 25ରେ ସମ୍ବଲପୁର ଜିଲ୍ଲାରେ ହେବ ନିର୍ବାଚନ । ସମ୍ବଲପୁର ଲୋକସଭା ସିଟ ପାଇଁ ଉଭୟ ବିଜେପି ଓ ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ତେବେ ସମ୍ବଲପୁର ଜିଲ୍ଲାର 4ଟି ଯାକ ବିଧାନସଭା ସିଟ ପାଇଁ କୌଣସି ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କିନ୍ତୁ ବିଜେଡିର ପ୍ରାର୍ଥୀ ଘୋଷଣା ପୂର୍ବରୁ ଦଳରେ ଥିବା ମତଭେଦ ପଦାରେ ପଡିଯାଇଛି । ରେଢ଼ାଖୋଲ ବିଧାନସଭା ଆସନ ପାଇଁ ରାସେଶ୍ୱରୀଙ୍କୁ ପ୍ରାର୍ଥୀ କରିବାକୁ କିଛି ବିଜେଡି କର୍ମୀ ଦାବି କରିଥିବା ବେଳେ ଅନ୍ୟ କେତେକ ବିଜେଡି ନେତା ରେଢ଼ାଖୋଲ ପାଇଁ ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି ।

ତେବେ ରେଢ଼ାଖୋଲ ବିଧାନସଭା ଆସନରେ ସବୁବେଳେ ରେଢ଼ାଖୋଲ ଉପଖଣ୍ଡ ବାହାର ଅଥବା ସମ୍ବଲପୁର ଜିଲ୍ଲା ବାହାରର ନେତା ଟିକେଟ ପାଇ ବିଧାୟକ ହୋଇଛନ୍ତି । ଏଭଳି ସ୍ଥିତିରେ ଚଳିତ ଥର ପ୍ରଣବ ପ୍ରକାଶ ଦାସ ସମ୍ବଲପୁରର ପର୍ଯ୍ୟବେକ୍ଷକ ହେବା ସହ ଲୋକସଭା ସିଟ ପାଇଁ ପ୍ରାର୍ଥୀ ହେବା ପରେ ଏବେ ରେଢ଼ାଖୋଲ ବିଜେଡିର କିଛି କର୍ମୀ ଏଥର ସ୍ଥାନୀୟ ପ୍ରାର୍ଥୀଙ୍କୁ ବିଧାନସଭା ଟିକଟ ଦିଆଯାଉ ବୋଲି ପ୍ରଣବ ପ୍ରକାଶ ଦାସଙ୍କୁ କହିଛନ୍ତି । "ଆମକୁ ଦରକାର ସ୍ଥାନୀୟ ପ୍ରାର୍ଥୀ" ଏଭଳି କିଛି ଦାବି ରେଢ଼ାଖୋଲ ବିଜେଡି କର୍ମୀ ଶିବିରରେ ଉଠିଛି ।

ସମ୍ବଲପୁର ଲୋକସଭା ସିଟରୁ ପ୍ରାର୍ଥୀ ହେବା ପରେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ପ୍ରଥମ କରି ସମ୍ବଲପୁର ଆସୁଥିବା ବେଳେ ବାଟରେ ରେଢ଼ାଖୋଲ ଭୀମଭୋଇ ଛକଠାରେ ବବିଙ୍କୁ ଦଳୀୟ କର୍ମୀଙ୍କଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ସମୟରେ କିଛି ସ୍ଥାନୀୟ କର୍ମୀ ଏଥର ରେଢ଼ାଖୋଲ ଉପଖଣ୍ଡରୁ ବିଜେଡି ପ୍ରାର୍ଥୀ ଦରକାର ବୋଲି ସିଧାସଳଖ କହିଥିବା ଦେଖିବାକୁ ମିଳିଛି । ରେଢ଼ାଖୋଲ ମୁଖ୍ୟାଳୟ ଅଞ୍ଚଳର ଯେକୌଣସି ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଦାବି ହୋଇଛି ।

ଏନେଇ ରେଢ଼ାଖୋଲର ବିଜେଡି ନେତା କୁଞ୍ଜ ବିହାରୀ ନନ୍ଦ କହିଛନ୍ତି, "ଏଥର ରେଢ଼ାଖୋଲ ମୁଖ୍ୟାଳୟରୁ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଉ । ଏହାଦ୍ୱାରା ସ୍ଥାନୀୟ ଲୋକ ତଥା ନାକଟିଦେଉଳ, ଜୁଯୁମୁରା ତଥା ରେଢ଼ାଖୋଲର ଲୋକ ନିଜର ସୁବିଧା ଅସୁବିଧାରେ ନିଜ ନେତାଙ୍କୁ ଭେଟି ନିଜର ସମସ୍ୟା ଜଣାଇ ପାରିବେ । ଏହାଦ୍ୱାରା ସ୍ଥାନୀୟ ଲୋକ ଉପକୃତ ହେବେ । ଏଥିପାଇଁ ପୂର୍ବରୁ ମଧ୍ୟ 5T ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏନେଇ ବବି ଦାସଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।"

ସୂଚନାଯୋଗ୍ୟ ଯେ, 1952ରେ ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । ଏହା ସେତେବେଳେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା । 1990 ମସିହାରେ ବସନ୍ତ ମହାନନ୍ଦ ଜନତା ଦଳ ପକ୍ଷରୁ ଲଢ଼ି ବିଜୟୀ ହୋଇଥିଲେ । ସେତେବେଳେ ବିଜେଡି ଗଠନ ହୋଇନଥିଲା । ତତ୍କାଳୀନ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କୁ ଟିକେଟ ଦେଇଥିଲେ । ବସନ୍ତ ମହାନନ୍ଦ ରେଢ଼ାଖୋଲର ବାସିନ୍ଦା ଥିଲେ । ଏହାପରେ 1995ରେ କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ କୁମ୍ଭାର ରେଢ଼ାଖୋଲ ବିଧାୟକ ହୋଇଥିଲେ । ଏହାପରେ 2000 ମସିହାରେ ବିଜେଡି ଗଠନ ହେବା ପରେ ବିଜେଡି ପକ୍ଷରୁ ଦୁର୍ଯ୍ୟୋଧନ ସୋହେଲା ଟିକେଟ ପାଇ ବିଜୟୀ ହୋଇ ବିଧାୟକ ହୋଇଥିଲେ । ତେବେ 2002ରେ ଦୁର୍ଯ୍ୟୋଧନ ସୋହେଲାଙ୍କ ଅକାଳ ବିୟୋଗ ହେବା ପରେ ଉପନିର୍ବାଚନରେ ସନାତନ ବିଶିଙ୍କୁ ବିଜେଡିରେ ଯୋଗଦାନ କରାଯାଇ ବିଜେଡି ଟିକେଟ ଦିଆଯାଇଥିଲା । ଏଥିରେ ବିଜେଡିର ସନାତନ ବିଶି ବିଜୟୀ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ରେଢାଖୋଲ ବିଧାନସଭା ଆସନ; ଏଥର ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରିବେ କି ଦଳ ?

ପରବର୍ତ୍ତୀ ସମୟରେ 2004ରେ ମଧ୍ୟ ବିଜେଡି ପକ୍ଷରୁ ସନାତନ ବିଶି ପୁଣି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ସନାତନ ବିଶି ସମ୍ବଲପୁର ସହରର ବାସିନ୍ଦା ଥିଲେ । ତେବେ 2009ରେ ରେଢ଼ାଖୋଲ ବିଧାନସଭା ସିଟ ସାଧାରଣ ବର୍ଗ ପାଇଁ ସଂରକ୍ଷିତ ହେବା ପରେ ବିଜେଡି ପକ୍ଷରୁ ପ୍ରସନ୍ନ ଆଚାର୍ଯ୍ୟ ଟିକେଟ ପାଇ ବିଜୟୀ ହୋଇ ବିଧାୟକ ହୋଇଥିଲେ । ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଜିଲ୍ଲାର ଅଟନ୍ତି । ଏହାପରେ 2014 ଓ 2019ରେ ରୋହିତ ପୂଜାରୀ ବିଜେଡି ଟିକେଟ ପାଇ ବିଜୟୀ ହୋଇ ଲଗାତାର 2 ଥର ବିଧାୟକ ହୋଇଛନ୍ତି । ରୋହିତ ମଧ୍ୟ ରେଢ଼ାଖୋଲର ନୁହନ୍ତି । ଏମାନଙ୍କ ମଧ୍ୟରୁ କେବଳ ବସନ୍ତ ମହାନନ୍ଦ ହିଁ ରେଢ଼ାଖୋଲର ମୂଳ ବାସିନ୍ଦା ଯିଏ ଟିକେଟ ପାଇଥିଲେ । ତେଣୁ ଏଥର ନିର୍ବାଚନରେ ଜଣେ ସ୍ଥାନୀୟ ପ୍ରାର୍ଥୀଙ୍କୁ ବିଜେଡି ଟିକେଟ ଦିଆଯାଉ ବୋଲି ଦାବି ଉଠିଛି । ଅନ୍ୟପଟେ ବର୍ତ୍ତମାନ ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜିତ ମହାନ୍ତିଙ୍କ ପରି ନେତା ରେଢ଼ାଖୋଲ ଆସନ ପାଇଁ ଆଶାୟୀ ପ୍ରାର୍ଥୀ ଥିବାବେଳେ ସ୍ଥାନୀୟ ନେତାଙ୍କ ଏହିଭଳି ଦାବି ଶୀର୍ଷ ନେତୃତ୍ୱଙ୍କୁ ଅଡୁଆରେ ପକେଇପାରେ ବୋଲି ଚର୍ଚ୍ଚା ହେଉଛି ।



ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.